Home Top News ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା : ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର...

ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା : ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ ହୀରାକୁଦର ୮ଟି ଗେଟ୍ ବନ୍ଦ ପାଇଁ ନିଷ୍ପତ୍ତି

66

ଭୁବନେଶ୍ୱର, ୧୫/୦୮ (ଓଡ଼ିଆ ପୁଅ) ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କର ସମ୍ଭାବ୍ୟ ବନ୍ୟାର ପ୍ରକୋପ କମାଇବା ପାଇଁ ହୀରାକୁଦ ବନ୍ଧର ୮ଟି ଗେଟ୍ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରଖୁବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ରାଜୀବ ଭବନସ୍ଥିତ ଏସ୍‌ଆସି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ତଥା ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ରାଜ୍ୟରେ ସଂପ୍ରତି ବୃଷ୍ଟିପାତ ଏବଂ ବନ୍ୟା ସ୍ଥିତି ସଂପର୍କରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ। ବନ୍ୟାର ବିଭିନ୍ନ ଦିଗକୁ ସମୀକ୍ଷା କରି ନଦୀବନ୍ଧଗୁଡ଼ିକର ନିରାପତ୍ତାକୁ ସୁନିଶ୍ଚିତ କରିବା ନିମନ୍ତେ ୨୪ ଘଣ୍ଡିଆ ପେଟ୍ରୋଲିଂ ଜାରି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାତ୍ରି ସମୟରେ ଡିଜିସେଟ୍ ଓ ପେଟ୍ରୋମାକ୍ସ ଲାଇଟ୍ ଲଗାଇ ବନ୍ଧ ଜଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କାର୍ଯ୍ୟରେ ନଦୀକୂଳିଆ ଗ୍ରାମର ବାସିନ୍ଦା, ଜନପ୍ରତିନିଧି, ସ୍ନେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସକ୍ରିୟ ଭାବେ ସାମିଲ କରିବା ପାଇଁ ଶ୍ରୀ ମହାପାତ୍ର ଜଳସଂପଦ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି ପୂର୍ବାହ୍ନରେ ବର୍ଷା ଓ ବନ୍ୟା ସ୍ଥିତିର ପୁନଃ ସମୀକ୍ଷା କରାଯିବ ଏବଂ ଗେଟ୍ ଖୋଲିବା ସଂପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ବୈଠକ ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଜେନା କହିଲେ ଯେ ଲଘୁଚାପ ଫଳରେ ଲଗାଣ ବର୍ଷା ହୋଇଛି। ମହାନଦୀ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରଠାରେ ୩୬୮ ମିଲିମିଟର ବର୍ଷା ହୋଇଥିବାବେଳେ ୭ଟି ବ୍ଳକ୍‌ରେ ୨୦୦ ମିଲିମିଟରରୁ ଅଧୁକ ବର୍ଷା ହୋଇଛି। ଇନ୍ଦ୍ରାବତୀ, ତେଲ ଓ ମହାନଦୀ ଅବବାହିକାରେ ଅତି ପ୍ରବଳ ବର୍ଷା ହୋଇଛି। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ଅଧିକ ବର୍ଷା ହୋଇଛି। ହୀରାକୁଦର ୮ଟି ଗେଟ୍ ବନ୍ଦ ହେବା ଫଳରେ ୧ ଲକ୍ଷରୁ ୧.୨୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କମିବ। ପରବର୍ତ୍ତୀ ସମୟରେ ସ୍ଥିତି ଦେଖ୍ ଗେଟ୍ ପରିଚାଳନା କରାଯିବ। ମୁଣ୍ଡୁଳୀ ନିକଟରେ ୧୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ ସ୍ଥିର ରହିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତାକାଲି ସକାଳ ୯ଟା ସୁଦ୍ଧା ହୀରାକୁଦର ୮ଟି ଗେଟ୍ ବନ୍ଦ ରହିବ।

ବନ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳକୁ ଅଧିକ ଓଡ୍ରାଫ୍, ଏଡିଆର୍‌ଏଫ୍, ଫାୟାର ସର୍ଭିସର ଟିମ୍ ମୁତୟନ କରାଯାଉଛି। ବୌଦ୍ଧ ଓ ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ପଠାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ହୀରାକୁଦର ଜଳଧାରଣ କ୍ଷମତା ୬୩୦ ମିଟର ପର୍ଯ୍ୟନ୍ତ ରହିଛି। ବର୍ତ୍ତମାନ ଜଳସ୍ତର ୬୨୧ ମିଟର ରହିଛି। ତେଣୁ ତଳ ଅଞ୍ଚଳରେ ଜଳପ୍ରବାହର ପ୍ରକୋପ କମାଇବା ପାଇଁ ୮ଟି ଗେଟ୍ ବନ୍ଦ କରିବା ପାଇଁ ସାମୟିକ ଭାବେ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.