Home ଓଡ଼ିଶା ଶ୍ରୀଜୀଉଙ୍କୁ ଲାଗି ହେଲା ଅଣସର ପଣା

ଶ୍ରୀଜୀଉଙ୍କୁ ଲାଗି ହେଲା ଅଣସର ପଣା

413

ପୁରୀ ୧୩-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅତ୍ୟଧିକ ସ୍ନାନ ଯୋଗୁ ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାବେଳେ ଦଇତାପତି ସେବକମାନେ ଶ୍ରୀ ବିଗ୍ରହମାନଙ୍କର ସେବା ଶୁଶ୍ରୁଷା କରୁଛନ୍ତି। ଏହି ସମୟରେ ଶ୍ରୀଜୀଉଙ୍କ ନିକଟରେ ଅନ୍ନ ଭୋଗ ପରିବର୍ତ୍ତେ ଫଳମୂଳ ଓ ଚକଟା ଭୋଗ ଲାଗି କରାଯାଇଥାଏ। ତେବେ ଶ୍ରୀଜୀଉଙ୍କ ଠାରେ ଅଣସର ସମୟରେ ଲାଗି ହୋଇଥିବା ସର ଭୋଗକୁ ଦଇତାପତି ସେବକମାନେ ଆଣି ନିଜ ଘରେ ପଣା ପ୍ରସ୍ତୁତ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରିଥାନ୍ତି। ବର୍ଷକରେ କେବଳ ଅଣସର ସମୟରେ ଏହି ସ୍ୱତନ୍ତ୍ର ପଣା ଭୋଗ ମିଳୁଥିବା ବେଳେ ଏହାକୁ ପାଇ ବହୁ ଭକ୍ତ ନିଜକୁ ଧନ୍ୟମନେ କରିଥାନ୍ତି।
ସ୍ନାନପୂର୍ଣ୍ଣମୀ ଦିନ ୧୦୮ ଗରା ସୁବାସିତ ଶୀତଳ ଜଳରେ ସ୍ନାନ କରିବା ପରେ ଏବେ ଶ୍ରୀଜୀଉମାନେ ଅଣସର ଘରେ ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ଗତକାଲି ପଞ୍ଚମୀ ତିଥିରେ ଦଇତାପତି ସେବକ ଶ୍ରୀଜିଉଙ୍କୁ ଫୁଲୁରି ତେଲ ଲାଗି କରିଥିବା ବେଳେ ଆଜିଠାରୁ ଚାରିଦିନ ପର୍ଯ୍ୟନ୍ତ ଓସୁଅ ଲାଗି କରିବାର ଵିଧି ରହିଛି। ତେବେ ଅଣସର ସମୟରେ ମହାପ୍ରଭୁଙ୍କ ନିକଟରେ କେବଳ ଫଳମୂଳ, ଚକଟା ଓ ପଣା ଭୋଗ ଲାଗି କରାଯାଇଥାଏ। ସର, ଲହୁଣୀ, ରାବିଡି ଆଦି ଦ୍ରବ୍ୟରେ ପ୍ରସ୍ତୁତ ସ୍ୱତନ୍ତ୍ର ଭୋଗ ଶ୍ରୀଜିଉଙ୍କୁ ଏହି ସମୟରେ ଦଇତାପତି ସେବକ ମାନେ ଲାଗି କରିଥାନ୍ତି। ଏହାବ୍ୟତୀତ ଭକ୍ତ, ଶ୍ରଦ୍ଧାଳୁ ତଥା ବନ୍ଧୁବାନ୍ଧବଙ୍କ ନିମନ୍ତେ ଦଇତାଙ୍କ ଦ୍ୱାରା ପ୍ରସ୍ତ୍ରୁତ ପଣା ଭୋଗ ବଣ୍ଟନ କରାଯାଇଥାଏ।

ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି ମହାପ୍ରଭୁ। ସ୍ୱତନ୍ତ୍ର ଭାବେ ଏହି ସମୟରେ ହେଉଥିବା ଚକଟା ଭୋଗକୁ ଦଇତାପତି ସେବକମାନେ ଶ୍ରୀମନ୍ଦିର ଭିତରେ ପ୍ରସାଦ ରୂପେ ପାଉଥିବା ବେଳେ ସର ଭୋଗକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଆଣିଥାନ୍ତି। ସେହି ଭୋଗରେ ପଣା ପ୍ରସ୍ତୁତ କରି ଅଣସର ୧୫ ଦିନ ଭକ୍ତ, ଶ୍ରଦ୍ଧାଳୁଙ୍କ ସହ ଆତ୍ମୀୟ ସ୍ୱଜନଙ୍କୁ ବଣ୍ଟାଯାଇଥାଏ। ବହୁ ଭକ୍ତ ପ୍ରତ୍ୟେହ ଏହି ପଣା ଭୋଗ ପାଇବା ପାଇଁ ଦଇତାପତି ମାନଙ୍କ ଘରକୁ ଯାଉ ଥିବା ବେଳେ ପଣା ଭୋଗ ପାଇ ଆନନ୍ଦ ଲାଭ କରିଥାନ୍ତି। ବିଶ୍ୱାସ ଅଛି ଏହି ପଣା ଭୋଗ ପାଇଲେ ଭକ୍ତମାନେ ଅଶେଷ ପୁଣ୍ୟ ପ୍ରାପ୍ତିର ସୌଭାଗ୍ୟ ଲାଭ କରିଥାନ୍ତି।

ଶ୍ରୀଜିଉଙ୍କର ଏହି ଅଣସର ସମୟରେ ଅଣସର ପଣା ଭୋଗର ବେଶ ମହତ୍ୱ ଥିବା ବେଳେ ଏହାକୁ ଦଇତାପତି ସେବକ ମାନେ ପ୍ରସ୍ତୁତ କରି ବଣ୍ଟନ କରିଥାନ୍ତି। ଏହି ପ୍ରଥା ଶହ ଶହ ବର୍ଷ ଧରି ପ୍ରଚଳିତ ହୋଇ ଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.