Home ଓଡ଼ିଶା ଦୀର୍ଘ ୩୫ ବର୍ଷ ପରେ ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ...

ଦୀର୍ଘ ୩୫ ବର୍ଷ ପରେ ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କଲା ଭାରତ

36

ନୂଆ ଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ଦୀର୍ଘ ୩୫ ବର୍ଷ ପରେ ଭାରତ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି। ଭାରତ ଓ ଆନ୍ତର୍ଜାତିକ ଶ୍ରମ ସଂଗଠନ ମଧ୍ୟରେ ଥିବା ଦୀର୍ଘ ୧୦୦ ବର୍ଷର ସଫଳ ସଂପର୍କରେ ଏହି ନୂଆ ଦାୟିତ୍ୱ ଆଉ ଏକ ଅଧ୍ୟାୟ ଯୋଡିଛି। ଭାରତର ଶ୍ରମ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ର ଏହି ଆନ୍ତର୍ଜାତିକ ପ୍ରତିଷ୍ଠାନର ପରିଚାଳନା ପରିଷଦର ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି। ସେ ୨୦୨୦ ଅକ୍ଟୋବରରୁ ୨୦୨୧ ଜୁନ ପର୍ଯ୍ୟନ୍ତ ଏହି ପଦରେ ରହିବେ। ଆନ୍ତର୍ଜାତିକ ଶ୍ରମ ସଂଗଠନ ପରିଚାଳନା ପରିଷଦର ଅଧ୍ୟକ୍ଷ ପଦ ଏକ ସମ୍ମାନଜନକ ପଦଭାବେ ବିବେଚିତ ହୋଇଥାଏ। ଆନ୍ତର୍ଜାତିକ କ୍ଷେତ୍ରରେ ଏହାର ମର୍ଯ୍ୟାଦା ରହିଛି। ଆଇଏଲ୍‌ଓର ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥାଭାବେ ପରିଚାଳନା ପରିଷଦ କାର୍ଯ୍ୟ କରେ। ଏହି ପରିଷଦ ସଂଗଠନର ନୀତି, କାର୍ଯ୍ୟକ୍ରମ, କାର୍ଯ୍ୟସୂଚୀ ଏବଂ ବଜେଟ ପ୍ରସ୍ତୁତ କରିବା ସହ ଏହାର ମହାନିର୍ଦେଶକକୁ ନିର୍ବାଚିତ କରିଥାଏ।

ଏବେ ଆଇଏଲ୍‌ଓରେ ୧୮୭ ଦେଶ ସଦସ୍ୟ ଅଛନ୍ତି। ଆସନ୍ତା ନଭେମ୍ବର ମାସରେ ଆଇଏଲ୍‌ଓ ପରିଚାଳନା ପରିଷଦର ଯେଉଁ ବୈଠକ ଅନୁଷ୍ଠିତ ହେବ ସେଥିରେ ଶ୍ରୀ ଅପୂର୍ବ ଚନ୍ଦ୍ର ଅଧ୍ୟକ୍ଷତା କରିବେ। ଜେନେଭାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଅବସରରେ ସେ ଏହି ସଂଗଠନର ବରିଷ୍ଠ ଅଧିକାରୀ, ସାମାଜିକ ଅଂଶୀଦାର ଓ ସଭ୍ୟରାଷ୍ଟ୍ର ପ୍ରତିନିଧିଙ୍କ ସହ ମତବିନିମୟ କରିବାର ସୁଯୋଗ ପାଇବେ। ଭାରତ ସରକାର ଦେଶର ଶ୍ରମ ବଜାରରୁ ଜଟିଳତା ହଟାଇବା ପାଇଁ ବିଭିନ୍ନ ପ୍ରକାର ଶ୍ରମ ସଂସ୍କାର କାର୍ଯ୍ୟ କରୁଥିବାରୁ ସେ ବିଷୟରେ ଶ୍ରୀ ଚନ୍ଦ୍ର ଆଇଏଲଓର ସଦସ୍ୟଙ୍କୁ ଅବଗତ କରାଇବେ। ଏହାଛଡା ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ପାଇଁ ଭାରତ ସରକାର ସାର୍ବଜନୀନଭିତ୍ତିରେ ଯେଉଁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ସେ ମଧ୍ୟ ସେମାନଙ୍କୁ ଜଣାଇବେ।

ଶ୍ରୀ ଅପୂର୍ବ ଚନ୍ଦ୍ର ୧୯୮୮ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ଅଧିକାରୀ। ସେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟରେ ୭ ବର୍ଷରୁ ଅଧିକ କାଳ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ମହାରାଷ୍ଟ୍ର ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବଭାବେ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏହାପରେ ସେ ୨୦୧୭ ଡିସେମ୍ବର ୧ରୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିଗ୍ରହଣ ବିଭାଗ ମହାନିର୍ଦେଶକଭାବେ ଯୋଗଦେଇ ଭାରତୀୟ ସେନାର ବିଭିନ୍ନ ସାମଗ୍ରୀ କ୍ରୟ ଓ ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। ପ୍ରତିରକ୍ଷା ସାମଗ୍ରୀ କ୍ରୟ ସଂକ୍ରାନ୍ତ ଚିଠା ପ୍ରସ୍ତୁତ କରିବା ପାଇଁ ଗଠିତ କମିଟିର ସେ ମଧ୍ୟ ଅଧ୍ୟକ୍ଷ ଥିଲେ। ସେ ଚଳିତବର୍ଷ ଅକ୍ଟୋବର ୧ ତାରିଖରେ କେନ୍ଦ୍ର ଶ୍ରମ ସଚିବଭାବେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.