ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧର୍ମରମାସ କାର୍ତିକମାସ ଅବସରରେ ଭଦ୍ରକ ଜିଲା ଧାମନଗର ଓ ଚାନ୍ଦବାଲି ବ୍ଲକର ସୀମାନ୍ତବର୍ତୀ ସାହୁସାହି ସୁନ୍ଦରପୁର ମଧ୍ୟସ୍ଥଳରେ ଥିବା ବାବା ରଘୁବର ଦାସ ମଠ ପରିସରରେ ୮ଦିନ ଧରି ଭାଗବତ ପାରାୟଣ ସହ କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତାହା ସହ ପ୍ରତିଦିନ ସଂଧ୍ୟାରେ ଆଧ୍ୟାତ୍ମିକ ପ୍ର୍ୱଚନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ମଠ ପରିସରରେ ମୀନା ବଜାର ସାଙ୍ଗକୁ ଭଳିକି ଭଳି ଖେଳର ମଜା ଉଠାଇଥିଲେ ଆଗନ୍ତୁକ ଯାତ୍ରୀ। ପୂର୍ଣ୍ଣିମା ଦିନ ସାଧବ ପୁଅ ଓ ସାଧବାଣୀଙ୍କ ବୋଇତ ବନ୍ଦାଣ ସହ ବୈତରଣୀ ନଦୀରେ ସୁସଜ୍ଜିତ ଡଙ୍ଗାରେ ଯାତ୍ରା କରିବାର ଥିଲା ନିଆରା ପରମ୍ପରା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ସମ୍ମାନୀୟ ଅତିଥି ଭାବେ ଅରବିନ୍ଦ ପାଢୀ, ହିମାଂଶୁ ଶେଖର ସାହୁ, କିଶାନ ରାଉତ, ସନ୍ଦିପ ସ୍ୱାଇଁ, ଭାରତ ବିଜୟ ଦଳାଇ, ଅନିଲ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଗତ ବୁଧବାର ସନ୍ଧ୍ୟାରେ ଉଦଯାପନ ଉତ୍ସବରେ ଅତିଥିମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହ ମେଡାଲ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।








