ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କଟକ ବାଲିଯାତ୍ରା ଭଳି ନହେଲେ ବି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଦୀର୍ଘ ୭୦ ବର୍ଷ ଧରି ବଜାୟ ରଖିଛି ଭଦ୍ରକ ସହର ନିକଟସ୍ଥ ବାଉଦପୁର ଅଂଚଳର ହରିହର ବାଲିଯାତ୍ରା ଓ ବୋଇତ ବନ୍ଦାଣ। ଏହି ଅଂଚଳ ଦେଇ ପ୍ରବାହିତ ସାଳନ୍ଦୀ ନଦୀକୂଳ ବାଲିପଠାରେ ହରିହର ବାଲିଯାତ୍ରା ୧୯୫୬ ମସିହାରୁ ପାଳିତ ହୋଇଆସୁଅଛି। ଭଦ୍ରକ ସହରର ବାଉଦପୁର ବାଲିଯାତ୍ରା ଚଳିତବର୍ଷ ୭୦ ବର୍ଷରେ ପଦାର୍ପଣ କରିଥିବାବେଳେ ଏହା ଧୁମ୍ଧାମରେ ଆରମ୍ଭ ହୋଇଛି। ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରା ୩୦ ରେ ଉଦ୍ଯାପିତ ହେବ ବୋଲି ସଭାପତି ଦୟାନିଧି ପଣ୍ଡା କହିଛନ୍ତି। ତେବେ ଆଜି ଓ ଆସନ୍ତାକାଲି ମେଲୋଡି କାର୍ଯ୍ୟକ୍ରମ ରହିଥିବାବେଳେ ଆସନ୍ତା ୨୮, ୨୯ ଓ ୩୦ ତାରିଖ ଦିନ ଆଠଗଡର ଶ୍ରୀ ଦରବାର ଅପେରା ପାର୍ଟି ଯାତ୍ରା ପରିବେଷଣ କରିବ। କିମ୍ବଦନ୍ତୀ କହେ, ନୌବାଣିଜ୍ୟ ପରମ୍ପରା ଅପେକ୍ଷା ଶ୍ରୀ ଚୈତନ୍ୟଙ୍କ ଓଡ଼ିଶା ଆଗମନ ଓ ଧର୍ମ ପ୍ରଚାର ଏହି ବାଲିଯାତ୍ରାର ମୂଳ ଉତ୍ସବ। କଟକ ଅଂଚଳର ଧ୍ରୁବ ଚରଣ ଦାସ ବାଗୁରାଇରେ ରହି ରାଜମିସ୍ତ୍ରୀ କାମ କରୁଥିଲେ। କଟକ ବାଲିଯାତ୍ରା ଦ୍ୱାରା ଅନୁପ୍ରାଣିତ ହୋଇ ସେହି ଢାଂଚାରେ ବାଉଦପୁର ଦେଇ ଯାଇଥିବା ସାଳନ୍ଦୀ ନଦୀ ପାଖ ଗ୍ରାମରେ ବାଲିଯାତ୍ରା ଉତ୍ସବ ପରିକଳ୍ପନା କରିଥିଲେ। ଏହି ବାଲିଯାତ୍ରା ପ୍ରଥମେ ୧୯୫୬ ମସିହା ନଭେମ୍ବର ୧୮ ତାରିଖରେ ହୋଇଥିଲା। ନଦୀପଠା ରେଲ୍ୱେ ପୋଲ ନିକଟରେ ବାଲୁକା ପିଣ୍ଡିକରି ଶ୍ରୀ ଚୈତନ୍ୟଙ୍କ ପାଦୁକା ଓ ତୁଳସୀ ଗଛ ରଖି ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ପୂଜା ଆରମ୍ଭ କରିଥିଲେ। ଯାତ୍ରାର କିଛିବର୍ଷ ପରେ ନିତାଇଗୌରଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କରି ଏହି ପୂଜା କାର୍ଯ୍ୟ ଚାଲିଥିଲା। ସେବେଠାରୁ ସ୍ୱର୍ଗତଃ ଧ୍ରୁବଚରଣ ଆଉ ପଛକୁ ଫେରି ନଥିଲେ। ୧୯୬୯ ମସିହାରେ ବାଉଦପୁର ଅଂଚଳର ବିଶିଷ୍ଟ ଔଷଧ ବ୍ୟବସାୟୀ ସ୍ୱର୍ଗତଃ ଚନ୍ଦ୍ରଶେଖର ପଣ୍ଡା ଓ ତାଙ୍କ ପତ୍ନୀ ବିଳାସିନୀ ପଣ୍ଡା ବାଲିଯାତ୍ରା ପଡିଆରେ ଏକ ମନ୍ଦିର ପ୍ରତିଷ୍ଠା କରିଥିଲେ। ଯେଉଁ ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀ ହରିହର। ୧୬୬୯ ଠାରୁ ଏହି ବାଲିଯାତ୍ରା ଉତ୍ସବ ଏକ ମହୋତ୍ସବରେ ପରିଣତ ହୋଇଥିଲା। ହରିହର ବାଲିଯାତ୍ରାର ସଭାପତି ଦୟାନିଧି ପଣ୍ଡା ଓ ସଂପାଦକ ସୁବଳ କୁମାର ଦାସ କୁହନ୍ତି ବାଉଦପୁର, ଓଗାଳପୁର, ରାନ୍ଦିଆ, ଗୋବିନ୍ଦପୁର ଓ ବାଗୁରାଇ ଗ୍ରାମର ଲୋକମାନଙ୍କ ମିଳିତ ଉଦ୍ୟମରେ ୭ ଦିନ ଧରି ଏହି ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଠାରେ ବିଶେଷତ୍ୱ ହେଉଛି ମନ୍ଦିର ପ୍ରତିଷ୍ଠା ଦିନ ନଦୀରୁ ଜଣେ ୬ ବର୍ଷ ପିଲା ଏକ ରୂପାର ତ୍ରିଶୁଳ ପାଇ ପୂଜକଙ୍କୁ ପ୍ରଦାନ କରିଥିଲେ। ସେବେଠାରୁ ଏହି ତ୍ରିଶୁଳ ଲୋକଙ୍କ ସେବାରେ ଲାଗିଛି। ଏହି ତ୍ରିଶୁଳ ଦ୍ୱାରା ଅନେକ ଲୋକଙ୍କ ରୋଗ ଭଲ ହେଉଥିବା ପୂଜକ ଗୌରାଙ୍ଗ ପଣ୍ଡା କହିଛନ୍ତି। ସେହିଭଳି ମୂଳ ବାଲିଯାତ୍ରାରୁ କିଛି ଯୁବକ ଅଲଗା ହୋଇ ବାଉଦପୁର ନିତାଇ ଗୌରାଙ୍ଗ ବାଲିଯାତ୍ରା କମିଟି ଗଠନ କରି ଅନ୍ୟ ଏକ ମହୋତ୍ସବ ପାଳନ କରୁଛନ୍ତି। ଏହି କମିଟି ମଧ୍ୟ ଗତ ୨୪ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରିବ ବୋଲି ଏହାର ସଭାପତି ଟୁକୁନା ଯେନା ଓ କାର୍ତିକ ଯେନା କହିଛନ୍ତି। ଏବ ଏହି ବାଲିଯାତ୍ରାର ଆୟୋଜନ ବ୍ୟୟବହୁଳ ହେବା ସହ ମେଳା, ତୋରଣ, ସାଜସଜ୍ଜା, ରଙ୍ଗ ବେରଙ୍ଗର ଆଲୋକ ସାଙ୍ଗକୁ ଅପେରା ପାର୍ଟି ଦେଖଣାହାରୀଙ୍କୁ ଅଧିକ ଆକର୍ଷିତ କରିଛି। ବାଲିଯାତ୍ରାର ଆକର୍ଷଣ ସାଙ୍ଗକୁ ହରିହର ମନ୍ଦିରରେ କାର୍ତିକ ପୂର୍ଣ୍ଣମୀ ପରଠାରୁ ୭ଦିନ ବ୍ୟାପୀ ଭଜନ କୀର୍ତନ ସମାରୋହ ସମଗ୍ର ବାଉଦପୁର ଓ ଆଖପାଖ ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ଏହିସବୁ ଅଂଚଳର ଶ୍ରଦ୍ଧାଳୁମାନେ ପ୍ରତିଦିନ ସନ୍ଧ୍ୟାରେ ହରିହରଙ୍କ ପୂଜା ଆରାଧନାରେ ସାମିଲ ହେବା ସହ ଭଜନ କୀର୍ତନରେ ମଜିଯିବା ସହ ଯାତ୍ରାର ମାହୌଲକୁ ଉପଭୋଗ କରିଥାନ୍ତି। ବିଶେଷକରି ଚଳିତବର୍ଷର ସ୍ଥାନୀୟ ଅଂଚଳ ତଥା ଓଡ଼ିଶାର ବିଶିଷ୍ଟ କାଠ ପଥର ମୂର୍ତି ଶିଳ୍ପୀ ଅଶୋକ ଦେ’ଙ୍କ ଦ୍ୱାରା ନିର୍ମିତ ସୁଦୀର୍ଘ ବାଲିଯାତ୍ରା ତୋରଣଟି ଏଥର ଦର୍ଶକମାନଙ୍କୁ କିଣିପାରିଥିବା କଥା କୁହନ୍ତି ମେଳାକୁ ଆସିଥିବା ଯାତ୍ରୀ ଶୁଭଲକ୍ଷ୍ମୀ ମହାନ୍ତି। ଆକର୍ଷଣୀୟ ତୋରଣ ସହ ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଓ ପ୍ରତିଦିନ ସନ୍ଧ୍ୟାରେ ମେଲୋଡି, ଅପେରା ଭଳି ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଏଥର ଯାତ୍ରାକୁ ବେଶ୍ ରଙ୍ଗାରଙ୍ଗ କରିଛି। ଚଳିତବର୍ଷ ଏହି ବାଲିଯାତ୍ରା ପାଇଁ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିବା କଥା କୁହନ୍ତି ହରିହର ବାଲିଯାତ୍ରା କମିଟିର ସଭାପତି ଦୟାନିଧି ପଣ୍ଡା। ଏହି ପୂଜା ଆୟୋଜନରେ ସ୍ଥାନୀୟ ଯୁବକମାନଙ୍କ ନିଷ୍ଠା ଓ ନିରବଚ୍ଛିନ୍ନ ଉଦ୍ୟମ ଏହି ବାଲିଯାତ୍ରାକୁ ଅଧିକ ପ୍ରସାରିତ କରିଛି ବୋଲି କୁହନ୍ତି ସଂପାଦକ ସୁବଳ କୁମାର ଦାସ। ଦଶହରା ପରଦିନ ଠାରୁ ହରିହର ବାଲିଯାତ୍ରା କମିଟିର ବୈଠକ ବସି ପୂଜା ଆୟୋଜନର ନିଷ୍ପତିମାନ ନିଆଯାଇଥାଏ। ବାଉଦପୁର ଅଂଚଳର ଏହି ଯାତ୍ରା ହେଉଥିଲେ ମଧ୍ୟ ପାଖଆଖ ଓଗାଳପୁର, ଗୋବିନ୍ଦପୁର, ବାଘୁରାଇ, ରାନ୍ଦିଆ, ଜାନୁଗଞ୍ଜ, ଚାରିଘରିଆ, ମଣିସାହି ଅଂଚଳର ଲୋକମାନେ ଏଥିରେ ସାମିଲ ହେବା ସହ ଚାନ୍ଦା ମଧ୍ୟ ଦେଇଥାଆନ୍ତି। ଦଶହରା ପରଠାରୁ ଯୁବକମାନେ ପୂଜା ପାଇଁ ଚାନ୍ଦା ଆଦାୟରେ ଲାଗିପଡୁଥାନ୍ତି। କାର୍ତିକ ପୂର୍ଣ୍ଣମୀ ଦିନ ସକାଳେ ହରିହରଙ୍କ ମନ୍ଦିରରେ ଅଷ୍ଟପ୍ରହରୀ ପାଇଁ ଅଧିବାସ ଆରମ୍ଭ ହୋଇ ସନ୍ଧ୍ୟାରେ ଯାକ ଜମକରେ ସାଳନ୍ଦୀ ନଦୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ମେଳା। ମେଳାରେ ବିଭିନ୍ନ ଅଂଚଳର ବ୍ୟବସାୟୀମାନେ ବିପ୍ପଣୀ ଖୋଲି ବାଲିଯାତ୍ରାଟିରେ ଜନଗହଳି ସୃଷ୍ଟି କରିଥାଆନ୍ତି। ଏହି ବାଲିଯାତ୍ରାର ଶୁଭାରମ୍ଭ ବାଘୁରାଇ ଅଂଚଳର ଧୃବଚରଣ ଦାସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଚଳିତବର୍ଷ ଏହି ବାଲିଯାତ୍ରାରେ ପାଶ୍ୱର୍ମେଢ ଗୁଡିକ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି କମିଟିର ସଭାପତି ଓ ସଂପାଦକଙ୍କ ସହ ଦୀପକ ଦାସ, ଅଶୋକ ଦେ, ସୁବାଷ ଦେ ପ୍ରମୁଖ କମିଟିର ସଦସ୍ୟ ଅଛନ୍ତି।








