Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ଆରଡିଛକ ରାସ୍ତାରେ ଫସିଲା ୧୦୮ ଆମ୍ବୁଲାନ୍ସ, ପାଣି ଜମି ରାସ୍ତାର ଅବସ୍ଥା ବେହାଲ, ମରାମତି...

ଆଖଣ୍ଡଳମଣି ଆରଡିଛକ ରାସ୍ତାରେ ଫସିଲା ୧୦୮ ଆମ୍ବୁଲାନ୍ସ, ପାଣି ଜମି ରାସ୍ତାର ଅବସ୍ଥା ବେହାଲ, ମରାମତି ନହେଲେ ରାଜରାସ୍ତାକୁ ଓହ୍ଲାଇବେ ଅଂଚଳବାସୀ

1

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଭଦ୍ରକରୁ ଯାଇଥିବା ଆରଡିଛକ ମୁଖ୍ୟରାସ୍ତାଟିର ଅବସ୍ଥା ଏବେ ଏଭଳି ଶୋଚନୀୟ ହୋଇପଡିଛି ଯେ ତାହା କୌଣସି ଏକ ବନ୍ୟା ପ୍ଲାବିତ ରାସ୍ତାର ଭ୍ରମ ସୃଷ୍ଟି କରିଛି। ଆଜି ଏହି ରାସ୍ତାଟିରେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ଏଭଳି ଫସିଯାଇଥିଲା ଯେ ତାହା ଗୁରୁତର ରୋଗୀଟି କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥିଲା। ଏହି ରାସ୍ତାଟି ଦେଇ ପ୍ରତ୍ୟେକଦିନ ଓଡ଼ିଶା ଓ ରାଜ୍ୟ ବାହାରୁ ଆସୁଥିବା ବହୁ ତୀର୍ଥଯାତ୍ରୀଙ୍କ ଯାନବାହନ ଚଳାଚଳ ହୋଇଥାଏ। ଭଦ୍ରକ ସଦର ମହକୁମାରୁ ମଧ୍ୟ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ପରିବହନ ବସ୍ ସମେତ ୧୦ରୁ ଉର୍ଦ୍ଧ୍ୱ ସ୍କୁଲ ଓ କଲେଜ ବସ୍ ଯାତାୟତ କରିଥାଏ। ତେବେ ରାସ୍ତାଟିର ଏହି ଦୂରାବସ୍ଥା ନେଇ ସ୍ଥାନୀୟ ଅଂଚଳବାସୀ ଦୀର୍ଘ ୩ ବର୍ଷ ଧରି ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା। ଫଳରେ ଗତମାସ ୨୭ ତାରିଖରେ ସେମାନେ ବାଧ୍ୟହୋଇ ପୂର୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଦେବୀପ୍ରସନ୍ନ ଘୋଷଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ର ମୂଳେ ୬ ମାସ ପୂର୍ବେ ସ୍ଥାନୀୟ ବିଧାୟକ, ଜିଲାପାଳ, ଉପଜିଲାପାଳ, ତହସିଲଦାର ଏହି ରାସ୍ତାଟିର କ୍ଷେତ୍ରୀୟ ତଦନ୍ତ କରି ଖୁବଶୀଘ୍ର ରାସ୍ତାଟିର ମରାମତି କରିବାକୁ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଭାଗୀୟ କର୍ତୃପକ୍ଷ ସେ ଦିଗରେ କୌଣସି ପଦକ୍ଷେପ ନେଇନଥିଲେ। ଫଳରେ ରାସ୍ତାଟିର ଅବସ୍ଥା କ୍ରମେ ଶୋଚନୀୟ ହୋଇପଡିବାରୁ ବାଧ୍ୟହୋଇ ସ୍ଥାନୀୟ ଅଂଚଳବାସୀ ପୂର୍ତ ବିଭାଗରେ ଚାବି ପକାଇ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିଲେ। ତେବେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଖୁବଶୀଘ୍ର ଏହି ରାସ୍ତାର ମରାମତି ହେବାନେଇ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏଠାରେ ସୂଚନାଯୋଗ୍ୟ ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ସମସ୍ତ ଜଳ ରାସ୍ତା ଉପରକୁ ଚାଲିଆସୁଛି। ଫଳରେ ଏବେ ସଂପୂର୍ଣ୍ଣ ରାସ୍ତାଟି ଉପରୁ ପିଚୁ ଉଠିଯାଇ ବିରାଟ ଗର୍ତ ହେବା ସହ ଏଭଳି ପାଣି ଜମି ରହିଛି ଯେ ତାହା ଏକ ଛୋଟ ନଇର ଭ୍ରମ ସୃଷ୍ଟି କରୁଛି। ଏଣୁ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେଇ ବିଭାଗୀୟ କର୍ତୃପକ୍ଷଙ୍କ ଦ୍ୱାରା ଏହି ରାସ୍ତାଟିର ମରାମତି ନକଲେ ଆଗାମୀ ୭ଦିନ ମଧ୍ୟରେ ସ୍ଥାନୀୟ ଅଂଚଳବାସୀ ବାଧ୍ୟହୋଇ ଆଇନ୍‌କୁ ହାତକୁ ନେଇ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.