ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ସକ୍ରିୟ ଥିବା ରେଳବାଇ ତମ୍ବା ତାର ଚୋରା କାରବାର ଉପରେ ପୁଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଧାମନଗର ଥାନା ଅନ୍ତର୍ଗତ ହବିବନଗର ଓ ପଠାଣମହଲା ଅଂଚଳରେ ଆଜି ସନ୍ଧ୍ୟାରେ ପୁଲିସ ଚଢ଼ାଉ କରି ୩ ବଣ୍ଡଲ ରେଳବାଇ ତମ୍ବା ତାର ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି। ଜବତ ହୋଇଥିବା ତାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଟକ ବ୍ୟକ୍ତିଙ୍କ ମଧ୍ୟରେ ହବିବନଗରର ଗୋଲାମ ମୁସ୍ତଫା ସମେତ ଅନ୍ୟ ୪ ଜଣ ସାମିଲ ଅଛନ୍ତି। ତେବେ ଏହି ଚୋରା କାରବାରର ମୁଖ୍ୟ କାର୍ପଟଦାର କୁହାଯାଉଥିବା ପଠାଣମହଲାର ସେକ କଲିମ ପୁଲିସ ଚଢ଼ାଉ ପୂର୍ବରୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ରେଳବାଇରେ ବ୍ୟବହୃତ ମୂଲ୍ୟବାନ ତମ୍ବା ତାରକୁ କବାଡ଼ିଆ ସାମଗ୍ରୀ ଆଢ଼ୁଆଳରେ ଲୁଚାଇ ବାହାରକୁ ଚାଲାଣ କରାଯାଉଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏଥିସହ ଏକ ପିକଅପ୍ ଗାଡ଼ିରେ ପ୍ରାୟ ୭୦ରୁ ୮୦ ଲକ୍ଷ ଟଙ୍କା ମୂଲ୍ୟର ବିପୁଳ ପରିମାଣର ରେଳବାଇ ତମ୍ବା ତାର ଧାମନଗରକୁ ଅଣାଯାଇଥିବା ସୂଚନା ମିଳିବା ପରେ ଧାମନଗର ଏସ୍ଡିପିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୁଲିସ ଟିମ୍ ପଠାଣମହଲା ଓ ହବିବନଗର ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଚଢ଼ାଉ କରିଥିଲା। ବର୍ତମାନ ସୁଦ୍ଧା ୩ ବଣ୍ଡଲ ତାର ଜବତ ହୋଇଥିବା ବେଳେ ବାକି ଲକ୍ଷାଧିକ ଟଙ୍କାର ତାର କେଉଁଠି ଲୁଚାଇ ରଖାଯାଇଛି, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଜବତ ତାର ରେଳବାଇର କେଉଁ ଡିଭିଜନରୁ ଚୋରି ହୋଇଛି ଏବଂ ଏହି ରାକେଟ୍ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଅଟକ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଅନ୍ୟପକ୍ଷରେ, ଏହି ଘଟଣା ପରେ ଧାମନଗର ଅଂଚଳରେ ଗଢ଼ିଉଠିଥିବା ବେଆଇନ କବାଡ଼ିଆ ସାମ୍ରାଜ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଧାମନଗର ଅଂଚଳରେ ପ୍ରାୟ ୫୦ରୁ ୬୦ଟି ବେଆଇନ କବାଡ଼ିଆ ଦୋକାନ ଖୋଲାଯାଇ ଖୋଲାଖୋଲି ଭାବେ ଚୋରା ସାମଗ୍ରୀର କାରବାର ଚାଲିଛି। ଏହି କବାଡ଼ିଆ ମାଫିଆମାନେ ବିନା କୌଣସି ସରକାରୀ ଅନୁମତି କିମ୍ବା ଜିଏସ୍ଟି ପଞ୍ଜୀକରଣରେ କାରବାର କରି ସରକାରଙ୍କ କୋଟି କୋଟି ଟଙ୍କାର ଟିକସ ଫାଙ୍କୁଛନ୍ତି ଏବଂ ରାତାରାତି କୋଟିପତି ବନିଯାଇଛନ୍ତି। କେବଳ ରେଳବାଇ ସାମଗ୍ରୀ ନୁହେଁ, ବରଂ ଚୋରା ଟ୍ରକ୍ ଓ ବସ୍ ଭଳି ଭାରୀ ଯାନବାହନକୁ ମଧ୍ୟ ଏହି ଗୋଦାମଗୁଡ଼ିକରେ ରାତାରାତି ଗ୍ୟାସ୍ କଟରରେ କାଟି ଖଣ୍ଡଖଣ୍ଡ କରି ବିକ୍ରି କରିଦିଆଯାଉଥିବା ଅଭିଯୋଗ ହେଉଛି। ପ୍ରଶାସନ ଓ ପୁଲିସ ପକ୍ଷରୁ ଏହି ସମସ୍ତ ବେଆଇନ କବାଡ଼ିଆ ଦୋକାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।








