ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆସନ୍ତା ୨୨ ନଭେମ୍ବରରୁ ୨୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟୀକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏହି ଅଭିଯାନରେ ୦ରୁ ୫ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଦୁଇ ବୁନ୍ଦା ବାଇଭାଲେଂଟ ପୋଲିଓ ଟୀକା ପ୍ରଦାନ କରାଯିବ। ଜିଲ୍ଲାର ଆନୁମାନିକ ଜନସଂଖ୍ୟା ୧୬,୭୩,୪୧୦ ଥିବା ବେଳେ, ୦ରୁ ୫ ବର୍ଷ ବୟସର ଶିଶୁଙ୍କ ସଂଖ୍ୟା ପ୍ରାୟ ୧,୪୧,୧୯୦ ଜଣ। ସେମାନଙ୍କୁ ଟୀକାକରଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୨ ନଭେମ୍ବର (ରବିବାର) ଦିନ ଜିଲ୍ଲାରେ ୮୨୦ଟି ଟୀକାକରଣ ବୁଥ୍ କାର୍ଯ୍ୟ କରିବ। ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବୁଥ୍ ଗୁଡ଼ିକରେ ଟୀକାକରଣ କରାଯିବ। ଏହାପରେ ୨୩ ଓ ୨୪ ନଭେମ୍ବର ଦୁଇ ଦିନ ଧରି ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ବୁଥ୍କୁ ଆସିପାରି ନଥିବା ଏବଂ ଅନ୍ୟ ଯୋଗ୍ୟ ଶିଶୁମାନଙ୍କୁ ଟୀକା ପ୍ରଦାନ କରିବେ। ଏହି ଅଭିଯାନକୁ ସଫଳ କରିବା ପାଇଁ ୧,୨୪୫ଟି ଟୀକାକରଣ ଦଳ ନିୟୋଜିତ ହେବେ। ସେମାନେ ଜିଲ୍ଲାର ପ୍ରାୟ ୩,୦୭,୪୩୧ଟି ଘର ପରିଦର୍ଶନ କରିବେ। ଏଥିସହିତ ଯାତାୟାତ କରୁଥିବା ଶିଶୁମାନଙ୍କୁ ଟୀକାକରଣ କରିବା ପାଇଁ ଜିଲ୍ଲାରେ ୨୯ଟି ଟ୍ରାନଜିଟ୍ ପଏଂଟ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ ଅନୁରୋଧ କରାଯାଉଛି ଯେ, ପୂର୍ବରୁ ପୋଲିଓ ଟୀକା ନେଇଥିଲେ ମଧ୍ୟ ୦ରୁ ୫ ବର୍ଷ ବୟସର ପ୍ରତ୍ୟେକ ଶିଶୁଙ୍କୁ ୨୨ ନଭେମ୍ବର ଦିନ ନିକଟସ୍ଥ ଟୀକାକରଣ ବୁଥ୍ କୁ ଆଣି ଦୁଇ ବୁନ୍ଦା ପୋଲିଓ ଟୀକା ଦିଅନ୍ତୁ। ବୁଥ୍ କୁ ଆସିପାରି ନଥିବା ଶିଶୁଙ୍କୁ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ଟୀକା ପ୍ରଦାନ କରିବେ। ଏହି ଅଭିଯାନର ସଫଳ ରୂପାୟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ସହିତ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ପଂଚାୟତିରାଜ ବିଭାଗ, ଟିପିଏନଓଡିଏଲ୍ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ସହଯୋଗ ନିଆଯାଉଛି। ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଭଦ୍ରକ ଏହି ଅଭିଯାନରେ ସମସ୍ତ ବିଭାଗ ଓ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ଶତପ୍ରତିଶତ ଟୀକାକରଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।






