ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ଅକୱାନ’ ଲ୍ୟାଣ୍ଡଫଲ କରିବା ପୂର୍ବରୁ ଓ ପରେ ଜିଲାର ପରିସ୍ଥିତି ସମ୍ପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ରାତି ୮ଟାରେ ଜିଲାପାଳଙ୍କ ଓସୱାନ କକ୍ଷରେ ସମୀକ୍ଷା କରିଛନ୍ତି। ଅନୁଷ୍ଠିତ ବୈଠକରେ ସେ କହିଲେ ଯେ ବାତ୍ୟା ଅକୱାନ ର ଲ୍ୟାଣ୍ଡଫଳ ପରେ ଜିଲାର କଣ ସ୍ଥିତି ଅଛି ଓ ପରବର୍ତୀ ପଦକ୍ଷେପ କଣ ନିଆଯିବ, ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସେ ଆଜି ଏଠାକୁ ଆସିଥିବାର କଥା କହିଥିଲେ। ବିଶେଷକରି ବାତ୍ୟା ଅକୱାନ ପୂର୍ବରୁ ପ୍ରଶାସନ ପକ୍ଷରୁ ଯେଉଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ସେହି ଅନୁଯାୟୀ ସତର୍କତା ମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି। ଏହାବ୍ୟତୀତ ଆଜି ସେ ଆସି ବିଭିନ୍ନ ବ୍ଲକ୍ କର୍ତୃପକ୍ଷ ଓ ଲାଇନ୍ ଡିପାର୍ଟମେଂଟଙ୍କ ସହ ଆଭାସି ମାଧ୍ୟମରେ ସମୀକ୍ଷା କରିଥିଲେ। ଏବେ ୨୬୧୭୩ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇ ୧୪୫ ଟି ରିଲିଫ୍ କ୍ୟାମ୍ପରେ ସେମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି ବୋଲି କହିଥିଲେ। ଏହାବ୍ୟତୀତ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ସହିତ କାର୍ଯ୍ୟ କରିଛି। ୧୨୭ ଜଣ ଆସନ୍ନ ପ୍ରସବା ମା’ଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏହାମଧ୍ୟରୁ ୩୭ ଜଣ ସୁରକ୍ଷିତ ଭାବେ ପ୍ରସବ କରିଥିଲେ। ଜିଲାର ବୈତରଣୀ ଓ ସାଳନ୍ଦୀ ନଦୀ ବିପଦ ସଂକେତ ତଳେ ଥିବାରୁ ବନ୍ୟାର ଆଶଙ୍କା ନାହିଁ। ୧୯ ତାରିଖ ୮.୩୦ ରୁ ଆଜି ୮.୩୦ ମଧ୍ୟରେ ଭଦ୍ରକ ବ୍ଲକ୍ରେ ୪୯ ମିମି, ବାସୁଦେବପୁରର ୩୮ ମିମି, ଭଣ୍ଡାରିପୋଖରୀରେ ୩୨ ମିମି, ଚାନ୍ଦବାଲିରେ ସର୍ବାଧିକ ୧୦୨ ମିମି, ତିହିଡିରେ ୧୦୦ ମିମି, ବନ୍ତରେ ୧୮ ମିମି ଓ ଧାମନଗରରେ ୧୭ ମିମି ବର୍ଷା ହୋଇଛି। ଗତକାଲି ବୃଷ୍ଟିପାତ ହାର ୫୮.୬ ମିମି ଥିବାବେଳେ ଆଜି ୧୫.୨୯ ରହିଛି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ପ୍ରଶାସନ ତରଫରୁ ବିପଦଜନକ ଅବସ୍ଥାରେ ଥିବା ଗଛଗୁଡିକ କଟାଯିବା ସହ ହୋଡିଂଗୁଡିକୁ ଅପସାରଣ କରାଯାଇଛି। ସେହିପରି ଅଙ୍ଗନୱାଡି ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ଥିବା ବିପଦଜନକ ସ୍ଥିତିରେ ଥିବା ଗଛଗୁଡିକ ମଧ୍ୟ ପ୍ରଶାସନ ତରଫରୁ କଟାଯାଇଛି। ଅନ୍ୟପକ୍ଷରେ ସହରାଂଚଳରେ ବର୍ଷାଜନିତ ଜଳ ଅବରୋଧ ସମସ୍ୟା ଯେପରି ନଉପୁଜିବ, ସେଥିପାଇଁ ନାଳଗୁଡିକୁ ସଫା କରାଯାଇଛି। ଚାଷଜମି କ୍ଷୟକ୍ଷତି ସଂପର୍କରେ ସାମ୍ବାଦିକ ମାନେ ପଚାରିବାରେ ସେ କହିଥିଲେ ଯେ ଏହାପରେ କୃଷି ବିଭାଗ ପକ୍ଷରୁ ଆକଳନ କରାଯାଇ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଅନୁଷ୍ଠିତ ବୈଠକରେ ଜିଲାପାଳ ସୋମେଶ କୁମାର ଉପାଧ୍ୟୟ, ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ (ରାଜସ୍ୱ), ସରୋଜ ଦତ (ସାଧାରଣ)ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ବାତ୍ୟା ‘ଅକୱାନ’ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି – ସୂର୍ଯ୍ୟବଂଶୀ







