ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭେଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚୋରି ଓ ଲୁଟ୍?ପାଟ୍? ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଭୟ ଓ ଆତଙ୍କ ବଢ଼ିବାରେ ଲାଗିଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏକ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ନଗଦ ୪୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏପରିକି ଚୋରିର ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ମଧ୍ୟ ଲୁଟେରାମାନେ ନେଇଯାଇଛନ୍ତି। ଏହି ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ସମରାଇପୁର ଧରିତ୍ରୀ ନଗର ଅଞ୍ଚଳରେ ଘଟିଛି।ସୂଚନା ଅନୁଯାୟୀ, ଧରିତ୍ରୀ ନଗରରେ ରହୁଥିବା ସତ୍ୟସ୍ୱରୂପ ଜେନା ଗତକାଲି ସନ୍ଧ୍ୟା ପ୍ରାୟ ୪ଟା ସମୟରେ ନିଜ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇ କାଳୀପୂଜା ଦେଖିବା ପାଇଁ ଘରୁ ବାହାରିଥିଲେ। ପରିବାରର ସମସ୍ତ ସଦସ୍ୟ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ କେହି ଦୁର୍ବୃତ୍ତ ଘରର ଝରକା ତାଡ଼ି ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଘର ଭିତରେ ପଶିବା ପରେ ଦୁର୍ବୃତ୍ତମାନେ ଗଡ଼ରେଜ ଆଲମାରୀ ଓ ତାହାର ଲକରକୁ ଭାଙ୍ଗି ସେଥିରେ ରଖାଯାଇଥିବା ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ।ଅନ୍ୟପକ୍ଷରେ, ପରିବାର ଲୋକେ କାଳୀପୂଜା ଦେଖି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଘରର ଅବସ୍ଥା ଦେଖି ସମସ୍ତେ ହତବାକ୍ ହୋଇଯାଇଥିଲେ। ଘରର ଝରକା ଭଙ୍ଗା ଯାଇଥିବା ସହ ଗଡ଼ରେଜ ଆଲମାରୀ ଓ ଲକର ଭଙ୍ଗା ହୋଇ ପଡ଼ିଥିବା ଦେଖିଥିଲେ। ଯାଞ୍ଚ କରିବା ପରେ ଆଲମାରୀରେ ରଖାଯାଇଥିବା ରୁପା ପାଉଁଜି, ସୁନା ମୁଦି, ସୁନା ହାର ଓ ଅନ୍ୟାନ୍ୟ ଅଳଙ୍କାର ସହ ନଗଦ ୪୮ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା।ତେବେ ଏହି ଚୋରି ଘଟଣାରେ ଆଉ ଏକ ଚକିତ କଲାଭଳି ଦିଗ ସାମ୍ନାକୁ ଆସିଛି। ଲୁଟେରାମାନେ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ମଧ୍ୟ ନେଇଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ଫଳରେ ଚୋରି ଘଟଣାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ତାହା ଯାଞ୍ଚ କରିବାରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ପରିବାର ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।ଘଟଣା ପରେ ସତ୍ୟସ୍ୱରୂପ ଜେନା ତୁରନ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ପହଞ୍ଚି ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରି ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, କେଉଁ ଉପାୟରେ ଦୁର୍ବୃତ୍ତମାନେ ଘରେ ପ୍ରବେଶ କରିଥିଲେ ଏବଂ ଲୁଟ୍? ହୋଇଥିବା ସାମଗ୍ରୀ କେଉଁଠାରେ ରହିଛି, ସେନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।ତେବେ ଦିନ ଦ୍ୱିପ୍ରହରରେ ଜନବସତି ଅଞ୍ଚଳରେ ଏଭଳି ଚୋରି ଘଟଣା ଘଟିବା ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଘରେ ତାଲା ପକାଇ ପରିବାର ଲୋକେ ପୂଜା ଦେଖିବାକୁ ଯାଇଥିବା ସମୟରେ ଏଭଳି ଲୁଟ୍? ହେବା ଘଟଣା ଅଞ୍ଚଳବାସୀଙ୍କୁ ଚିନ୍ତିତ କରିଛି। ପୋଲିସ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତୁରନ୍ତ ଲୁଟେରାମାନଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।
Home ଜିଲ୍ଲା ପରିକ୍ରମା କାଳୀପୂଜା ଦେଖିବାକୁ ଯାଇଥିବା ପରିବାର ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଝରକା ତାଡ଼ି ଗଡ଼ରେଜ ଭାଙ୍ଗି...








