ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନିଖୋଜ ହେବାର ୪ ଦିନ ପରେ ଜଣେ ଛାତ୍ରର ଗଳିତ ମୃତ ଦେହ କୂଅରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ପଂଚାୟତ ନିଶ୍ଚନ୍ତା ଜେନା ସାହିରେ। ଏହି ଗ୍ରାମର ସୁବାସ ସାହୁଙ୍କ ସାନପୁଅ ପବିତ୍ର (୧୮) ଚାନ୍ଦବାଲି ଡିଗ୍ରୀ କଲେଜରେ ଯୁକ୍ତ ତିନି କଳାର ଛାତ୍ର ଅଟେ। ଗତ ୧୨ ତାରିଖ ଦିନ ତାଙ୍କ ବାପାଙ୍କ ସହିତ ସେ ଚାନ୍ଦବାଲି କାଳୀପୂଜା ଦେଖିବାକୁ ଯାଇଥିଲେ। ଚାନ୍ଦବାଲିରୁ ରାତିରେ ଫେରି ପରିବାର ଲୋକେ ଖାଇ ପିଇ ଶୋଇ ପଡିଥିଲେ। ୧୩ ତାରିଖ ସକାଳେ ପବିତ୍ରକୁ ନ ପାଇ ଚାରିଆଡେ ବହୁତ ଖୋଜାଖୋଜି କରି ତାକୁ ପାଇ ନଥିଲେ। ଫଳରେ ପିତା ସୁବାସ ଚାନ୍ଦବାଲି ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ। ଆଜି ସକାଳୁ ସୁବାସଙ୍କ ଘର ପଛପଟେ ଥିବା ଏକ କୂଅରୁ ଦୁର୍ଗନ୍ଧ ବାହାରିବାରୁ ପରିବାର ଲୋକେ ଦେଖିବାକୁ ପାଇଲେ କୂଅ ଭିତରେ ତାଙ୍କ ପୁଅ ପବିତ୍ରର ଗଳିତ ମୃତଦେହ ପଡି ରହିଛି। କେମିତି ପବିତ୍ର କୂଅ ଭିତରକୁ ଗଲା ଓ କିଭଳି ତାଙ୍କର ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ରହିଛି। ଚାନ୍ଦବାଲି ଅଗ୍ନିଶମ ବିଭାଗକୁ ପରିବାର ଲୋକେ ଖବର ଦେବା ପରେ ଅଗ୍ନିଶମ ବିଭାଗ ଆସି ଶବଟିକୁ ଉଦ୍ଧାର କରିଛନ୍ତି। ଏବେ ଚାନ୍ଦବାଲି ପୋଲିସ ପହଂଚି ଅଧିକ ତଦନ୍ତ କରୁଛି।








