ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡ୍ୟୁଟି କୁ ଯାଉଥିବା ବେଳେ ଅଜଣା ଗାଡ଼ିର ଧକ୍କାରେ ଜୀବନ ହରାଇଲେ ଜଣେ କାର୍ଯ୍ୟରତ ଗୃହରକ୍ଷୀ। ଦୁର୍ଘଟଣା ଘଟାଇ ଗାଡ଼ି ସହ ଚାଳକ ଫେରାର ହୋଇଯାଇଥିବାବେଳେ ଦୀର୍ଘ ୬ ଦିନ ପରେ ଏହି ଘଟଣାକୁ ନେଇ ଧୂଷୁରୀ ଥାନାରେ ଏତଲା ହୋଇଛି। ମୃତକ ହେଉଛନ୍ତି ବାହାରବିଲ ଗ୍ରାମର ସୁବାସ ଚନ୍ଦ୍ର ନାୟକଙ୍କ ପୁଅ ଆନନ୍ଦ ଚନ୍ଦ୍ର ନାୟକ (୪୦)। ଶୁଦ୍ଧିକ୍ରିୟା ସମାପନ ପରେ ତାଙ୍କ ପତ୍ନୀ ମାମିନା ରାଉଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ, ଆନନ୍ଦ ଧୂଷୁରୀ ଥାନାରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ଗତ ୬ ତାରିଖ ସକାଳ ପ୍ରାୟ ୮ ଟାରେ ପୂଜା ଡ୍ୟୁଟିରେ ଯୋଗଦେବା ପାଇଁ ନିଜ ବାଇକ ରେ ବେତାଳିଗାଁ ବଜାର ଅଭିମୁଖେ ବାହାରିଥିଲେ। ତେବେ ଅପରାହ୍ନ ପ୍ରାୟ ୩ ଟାରେ ସୂର୍ଯ୍ୟପୁର ପୋଲ ଉପରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଦୁର୍ଘଟଣାରେ ତାଙ୍କ ବାଇକ୍ଟି ଭାଙ୍ଗିରୁଜି ଯାଇଥିବାବେଳେ ସେ ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ପଡ଼ି ରହିଥିଲେ।ଖବର ପାଇ ପରିବାର ଲୋକେ ତାଙ୍କୁ ଧୂଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତୀ ସମୟରେ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତି କରାଯାଇଥିଲେ ମଧ୍ୟ ଗତ ୯ ତାରିଖ ଭୋର ୫ ଟା ୩୦ ରେ ଚିକିତ୍ସାଧୀନ ଅବସ୍ଥାରେ ଆନନ୍ଦଙ୍କ ମୃତ୍ୟୁ ଘଟିଥିଲା।ସ୍ୱାମୀଙ୍କ ମୃତ୍ୟୁ ପରେ ଅନ୍ତ୍ୟେଷ୍ଟିକ୍ରିୟା ରେ ବ୍ୟସ୍ତ ରହିଥିବାରୁ ଥାନାରେ ଅଭିଯୋଗ କରିବାରେ ବିଳମ୍ବ ହୋଇଥିବା ପତ୍ନୀ ଦର୍ଶାଇଛନ୍ତି। ଏହାକୁ ଆଧାର କରି ଧୂଷୁରୀ ପୁଲିସ କେସ୍ ନଂ ୪୮୯/୨୬ ରେ ବିଏନ୍ଏସ୍ ର ଧାରା ୨୮୧ ଓ ୧୦୬(୧) ଅନୁଯାୟୀ ମାମଲା ରୁଜୁ କରିଛି। ଏଏସ୍ଆଇ ପ୍ରଦୀପ କୁମାର ନାୟକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଚିହ୍ନଟ କରିବା ସହ ଫେରାର ଚାଳକଙ୍କୁ ଠାବ କରିବା ପୁଲିସ ପାଇଁ ଏବେ ଆହ୍ୱାନ ହୋଇଛି।








