ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମରା ମତ୍ସ୍ୟପୋତାଶ୍ରୟ ମଧ୍ୟରୁ ଗତକାଲି ପଂଚୁଟିକ୍ରି ପଂଚାୟତର ଅଭିଷେକ ଧଳଙ୍କ ଶବ ଉଦ୍ଧାର ହୋଇଥିଲା। ଏ ନେଇ ଧାମରା ସାମୁଦ୍ରିକ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ତଦନ୍ତ ଜାରୀ ରହିଛି। ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୃତକ ଅଭିଷେକଙ୍କ ବାପା ଅଜୟ ଧଳ(୭୦) ନିଜର ପୁଅର ହତ୍ୟାକାରୀ କୁ ଧରିବା ଏବଂ ନ୍ୟାୟଭିଷା କରିବା ପାଇଁ ଦୀର୍ଘ ୨୫ କି.ମି ଦୂର ପଂଚୁଟିକ୍ରି ପଂଚାୟତରୁ ଚାଲିଚାଲି ଧାମରାରେ ପହଂଚିଥିଲେ। ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଏକ ସାଇଟିଂଫିକ ଟିମ ଆସି ଧାମରା ସାମୁଦ୍ରିକ ଥାନାରେ ପହଂଚିବା ପରେ ଧାମରା ସାମୁଦ୍ରିକ ଥାନାଧିକାରିଣୀ ସଂପୃକ୍ତ ଟିମ କୁ ନେଇ ବାଲେଶ୍ୱର ମେରାଇନ ମାଛ ରପ୍ତାନୀକାରୀ ସଂସ୍ଥା ନିକଟକୁ ଯାଇ ଥିଲେ। ପରେ ଶବ ଉଦ୍ଧାର ହୋଇଥିବା ସ୍ଥାନକୁ ଯିବା ସହ ଯେଉଁ ମାନଙ୍କ ସହାୟତାରେ ଅଭିଷେକର ଶବକୁ ଉଦ୍ଧାର କରାଯାଇଥିଲା ସେମାନଙ୍କ ପାଖରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ମାତ୍ର କେଉଁ ପରିସ୍ଥିତିରେ ମୃତକ ଅଭିଷେକ ୧୧ତାରିଖ ରାତି ୧୧ଟାରୁ ନିଖୋଜ ହୋଇଥିବା ବେଳେ ବାଲେଶ୍ୱର ମେରାଇନର କୌଣସି ଷ୍ଟାଫ ଏ ବିଷୟରେ ପୁଲିସ ପାଖରେ ଲିଖିତ ଅଥବା ମୌଖିକ ଅଭିଯୋଗ କଲେ ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ମୃତକଙ୍କ ବାପା ଅଜୟ ଧଳ ଏବଂ ତାଙ୍କ ପରିବାର ଲୋକେ ପୁଲିସ ନିକଟରେ ଦାବୀ ରଖିଥିଲେ। ସେହିପରି ମୃତକ ଅଭିଷେକ ଦୀର୍ଘ ୬ଘଂଟାରୁ ଅଧିକ ସମୟ ପାଣିରେ ପଡିଥିବା ବେଳେ ଶବର ବେକ ନିକଟରେ ଏକ ଗର୍ତ ରହିବା ସହ ସେହିଠାରୁ ରକ୍ତ ବୋହିଥିଲା ସେ ନେଇ ମଧ୍ୟ ମୃତକଙ୍କ ବାପା ଅଭିଯୋଗ ଆଣିଥିଲେ। ଏହି ପରି ବହୁ ଅମିମାଂସିତ ପ୍ରଶ୍ୱ ମୃତକଙ୍କ ବାପା ଗଣମାଧ୍ୟମ ଏବଂ ପୁଲିସ ନିକଟରେ ଉଠାଇଥିଲେ। ଧାମରା ମତ୍ସ୍ୟପୋତାଶ୍ରୟ ଏବଂ ଏହାର ଆଖପାଖରେ ଥିବା ସମସ୍ତ ସିସିଟିଭି ଫୁଟେଜ ଯାଂଚ କରିବାକୁ ମଧ୍ୟ ଦାବୀ କରିବା ସହ ଏହି କେସ କୁ କ୍ରାଇମବ୍ରାଂଚ କୁ ହସ୍ତାନ୍ତରିତ କରିବାକୁ ଦାବୀ କରିଥିଲେ। ଧାମରା ଥାନାଧିକାରିଣୀ ଏହି କେସର ତଦନ୍ତକରୁଥିବା ବେଳେ ସମସ୍ତ ପାଶ୍ୱର୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି ଏବଂ ସମସ୍ତ ରିପୋର୍ଟ ଆସିବା ପରେ ଘଟଣାର ସଂପୂର୍ଣ ତଥ୍ୟ ଲୋକଲୋଚନକୁ ଆସିବ।








