ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପଂଚାୟତ ସମିତି ଓ ଭଦ୍ରକ ପୌରପାଳିକା ଆନୁକୂଲ୍ୟରେ “ମଧୁବାବୁ ପେନସନ ଯୋଜନା’ ଅନ୍ତର୍ଗତ ନୂତନ ଭତା ପ୍ରଦାନର ବ୍ଲକ ଓ ପୌରପାଳିକା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଦ୍ରକର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ନୂତନ ଭତା ଓ ବିଭିନ୍ନ ସହାୟକ ଉପକରଣ ବଂଟନ କରିଥିଲେ। ଶ୍ରୀ ମହାପାତ୍ର ନିଜ ଅଭିଭାଷଣରେ ସରକାରଙ୍କ ଏହି ଜନହିତକର ପଦକ୍ଷେପ ଦ୍ୱାରା ସମାଜର ଯୋଗ୍ୟ ଓ ଆବଶ୍ୟକତା ଥିବା ବର୍ଗ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିବା ସହ ସରକାରୀ ଯୋଜନାର ସୁବିଧା ସ୍ୱଚ୍ଛତା ଓ ସଠିକତାର ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉର୍ମିଳା ନାୟକ, ଅଧ୍ୟକ୍ଷା, ଭଦ୍ରକ ପଂଚାୟତ ସମିତି ଯୋଗଦେଇ ଅବହେଳିତ, ଅସହାୟ ତଥା ଆର୍ôଥକ ଅନଗ୍ରସର ବର୍ଗଙ୍କୁ ସାମାଜିକ ସୁରକ୍ଷା ଦେଇ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବାରେ ଏହି ଯୋଜନାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ମଳୟ କୁମାର ଜେନା, ଜିଲ୍ଲା ପରିଷଦ ସଦସ୍ୟ, ଭଦ୍ରକ ଯୋଗଦେଇ ସମାଜର ଅସହାୟ, ନିରାଶ୍ରୟ ଓ ଅବହେଳିତ ବ୍ୟକ୍ତିମାନଙ୍କୁ ଆର୍ôଥକ ସହାୟତା ସହ ସମ୍ମାନର ସହିତ ବଞ୍ଚିବାର ସୁଯୋଗ ଦେବା ଦିଗରେ ଏହି ଯୋଜନା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ନିଜର ମତ ପ୍ରକାଶ କରିଥିଲେ। ଭଦ୍ରକ ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଯୋଗଦେଇ ସମାଜର ଅବହେଳିତ ତଥା ଅସହାୟ ବର୍ଗଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାରେ ଏହି ଯୋଜନାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଗୋବିନ୍ଦ ଚନ୍ଦ୍ର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ, ଭଦ୍ରକ ଯୋଗଦେଇ ସମାଜର ଅବହେଳିତ, ଅସହାୟ ତଥା ଆର୍ôଥକ ଅନଗ୍ରସର ବର୍ଗଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରି ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବାରେ ଏହି ଯୋଜନାର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଭଦ୍ରକ ବ୍ଲକରେ ୩୩୯୮ (ତିନି ହଜାର ତିନିଶହ ଅଠାନବେ) ଜଣ ଯୋଗ୍ୟ ଆବେଦନକାରୀଙ୍କର ଭତା ମଞ୍ଜୁର ହୋଇଅଛି। ଭଦ୍ରକ ପୌରପାଳିକାରେ ୧୦୪୪ (ଏକ ହଜାର ଚଉରାଳିଶ) ଜଣ ଯୋଗ୍ୟ ଆବେଦନକାରୀଙ୍କର ଭତା ମଞ୍ଜୁର ହୋଇଅଛି। ଅଦ୍ୟାବଧି ମଧୁବାବୁ ଯୋଜନାରେ ଭଦ୍ରକ ବ୍ଲକରେ ୧୮୦୪୩ (ଅଠର ହଜାର ତେୟାଳିଶ) ଜଣ ଭତା ପାଉଥିଲେ। ନୂତନ ଭାବେ ୩୩୯୮ ଜଣ ଯୋଗ୍ୟ ଆବେଦନକାରୀଙ୍କର ଭତା ମଞ୍ଜୁର ହେବା ପରେ ବର୍ତମାନ ବ୍ଲକରେ ସମୁଦାୟ ମୋଟ ହିତାଧିକାରୀଙ୍କ ସଂଖ୍ୟା ୨୧୪୪୧ ଜଣକୁ ବୃଦ୍ଧି ପାଇଛି। ଅଦ୍ୟାବଧି ମଧୁବାବୁ ଯୋଜନାରେ ଭଦ୍ରକ ପୌରପାଳିକାରେ ୭୬୦୯ (ସାତ ହଜାର ଛଅଶହ ନଅ) ଜଣ ଭତା ପାଉଥିଲେ। ନୂତନ ଭାବେ ୧୦୪୪ ଜଣ ଯୋଗ୍ୟ ଆବେଦନକାରୀଙ୍କର ଭତା ମଞ୍ଜୁର ହେବା ପରେ ବର୍ତମାନ ପୌରପାଳିକାରେ ସମୁଦାୟ ମୋଟ ହିତାଧିକାରୀଙ୍କ ସଂଖ୍ୟା ୮୬୫୩ ଜଣକୁ ବୃଦ୍ଧି ପାଇଛି। ଉଦଘାଟନୀ ସମାରୋହରେ ୧୬୨୦ (ଏକ ହଜାର ଛଅ ଶହ କୋଡ଼ିଏ) ଜଣ ହିତାଧିକାରୀଙ୍କୁ ଭତା ବଂଟନ କରାଯାଇଥିଲା। ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ୬ ଜଣ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ୍, ୧ ଜଣଙ୍କୁ ଟ୍ରାଇସାଇକେଲ୍, ୨ ଜଣଙ୍କୁ ହ୍ୱିଲ୍ ଚେୟାର, ୭ ଜଣଙ୍କୁ ଶ୍ରବଣ ଯନ୍ତ୍ର ଏବଂ ୭ ଜଣ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିଲା। ଖଗେଶ୍ୱର ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ସୌମ୍ୟଜିତ୍ ବେହେରା, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଭଦ୍ରକ ଧନ୍ୟବାଦ ଅର୍ପଣ କରିଥିଲେ।








