ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ଆଜି ଭଦ୍ରକର ଚରମ୍ପା ଫିଡ଼ର ରାସ୍ତାର ଶୁଭ ଉଦଘାଟନ ହୋଇ ଯାଇଛି। ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଭଦ୍ରକର ଐତିହାସିକ କାଳୀପୂଜା ଅବସରରେ ଦୀର୍ଘ ବର୍ଷରୁ ଜବର ଦଖଲରେ ଥିବା ଏହି ରାସ୍ତାର ଉଭୟ ପାର୍ଶ୍ୱ ଜିଲ୍ଲାପ୍ରଶାସନ ଦ୍ୱାରା ଅବରୋଧ ମୁକ୍ତ ପରେ ଏକ ପ୍ରଶସ୍ତ ରାସ୍ତା ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଦୀର୍ଘ ଦଶନ୍ଧିରୁ ଏହି ରାସ୍ତାଟିର ଉଭୟ ପାର୍ଶ୍ୱକୁ ବହୁ ବ୍ୟକ୍ତି ବିଶେଷ ଜବରଦଖଲରେ ରଖି ଦୋକାନ, ବଜାର କରିବା ସହ ବିଭିନ୍ନ ଘରୋଇ ପ୍ରତିଷ୍ଠାନ ଗୁଡିକୁ ଭଡା ସୂତ୍ରରେ ଲଗାଇ ଆସୁଥିଲେ। ଫଳରେ କ୍ରମ ବର୍ଦ୍ଧିଷ୍ଟୁ ଲୋକ ସଂଖ୍ୟା ବୃଦ୍ଧି କାରଣରୁ ଚରମ୍ପା ରେଳ ଷ୍ଟେସନ ଉପରେ ନିର୍ଭର କରୁଥିବା କେବଳ ଏହି ଜିଲ୍କା ନୁହେଁ, ପଡୋଶୀ ଜିଲ୍ଲାର ସଂଖ୍ୟା ଧିକ ଯାତ୍ରୀ ମାନଙ୍କ ଗମନାଗମନରେ ସଂକୁଚିତ ଫିଡ଼ର ରାସ୍ତାଟି ଜନଗହଳି ପୂର୍ଣ୍ଣ ହୋଇ ଯାତାୟତରେ ଟ୍ରାଫିକ ସମସ୍ୟା ସୃଷ୍ଟି କରି ଆସୁଥିଲା। ବିଗତ ସରକାର ସମୟରୁ ଏହି ରାସ୍ତାଟିର ପ୍ରଶସ୍ତି କରଣ ଜନିତ ଜବର ଦାଖଲ ଉଛେଦ ପାଇଁ ଜିଲ୍ଲାପ୍ରଶାସନକୁ କୋର୍ଟର ରହିତାଦେଶ ଭଳି ମାମଲାରେ ନାକେଦମ ହେବାକୁ ପଡିଥିଲା। ସେ ଯାହା ହେଉନା କାହିଁକି ଏ ସରକାର ସମୟରେ ଲୋକଙ୍କ ସହଯୋଗରେ ଜବର ଦଖଲ ଉଛେଦ ହୋଇ ନୂତନ ରାସ୍ତାର ଶିଳାନ୍ୟାସ ବର୍ତମାନର ସାଂସଦ ଅଭିମନ୍ୟୁ ସେଠୀ ଓ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଦ୍ୱାରା ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଭଦ୍ରକର ଐତିହାସିକ କାଳୀପୂଜା ପୂର୍ବରୁ ଏହି ରାସ୍ତାଟିର ନିର୍ମାଣ କାର୍ଯ୍ୟ ଶେଷ ସହ ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ବିଧାୟକ ଶ୍ରୀ ମହାପାତ୍ରଙ୍କ ଉପସ୍ଥିତିରେ ଯେଉଁ ନିଷ୍ପତି ହୋଇଥିଲା ତାହା ଆଜି ସାକାର ହୋଇ ଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି। ଆଜି ସନ୍ଧ୍ୟାରେ ରାଜ୍ୟ ସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମନ୍ତ୍ରୀ ଶ୍ରୀ ସୁରଜ, ସାଂସଦ ଶ୍ରୀ ସେଠୀ, ବିଧାୟକ ଶ୍ରୀ ମହାପାତ୍ର ଙ୍କ ଉପସ୍ଥିତିରେ ଏହି ରାସ୍ତାର ଶୁଭ ଉଦଘାଟନ ହୋଇଛି। ଏହି ଉଦଘାଟନ ଉତ୍ସବରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ଚରମ୍ପା ଫିଡ଼ର ରାସ୍ତାର ଶୁଭ ଉଦଘାଟନ, ଭଦ୍ରକ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଆଶା ଫଳବତୀ ହେଲା,...








