ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହ୍ୟ ସଂସ୍କୃତି ସଂପନ୍ନ ୫୫ତମ ସାରସ୍ୱତ ବିଜୟା ମିଳନ ଉତ୍ସବ ୨୧ ଅକ୍ଟୋବର ୨୦୨୬ ବୁଧବାର ପବିତ୍ର ଦଶହରାରେ ଭଦ୍ରକ ସ୍ଥିତ ଭାଗବତ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଓଡ଼ିଶାରେ ଏହି ପର୍ବ ବର୍ତମାନ ଏକ ଗଣପର୍ବରେ ପରିଣତ ହୋଇଛି । ଓଡ଼ିଶାରେ ପ୍ରଚଳିତ ବିରଜା ପଞ୍ଜିକାରେ ମଧ୍ୟ ଏହି ଉତ୍ସବ ସ୍ଥାନିତ ହେବା ଅନୁଷ୍ଠାନ ପାଇଁ ଗର୍ବ ଏବଂ ଗୌରବର ବିଷୟ । ଚଳିତ ବର୍ଷ ମର୍ଯ୍ୟାଦା ଜନକ ‘ବିଜୟା ସମ୍ମାନ’ ପ୍ରାକ୍ତନ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଡ. ଦିଲୀପ ରାଉତରାଏ ପାଇବାକୁ ସ୍ଥୀରିକୃତ ହୋଇଛି । ‘ସାହିତ୍ୟରତ୍ନ ଅପୂର୍ବ ରଞ୍ଜନ ରାଏ ସ୍ମାରକୀ ସମ୍ମାନ’ ଡ଼.ସୋମା ଚାନ୍ଦ, ‘ନୀଶାମଣି ସ୍ମାରକୀ ସମ୍ମାନ’ ବୀଣାପାଣି ସାହୁ, ‘ବିନୋଦ ବିହାରୀ ସ୍ମାରକୀ ସମ୍ମାନ’ ପ୍ରଫେସର ଶାନ୍ତନୁ କୁମାର ମହାନ୍ତି, ‘ସରୋଜ କଳା ସମ୍ମାନ’ ଚିତ୍ରଶିଳ୍ପୀ ମହେନ୍ଦ୍ର କୁମାର ରାଉତ, ‘ଗୌରାଙ୍ଗଚନ୍ଦ୍ର ମହାନ୍ତି ସ୍ମାରକୀ ସମ୍ମାନ’ ଶ ରତିକାନ୍ତ ମହାନ୍ତି ଓ ‘ପୂଜ୍ୟପୂଜା ସମ୍ମାନ’ କରୁଣାକର ବେହୁରିଆ ପ୍ରମୁଖ ପାଇବେ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ସଂସ୍କୃତି ପରମ୍ପରା ଚର୍ଚ୍ଚା ସହିତ ସମ୍ବର୍ଦ୍ଧନା ଜ୍ଞାପନ ଓ କବି ସମ୍ମିଳନୀ ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟ ସରଣୀ ନିର୍ଦ୍ଦିଷ୍ଟ ହୋଇଛି । ବହୁସଂଖ୍ୟାରେ କବି ଓ କବୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।








