Home ଜିଲ୍ଲା ପରିକ୍ରମା ଧାମନଗରରେ ଦୁଇ ମଣ୍ଡପ ନିର୍ମାଣ ବ୍ୟୟକୁ ନେଇ ଚର୍ଚ୍ଚା, ମୂଳ ଚୁକ୍ତି ଠାରୁ ୧.୩୭ କୋଟି...

ଧାମନଗରରେ ଦୁଇ ମଣ୍ଡପ ନିର୍ମାଣ ବ୍ୟୟକୁ ନେଇ ଚର୍ଚ୍ଚା, ମୂଳ ଚୁକ୍ତି ଠାରୁ ୧.୩୭ କୋଟି ଅଧିକ ଖର୍ଚ୍ଚ ପ୍ରସ୍ତାବ; ୫.୯୨ କୋଟିର ସଂଶୋଧିତ ଆକଳନକୁ ସୁପାରିଶ

3

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୂଳ ଚୁକ୍ତିମୂଲ୍ୟଠାରୁ ପ୍ରାୟ ୩୦ ପ୍ରତିଶତ ଅଧିକ ବ୍ୟୟ। ଧାମନଗର ବ୍ଲକର ଜୟନଗର ଓ ଦକ୍ଷିଣାବାଡ଼ଠାରେ ନିର୍ମାଣାଧୀନ ଦୁଇଟି ମଲ୍ଟିପରପଜ୍ ହଲ୍‌ର ସଂଶୋଧିତ ଆକଳନକୁ ନେଇ ଏବେ ଗୁରୁତ୍ୱ ବଢ଼ିଛି। ଉଭୟ ପ୍ରକଳ୍ପର ମୂଳ ଚୁକ୍ତିମୂଲ୍ୟ ୪ କୋଟି ୫୪ ଲକ୍ଷ ୩୯ ହଜାର ୬୩୧ ଟଙ୍କା ଥିବାବେଳେ ଏହାର ସଂଶୋଧିତ ଆକଳନ ୫ କୋଟି ୯୨ ଲକ୍ଷ ୨୩ ହଜାର ୪୬୧ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ମୂଳ ଚୁକ୍ତି ମୂଲ୍ୟଠାରୁ ୧ କୋଟି ୩୭ ଲକ୍ଷ ୮୩ ହଜାର ୮୩୦ ଟଙ୍କାର ଅଧିକ ବ୍ୟୟ ପ୍ରସ୍ତାବ ରହିଛି। ଏହି ଅତିରିକ୍ତ ବ୍ୟୟ ମୂଳ ଚୁକ୍ତି ମୂଲ୍ୟର ୩୦.୩୩୪ ପ୍ରତିଶତ। ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବୃତର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏହି ସଂଶୋଧିତ ଆକଳନକୁ ଅନୁମୋଦନ ନିମନ୍ତେ ଭୁବନେଶ୍ୱରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ (ଭବନ ଓ ସେତୁ)ଙ୍କ ନିକଟକୁ ସୁପାରିଶ କରିଛନ୍ତି।ଜୟନଗର ଠାରେ ୫୦୦ ଆସନ ବିଶିଷ୍ଟ ଏବଂ ଦକ୍ଷିଣାବାଡ ଠାରେ ୩୦୦ ଆସନ ବିଶିଷ୍ଟ ମଲ୍ଟିପରପଜ ହଲ୍ ନିର୍ମାଣ ଚାଲିଛି। ଏହି ଦୁଇଟି ମଣ୍ଡପ ସ୍ଥାନୀୟ ଅଂଚଳର ସାମାଜିକ, ସାଂସ୍କୃତିକ ଓ ସାଧାରଣ କାର୍ଯ୍ୟକ୍ରମ ପାଇଁ ଉପଯୋଗୀ ହେବାର ଆଶା ରହିଛି। ତେବେ ପ୍ରକଳ୍ପ ଦୁଇଟିର ଆକଳନ ମୂଲ୍ୟରେ ଏତେ ପରିମାଣର ବୃଦ୍ଧି ହେବା ପଛରେ କେଉଁ କାରଣ ରହିଛି, ତାହା ଜାଣିବା ଏବେ ଗୁରୁତ୍ପୂର୍ଣ୍ଣ ହୋଇପଡ଼ିଛି।ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ-୨ର ନିର୍ବାହୀ ଯନ୍ତ୍ରୀଙ୍କ ପତ୍ର ସଂଖ୍ୟା ୩୬୮୩, ତାରିଖ ୨୫ ଜୁନ୍ ୨୦୨୬କୁ ଆଧାର କରି ଅକ୍ଟୋବର ୬ ତାରିଖରେ ଏହି ସୁପାରିଶ କରାଯାଇଛି। ତେବେ ସଂଶୋଧିତ ଆକଳନକୁ ଚୂଡ଼ାନ୍ତ ଅନୁମୋଦନ ମିଳିଛି କି ନାହିଁ, ସେ ସମ୍ପର୍କରେ ଉପଲବ୍ଧ ପତ୍ରରେ ସ୍ପଷ୍ଟ ତଥ୍ୟ ନାହିଁ। ମୂଳ ପ୍ରଶ୍ନ ହେଉଛି— ଅତିରିକ୍ତ ୧.୩୭ କୋଟି ଟଙ୍କାର ବ୍ୟୟ କେଉଁ କାରଣରୁ ଆବଶ୍ୟକ ହେଲା। ନିର୍ମାଣ କାର୍ଯ୍ୟରେ କେଉଁ ଅତିରିକ୍ତ କାମ ଅନ୍ତର୍ଭୁକ୍ତ ହୋଇଛି। ଏହି ବ୍ୟୟବୃଦ୍ଧି ର ବୈଷୟିକ ଓ ପ୍ରଶାସନିକ ଆଧାର କ’ଣ। ଏସବୁ ପ୍ରଶ୍ନର ଉତର ବିଭାଗୀୟ ସ୍ପଷ୍ଟୀକରଣ ପରେ ହିଁ ମିଳିପାରିବ। ତେଣୁ ସଂଶୋଧିତ ଆକଳନ ର କାରଣ, ଅନୁମୋଦନ ସ୍ଥିତି ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବା ଆବଶ୍ୟକ। ଏ ଦିଗରେ ନୂଆ ଦାଇତ୍ୱ ରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ଯେ ମୁଁ ନୂଆ କରି ଦାଇତ୍ୱ ନେଇଚି ମୋ ଉପରିସ୍ଥ ଅଧିକାରି ଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.