ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନୂଆବଜାରସ୍ଥିତ ଉତ୍କଳ ବାଳାଶ୍ରମର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ମାଧ୍ୟମରେ ପାଂଚ ମାସର ଶିଶୁକନ୍ୟା ସ୍ୱପ୍ନା (ଛଦ୍ମନାମ)ଙ୍କୁ ବେଙ୍ଗାଲୁରୁର ୪୦ ବର୍ଷୀୟା ଏକକ ପୋଷ୍ୟଗ୍ରାହୀ ମାତା ରୂପସୀ ମେହେତା (ଛଦ୍ମନାମ) ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏହା ଫଳରେ ଶିଶୁକନ୍ୟାଟି ଏକ ନୂତନ ପରିବାରରେ ସ୍ନେହ, ଶ୍ରଦ୍ଧା ଓ ସୁରକ୍ଷା ମଧ୍ୟରେ ବଢ଼ିବାର ସୁଯୋଗ ପାଇଛି। କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ ପ୍ରାଧିକରଣର ନିର୍ଦ୍ଦେଶାବଳୀ ଓ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଏହି ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଶିଶୁକନ୍ୟାଟିକୁ ପୋଷ୍ୟ ମାତାଙ୍କ ହସ୍ତରେ ଔପଚାରିକ ଭାବେ ହସ୍ତାନ୍ତର କରିଥିଲେ। ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଅଣ-ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ, ସାମାଜିକ ଶିଶୁ ଆଇନ ଅଧିକାରୀ ସୁବ୍ରତ ଦାସଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ପୋଷ୍ୟ ସନ୍ତାନ ଗ୍ରହଣ, ଶିଶୁକନ୍ୟା ସ୍ୱପ୍ନାଙ୍କ ଜୀବନରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିଛି। ଏକ ସ୍ନେହପୂର୍ଣ୍ଣ, ସୁରକ୍ଷିତ ଓ ସହଯୋଗପୂର୍ଣ୍ଣ ପାରିବାରିକ ପରିବେଶରେ ଶିଶୁଟିର ସାମଗ୍ରିକ ବିକାଶ ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ି ଉଠିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଣ-ଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ ଆଶାବ୍ୟକ୍ତ କରିଛନ୍ତି। ଶିଶୁମାନଙ୍କୁ ସୁରକ୍ଷିତ ପାରିବାରିକ ପରିବେଶ ପ୍ରଦାନ କରିବା ଏବଂ ସେମାନଙ୍କର ଉତମ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
Home ଜିଲ୍ଲା ପରିକ୍ରମା ନୂଆ ପରିବାର ପାଇଲା ଶିଶୁକନ୍ୟା ସ୍ୱପ୍ନା, ଭଦ୍ରକ ଉତ୍କଳ ବାଳାଶ୍ରମର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ...








