ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ୧୦.୩୦ ଘଂଟାରେ ଭଦ୍ରକ କଲେକ୍ଟୋରେଟ୍ କନ୍ଫରେନ୍ସ ହଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରଗତି ସମୀକ୍ଷା କରାଯାଇଛି। ସର୍ବପ୍ରଥମେ ସି.ଡି.ଏମ୍ ଓ ପି.ଏଚ୍.ଓ. ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଜିଲ୍ଲାପାଳଙ୍କ ଦ୍ୱାରା ୨୦୨୬-୨୭ ବର୍ଷ ପାଇଁ ପ୍ରୋଗ୍ରାମ୍ ଇମ୍ପ୍ଲିମେେଂଟସନ୍ ପ୍ଲାନ୍ ଉନ୍ମୋଚନ କରାଯାଇଥିଲା । ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଗୋଷ୍ଠୀ ସ୍ୱାସ୍ଥ୍ୟ, ଗୁଣାତ୍ମକ ମାନ, ଅଣସଂକ୍ରାମକ ଓ ସଂକ୍ରାମକ ରୋଗ ନିରାକରଣର ପ୍ରାଥମିକତା କାର୍ଯ୍ୟ ଓ ସମୀକ୍ଷାତଥା ଅନ୍ୟାନ୍ୟ ବିଷୟରେ ବିସ୍ତୃତ ଆଲୋଚନା କରାଯାଥିଲା। ସମ୍ପୃକ୍ତ ଅଧିକାରୀମାନେ ନିଜ ନିଜ ବିଭାଗର ପ୍ରଗତି ଉପସ୍ଥାପନ କରିଥିଲେ। ଏମସିଏଚ୍ ୱିକ୍ (୧–୭ ଅକ୍ଟୋବର ୨୦୨୬)ରେ ଉଲ୍ଲେଖନୀୟ ସଫଳତା ବୈଠକରେ ଜିଲ୍ଲାରେ ପାଳିତ ମାତୃ-ଶିଶୁ ସ୍ୱାସ୍ଥ୍ୟ ସପ୍ତାହ (ଏମସିଏଚ୍ ୱିକ୍)ର ଫଳାଫଳ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନରେ ଗର୍ଭବତୀ ମହିଳା, ପ୍ରସୂତି ପରବର୍ତୀ ମାତା ଓ ନବଜାତ ଶିଶୁଙ୍କର ଘରେ ଘରେ ସ୍କ୍ରିନିଂ କରାଯାଇ ଉଚ୍ଚ ବିପଦପୂର୍ଣ୍ଣ କେସ୍ ଚିହ୍ନଟ ଓ ତୁରନ୍ତ ରେଫରାଲ୍ ନିଶ୍ଚିତ କରାଯାଇଥିଲା। ଅକ୍ଟୋବର ୨୦୨୬ରେ ପ୍ରସବ ହେବାକୁ ଥିବା ୧,୪୮୮ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧,୨୮୫ ଜଣଙ୍କୁ (୮୬%) ଘରେ ଘରେ ସାକ୍ଷାତ କରାଯାଇଛି। ଏଥିରୁ ୫୩୬ ଜଣ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭବତୀ ଚିହ୍ନଟ ହୋଇ ୨୨୭ ଜଣଙ୍କୁ ଉଚ୍ଚତର ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ରେଫର୍ କରାଯାଇଥିଲା। ସେପ୍େଟମ୍ବର ୨୦୨୬ରେ ପ୍ରସବ ହୋଇଥିବା ୧,୬୧୬ ଜଣ ମାତାଙ୍କ ମଧ୍ୟରୁ ୧,୫୬୮ ଜଣଙ୍କୁ (୯୭%) ଏବଂ ୧,୫୬୭ ଜଣ ନବଜାତ ଶିଶୁଙ୍କୁ ସ୍କ୍ରିନିଂ କରାଯାଇ ୯୧ ଜଣ ଉଚ୍ଚ ବିପଦପୂର୍ଣ୍ଣ ଶିଶୁଙ୍କୁ ରେଫର୍ କରାଯାଇଥିଲା। ଏହା ବ୍ୟତୀତ ଗର୍ଭବତୀ ପଞ୍ଜୀକରଣ ହାର ୮୬%ରୁ ବୃଦ୍ଧି ପାଇ ୯୦% ହୋଇଛି ଏବଂ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣ ଚିହ୍ନଟ ହାର ୩୦%ରୁ ୪୪%କୁ ଉନ୍ନୀତ ହୋଇଛି। ଜିଲ୍ଲାର ମାତୃ ମୃତ୍ୟୁ ଅନୁପାତ ୧୦୯ ରହିଛି, ଯାହା ରାଜ୍ୟ ହାରଠାରୁ କମ୍। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ମାନ ବୃଦ୍ଧି, କାର୍ଯ୍ୟକ୍ରମ ପରିଚାଳନାରେ ଥିବା ଚ୍ୟାଲେଞ୍ଜ ଏବଂ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ବିଷୟରେ ଆଲୋଚନା ହୋଇଛି। ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭବତୀ ଓ ନବଜାତ ଶିଶୁଙ୍କ ଶତପ୍ରତିଶତ ଫଲୋ-ଅପ୍ ନିଶ୍ଚିତ କରିବା ସହିତ ପ୍ରଥମ ତ୍ରୈମାସିକ ଗର୍ଭବତୀ ପଞ୍ଜୀକରଣ ହାରକୁ ଆହୁରି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସଦସ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚିତ ହୋଇଛି।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ, ଏମସିଏଚ୍ ୱିକ୍ (ମା ଓ ଶିଶୁ...








