Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ତିନିଦିନିଆ ‘ଆଙ୍ଗନ କା ଉତ୍ସବ’ ଉଦ୍‌ଯାପିତ

ଭଦ୍ରକ ଜିଲ୍ଲାରେ ତିନିଦିନିଆ ‘ଆଙ୍ଗନ କା ଉତ୍ସବ’ ଉଦ୍‌ଯାପିତ

1

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ଭଦ୍ରକ ଜିଲ୍ଲାରେ ତିନିଦିନିଆ ‘ଆଙ୍ଗନ କା ଉତ୍ସବ’ ଉତ୍ସାହ ଓ ଆନନ୍ଦର ସହିତ ଆୟୋଜିତ ହୋଇଯାଇଛି। ଜିଲ୍ଲାର ୮ଟି ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ୨୪୩୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବର ପ୍ରଥମ ଦିନରେ ପୁରୁଷ/ବାପାମାନଙ୍କ ମଧ୍ୟରେ ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ପରିବାରରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଓ ଶିଶୁମାନଙ୍କ ପୁଷ୍ଟି ସମ୍ପର୍କରେ ପୁରୁଷମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରାଯାଇଥିଲା। ଦ୍ୱିତୀୟ ଦିନରେ ଶିଶୁମାନଙ୍କ ପାଇଁ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ଖେଳ, ଗୀତ, ନାଚ ଓ ଗପ ଆଦିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଶିଶୁମାନଙ୍କୁ ଲସି, ଫଳ ଓ ମିଲେଟ୍ ବିସ୍କୁଟ୍ ଭଳି ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଉତ୍ସବର ତୃତୀୟ ତଥା ଶେଷ ଦିନରେ ‘ସୁଭଦ୍ରା ଶକ୍ତି ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମହିଳା ଓ ଶିଶୁମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସେବା ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା। ବିଭିନ୍ନ ଯୋଜନାରୁ ଉପକୃତ ହୋଇଥିବା ହିତାଧିକାରୀମାନେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ଶିଶୁ ଓ ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟି ସେବା କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା ଓ ଆଶା କର୍ମୀମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ଫଳ ବାସ୍କେଟ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହିତ, ‘ଆଙ୍ଗନ କା ଉତ୍ସବ’ର ପ୍ରଥମ ଦିନରେ ଆୟୋଜିତ ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତାରେ ସଫଳ ପୁରୁଷ/ବାପା କୃତୀ ପ୍ରତିଯୋଗୀମାନଙ୍କୁ ଶେଷ ଦିନରେ ଜିଲ୍ଲାପାଳ, ଭଦ୍ରକଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର ସହ ଫଳ ବାସ୍କେଟ୍ ପ୍ରଦାନ କରାଯାଇଥିଲା। ଉତ୍ସବରେ ଉପସ୍ଥିତ ସମସ୍ତ ହିତାଧିକାରୀଙ୍କୁ ‘ତିରଙ୍ଗା ପ୍ଲେଟ୍‌’ ମାଧ୍ୟମରେ ପୁଷ୍ଟିକର ଭୋଜନ ପରିବେଷଣ କରାଯାଇଥିଲା। ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ କଲ୍ୟାଣ ସମ୍ପର୍କରେ ସଚେତନତା ବୃଦ୍ଧି ସହିତ ସମୁଦାୟର ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ‘ଆଙ୍ଗନ କା ଉତ୍ସବ’ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.