Home ଜିଲ୍ଲା ପରିକ୍ରମା ଧସିଲା ୫୦ ଫୁଟ୍ ଗେଙ୍ଗୁଟି ନଦୀ ବନ୍ଧ,ତତ୍କାଳ ମରାମତି, ଚିନ୍ତାରେ ପାଶ୍ୱବର୍ତୀ ଗ୍ରାମବାସୀ

ଧସିଲା ୫୦ ଫୁଟ୍ ଗେଙ୍ଗୁଟି ନଦୀ ବନ୍ଧ,ତତ୍କାଳ ମରାମତି, ଚିନ୍ତାରେ ପାଶ୍ୱବର୍ତୀ ଗ୍ରାମବାସୀ

2

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାଣ ବର୍ଷା ଯୋଗୁଁ ଧାମନଗର ବ୍ଲକରେ ବନ୍ୟା ସ୍ଥିତି ଦେଖା ଦେଇଛି।ବୈତରଣୀ ସମେତ ସବୁ ଛୋଟବଡ଼ ନଦୀରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ଧାମନଗର ଜଳସମ୍ପଦ ବିଭାଗ ଅଧୀନ ଦଳାଙ୍ଗ ପଂଚାୟତ ଜାହାଙ୍ଗୀର ରାଉତସାହି ନିକଟରେ ଗେଙ୍ଗୁଟିର ବାମପାର୍ଶ୍ୱ ନଦୀବନ୍ଧ ପ୍ରାୟ ୫୦ ଫୁଟ ଧସିଯାଇଛି। ବନ୍ଧ ଧସିଥିବା ସ୍ଥାନର ଚଉଡ଼ା ଆଉ ମାତ୍ର ପ୍ରାୟ ୫ ଫୁଟ ରହିଥିବାରୁ ଏହା ଏବେ ବିପଦସଙ୍କୁଳ ହୋଇପଡ଼ିଛି। ବନ୍ୟା ମଧ୍ୟରେ ଦୁର୍ବଳ ବନ୍ଧ ଅଂଚଳବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ବନ୍ଧ ଧସିବା ଖବର ପାଇବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ତତ୍କାଳ ପଦକ୍ଷେପ ନିଆଯାଇଛି। ଧସିଥିବା ଅଂଚଳରେ ଜରିପାଲ ଢାଙ୍କିବା ସହ ବାଲିବସ୍ତା ପକାଇ ବନ୍ଧକୁ ସୁରକ୍ଷା ଦେବାକୁ ଉଦ୍ୟମ କରାଯାଇଛି। ତେବେ ବର୍ଷା ଜାରି ରହିବା ସହ ନଦୀରେ ଜଳସ୍ତର ବଢ଼ୁଥିବାରୁ ଏହି ଅସ୍ଥାୟୀ ପ୍ରତିକାର କେତେଦୂର ସୁରକ୍ଷା ଦେଇପାରିବ, ତାହାକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ବନ୍ଧରେ ଅଧିକ କ୍ଷତି ହେଲେ ଜାହାଙ୍ଗୀର, ପାଟୁଳି, ବାଘୁଆରୀ, ଗୋଠିଣା ସମେତ ଆଖପାଖର ଅନେକ ଗାଁ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ବନ୍ୟାଜଳ ଗାଁ ଭିତରକୁ ପଶିଲେ ଘରଦ୍ୱାର ସହ ବ୍ୟାପକ ଚାଷଜମି ମଧ୍ୟ କ୍ଷତିଗ୍ରସ୍ତ ହେବାର ଭୟ ରହିଛି। ସୂଚନା ଅନୁଯାୟୀ, ପୂର୍ବ ବନ୍ୟା ସମୟରେ ମଧ୍ୟ ଏହି ସ୍ଥାନଠାରୁ ପ୍ରାୟ ୨୦୦ ମିଟର ଦୂରରେ ବନ୍ଧ ଧସିଥିଲା। ସେତେବେଳେ ବାଲିବସ୍ତା ପକାଇ ଅସ୍ଥାୟୀ ଭାବେ ବନ୍ଧକୁ ସୁରକ୍ଷା ଦିଆଯାଇଥିଲା। ଏବେ ପୁଣି ନିକଟରେ ବନ୍ଧ ଦୁର୍ବଳ ହେବା ଏବଂ ନଦୀରେ ଜଳସ୍ତର ବଢ଼ିବା ଘଟଣାକୁ ଅଂଚଳବାସୀ ଗୁରୁତର ସହ ନେଇଛନ୍ତି। ବନ୍ୟା ଆସିବା ପୂର୍ବରୁ ବନ୍ଧକୁ ସ୍ଥାୟୀ ଭାବେ ସୁଦୃଢ଼ କରିବା ସହ ଯୁଦ୍ଧକାଳୀନ ଭିତିରେ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା କରାନଗଲେ ଆଗାମୀ ସମୟରେ ବଡ଼ ବିପଦ ଦେଖାଦେଇପାରେ ବୋଲି ଅଂଚଳବାସୀ କହିଛନ୍ତି। ତୁରନ୍ତ ବନ୍ଧର ସ୍ଥାୟୀ ସୁଦୃଢ଼ୀକରଣ କରିବାକୁ ସେମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.