Home ଜିଲ୍ଲା ପରିକ୍ରମା ବିଷାକ୍ତ ଚିତି ସାପ ନେଲା ଦମ୍ପତିଙ୍କ ଜୀବନ, ଅନାଥ ହେଲେ ୨ ନାବାଳକ

ବିଷାକ୍ତ ଚିତି ସାପ ନେଲା ଦମ୍ପତିଙ୍କ ଜୀବନ, ଅନାଥ ହେଲେ ୨ ନାବାଳକ

6

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଂଚାୟତ ଅଧିନ ମଧୁପୁର ଗ୍ରାମରେ ଏକ ବିଷାକ୍ତ ସାପ ଦମ୍ପତିଙ୍କ ଜୀବନ ନେବା ଘଟଣା ଶୋକାକୁଳ ପରିବେଶ ସୃଷ୍ଟିକରିଛି।ସ୍ତ୍ରୀ ମୃତ୍ୟୁର ଦିନକ ପରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଦମ୍ପତି ହେଉଛନ୍ତି ପ୍ରମିଳା ବାରିକ (୪୨) ଏବଂ ତାଙ୍କ ସ୍ୱାମୀ ପରମାନନ୍ଦ ବାରିକ (୪୫) । ଘଟଣାରୁ ପ୍ରକାଶ ଯେ, ବୁଧବାର ରାତିରେ ପ୍ରମିଳା ଘରେ ଶୋଇଥିବା ବେଳେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ତିହିଡି଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସେହିଦିନ ରାତିରେ ମୃତା ମହିଳାଙ୍କ ସ୍ୱାମୀ ପରମାନନ୍ଦ ଘରେ ଶୋଇଥିବା ବେଳେ ତାଙ୍କର ଶରୀରରେ ସେହିଭଳି ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ତିହିଡି଼ ଡାକ୍ତରଖାନାକୁ ନିଆଯିବା ବେଳେ ତାଙ୍କୁ ସାପ କାମୁଡ଼ିଥିବା ପରମାନନ୍ଦ କହିଥିଲେ । ତେବେ ତିହିଡି଼ରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଶୁକ୍ରବାର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।କଟକ ଡାକ୍ତର ଖାନା ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସେହି ଦମ୍ପତିଙ୍କ ମୃତ୍ୟୁ ଏକ ପ୍ରକାର ହୋଇଥିବାରୁ ପ୍ରମିଳାଙ୍କର ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଇ ଭଦ୍ରକର ସାପଧରାଳି ମିର୍ଜା ଆରିଫ ବେଗ୍‌ଙ୍କୁ ଡକାଯାଇଥିଲା। ସେ ଉକ୍ତ ଗ୍ରାମରେ ପହଂଚି ଉଭୟ ସ୍ୱାମୀ-ସ୍ତ୍ରୀ ଶୋଇଥିବା ଘରୁ ଏକ ବିଷାକ୍ତ ଚିତି ସାପ ଉଦ୍ଧାର କରିଛନ୍ତି। ଏଣୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ସେହି ସାପ କାମୁଡାରେ ହୋଇଥିବାର ଜଣାପଡିଛି। ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସ ଓ ପ୍ରଶାସନକୁ ଅବଗତ କରିଛନ୍ତି । ଶନିବାର ଦମ୍ପତିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାଯାଇଛି । ତେବେ ଦମ୍ପତିଙ୍କ ଦୁଇଟି ନାବାଳକ ସନ୍ତାନ ଅଛନ୍ତି। ଏହି ଦୁଃଖଦ ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଏହି ଘଟଣାରେ ପୂର୍ବତନ ସରପଂଚ ମାନସ ରଞ୍ଜନ ସାହୁ,ସମିତି ସଭ୍ୟ କୈଳାଶ ମାଝୀ, ସମିତି ସଭାପତି ମାନସ ରଞ୍ଜନ ନାୟକ,ସମାଜସେବୀ ଉପେନ୍ଦ୍ର ବାରିକ,ରମଣ ରଞ୍ଜନ ମହାନ୍ତି ପ୍ରମୁଖ ଗଭୀର ଶୋକପ୍ରକାଶ କରିବାସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବିକରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.