Home ଜିଲ୍ଲା ପରିକ୍ରମା ଭଦ୍ରକର ୨.୧୩ ଲକ୍ଷ ଚାଷୀଙ୍କୁ ୪୨.୫୯ କୋଟିର ସିଏମ୍‌-କିଶାନ୍ ସହାୟତା

ଭଦ୍ରକର ୨.୧୩ ଲକ୍ଷ ଚାଷୀଙ୍କୁ ୪୨.୫୯ କୋଟିର ସିଏମ୍‌-କିଶାନ୍ ସହାୟତା

8

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରବି ଋତୁ ୨୦୨୬-୨୭ ପାଇଁ ଭଦ୍ରକ ଜିଲ୍ଲାର ଚାଷୀମାନଙ୍କୁ ସିଏମ୍‌-କିଶାନ୍ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାର ୨,୧୨,୪୨୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୫୩୨ ଜଣ ଭୂମିହୀନ କୃଷି ପରିବାରକୁ ନେଇ ମୋଟ ୨,୧୨,୯୫୨ ଜଣ ହିତାଧିକାରୀଙ୍କୁ ମୋଟ ୪୨ କୋଟି ୫୯ ଲକ୍ଷ ୪ ହଜାର ଟଙ୍କା ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ଚାଷୀମାନଙ୍କୁ ରବି ଫସଲ ପାଇଁ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ଉପକରଣ କ୍ରୟରେ ସହାୟକ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶଶୀଭୂଷଣ ମହାପାତ୍ର, ସହକାରୀ କୃଷି ନିର୍ଦ୍ଦେଶକ ପ୍ରୀତିରେଖା ମହାଲିକ, କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସଞ୍ଜୟ କୁମାର ମହାନ୍ତିଙ୍କ ସମେତ କୃଷି ବିଭାଗର ଅଧିକାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଚାଷୀମାନେ ସରକାରଙ୍କ ଚାଷୀ କଲ୍ୟାଣମୂଳକ ଯୋଜନାର ସୁଯୋଗ ନେଇ କୃଷି ଉତ୍ପାଦନ ଓ ଆୟ ବୃଦ୍ଧି ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା। “ଚାଷୀଙ୍କ ସମୃଦ୍ଧି ମାଧ୍ୟମରେ ଓଡ଼ିଶାର ସମୃଦ୍ଧି’ ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.