ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଓ ଏହାର ଶାଖା କୋଚିଳା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଧାମନଗର ବ୍ଲକ୍ର ହସନାବାଦ ଏବ ଅର୍ଜୁନପୁର ପଞ୍ଚାୟତର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ବନ୍ୟାଜଳ ପ୍ରକୋପରେ ଦୁଇଟିଯାକ ପଂଚାୟତର ଅନେକ ଗାଁ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଂଚିଛି। ତଳିଆ ଅଂଚଳ ଜଳମଗ୍ନ ହେବା ସହ ପଂଚାୟତ ଅଫିସ, ହସନାବାଦ ମେଡିକାଲ, ବାଲିପାଟଣା ମେଡିକାଲ ସମେତ ବହୁ ବିଦ୍ୟାଳୟ ପାଣିରେ ବୁଡିଛି।ବନ୍ୟାଜଳର ପ୍ରକୋପରେ ଦୁଇ ପଂଚାୟତର ଏକାଧିକ ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ହସନାବାଦ ପଂଚାୟତର ହସନାବାଦ, ଅସ୍ତକ, ଅନଳଡିହ, ମଠସାହି ଏବଂ ଅର୍ଜୁନପୁର ପଂଚାୟତର ବାଲିପାଟଣା, ସଇଲୋ, ମମଦୂଲା, ତରେଇ ସାହି ପ୍ରଭୃତି ଗ୍ରାମଗୁଡ଼ିକରେ ବନ୍ୟାଜଳ ପଶିଯିବା ଫଳରେ ଘରଦ୍ୱାର ଭାଙ୍ଗିଯିବା ସହ ଖାଦ୍ୟସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସବୁଠାରୁ କଷ୍ଟ ଭୋଗୁଛନ୍ତି ଗୃହ ପାଳିତ ପଶୁ।ବନ୍ୟା ପାଇଁ ଲୋକମାନେ ନିଜର ଜୀବନ ଓ ଗୃହପାଳିତ ପଶୁଙ୍କୁ ବଂଚାଇବା ପାଇଁ ବହୁ ପରିବାର ମାସେରୁ ଅଧିକ ସମୟ ହେଲା ବାଧ୍ୟ ହୋଇ ଗୋରୁଗାଈଙ୍କ ସହିତ ନଦୀବନ୍ଧ ଓ ଉଚ୍ଚ ସ୍ଥାନମାନଙ୍କରେ ଆଶ୍ରୟ ନେଉଛନ୍ତି। ଗୋଟିଏ ପଟେ ମଣିଷର ରହିବା ଓ ଖାଇବା ସମସ୍ୟା, ଅନ୍ୟପଟେ ଗୋଖାଦ୍ୟର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।ସରକାରୀ ଭାବେ ଗୋ ଖାଦ୍ୟ ଏକାଧିକବାର ଦିଆଯାଇଛି।କିନ୍ତୁ ଏହା ଗାଈଗୋରୁଙ୍କ ପର୍ଯ୍ୟାପ୍ତ ହୋଇ ପାରିନି।ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ସଂଗେ ସଂଗେ ନଦୀବନ୍ଧର ସୁରକ୍ଷାକୁ ଅଧିକ ପ୍ରାଥମିକତା ଦିଆଯାଇଛି। ଜଳସମ୍ପଦ ଅଧିକାରୀ ମାନେ ସ୍ଥାନୀୟ ଲୋକଙ୍କ ସହ ମିଶି ବୈତରଣୀ ଏବଂ କୋଚିଳା ନଦୀର ସମ୍ଭାବ୍ୟ ବନ୍ୟା ସ୍ଥିତି ଓ ବିପଦପୂର୍ଣ୍ଣ ନଦୀବନ୍ଧ ଗୁଡ଼ିକକୁ ଏକାଧିକବାର ପରିଦର୍ଶନ କରିଛନ୍ତି।ରିପୋର୍ଟ ଲେଖା ହେବା ବେଳକୁ ବୈତରଣୀ ଏବଂ କୋଚିଳା ନଦୀର ଜଳ ସ୍ତର ହ୍ରାସ ପାଇଛି ବୋଲି ବନ୍ୟା ପ୍ରଭାବିତ ହସନାବାଦ ଅର୍ଜୁନପୁର ଅଂଚଳର ଅଧର ପରିଡ଼ା,ଅକ୍ଷୟ ନାୟକ,ବାଦଲ ବିଶ୍ୱାଳ,ମନୋଜ ଜେନା ପ୍ରମୁଖଙ୍କ ଠାରୁ ଜଣାଯାଇଛି।







