Home ଜିଲ୍ଲା ପରିକ୍ରମା ଫକୀରମୋହନ ବିଶ୍ୱବିଦ୍ୟାଳୟରେ କାନ୍ତକବିଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ...

ଫକୀରମୋହନ ବିଶ୍ୱବିଦ୍ୟାଳୟରେ କାନ୍ତକବିଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ତ୍ୟାଗଭୂମି ସମ୍ମେଳନ ସଭାପତି

2

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତି ସ୍ଥାପନ କରାଯିବା ସହ ତାଙ୍କ ନାଁରେ ଚେୟାର ପ୍ରତିଷ୍ଠା ପାଇଁ ଦାବି ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ସଭାପତି ଅଜୟ କୁମାର ନାୟକ ଦାବି କରିଛନ୍ତି।ଏନେଇ ସେ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦୃଷ୍ଟି ଆକର୍ଷଣ କରି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ୧୯୯୯ରେ ପ୍ରତିଷ୍ଠିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅବିଭକ୍ତ ବାଲେଶ୍ୱର ଜିଲାର ଶିକ୍ଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଛି । ଏହି ବିଶ୍ୱବିଦ୍ୟାଳୟ ସ୍ଥାପନର ପୃଷ୍ଠଭୂମିରେ ଭଦ୍ରକ ଜିଲାବାସୀଙ୍କ ନିସର୍ତ ସମର୍ଥନ ଓ ସଦିଛା ଥିଲା । ତେଣୁ ବିଶ୍ୱବିଦ୍ୟାଳୟ ସହିତ ଭଦ୍ରକ ଜିଲାବାସୀଙ୍କ ଆତ୍ମିକ ଓ ଭାବଗତ ସମ୍ପର୍କ ରହିଆସିଛି । ଭଦ୍ରକ ମାଟିର ଯଶସ୍ୱୀ ସନ୍ତାନ, ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ସ୍ରଷ୍ଟା କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତି ଓ ସୃଜନକୁ ବିଶ୍ୱବିଦ୍ୟାଳୟ ସହିତ ସଂଯୋଜିତ କରିବା ଗୌରବମୟ ପଦକ୍ଷେପ ହେବ । ୨୦୨୧ରେ ଉତ୍କଳ ସମ୍ମିଳନୀ, ଭଦ୍ରକ ଶାଖା ଏବଂ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ କାନ୍ତକବିଙ୍କ ଚେୟାର ପ୍ରତିଷ୍ଠା ଓ ପ୍ରତିମୂର୍ତି ସ୍ଥାପନ ନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଦାବିପତ୍ର ଦିଆଯାଇଥିଲା । ଇତିମଧ୍ୟରେ ୫ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏହା ଭଦ୍ରକବାସୀଙ୍କ ପାଇଁ ନିରାଶ କରିଛି । ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇବା ପରିପ୍ରେକ୍ଷୀରେ ଏହାର ସ୍ରଷ୍ଟା କାନ୍ତକବିଙ୍କ ସ୍ମୃତି ଓ ସାହିତ୍ୟକୁ ଅବଦାନ ଉପରେ ଉଚ୍ଚଶିକ୍ଷା ଓ ଗବେଷଣାର ଏକ ସ୍ଥାୟୀ କେନ୍ଦ୍ର ପ୍ରତିଷ୍ଠା କରାଯିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । ଚେୟାର ପ୍ରତିଷ୍ଠା ଓ ପ୍ରତିମୂର୍ତି ସ୍ଥାପନ କାନ୍ତକବିଙ୍କ ପ୍ରତି କେବଳ ଶ୍ରଦ୍ଧାଞ୍ଜଳି ନହୋଇ ଓଡ଼ିଆ ଭାଷା, ସାହିତ୍ୟ, ଗବେଷଣା ଓ ଜାତୀୟ ଚେତନାର ଏକ ଗୌରବମୟ ପରମ୍ପରାକୁ ଭବିଷ୍ୟତ ପୀଢ଼ି ସହ ଯୋଡିବା ପାଇଁ ଏକ ସ୍ଥାୟୀ ପଦକ୍ଷେପ ନିଆଯିବାକୁ ନାୟକ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.