Home ଜିଲ୍ଲା ପରିକ୍ରମା ବନ୍ୟାରେ ଚାଷୀ ଅଧିକ କ୍ଷତିଗ୍ରସ୍ତ, ଚାଷସମୟ ଗଡିଯାଇଥିବାରୁ ଆୟ ଓ ଜୀବିକାକୁ ନେଇ ଚିନ୍ତିତ

ବନ୍ୟାରେ ଚାଷୀ ଅଧିକ କ୍ଷତିଗ୍ରସ୍ତ, ଚାଷସମୟ ଗଡିଯାଇଥିବାରୁ ଆୟ ଓ ଜୀବିକାକୁ ନେଇ ଚିନ୍ତିତ

4

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ବୈତରଣୀ ଓ ସାଳନ୍ଦୀ ନଦୀର ଲଗାତର ବନ୍ୟା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ବିଶେଷକରି ଧାମନଗର, ଚାନ୍ଦବାଲି, ଭଣ୍ଡାରିପୋଖରୀ, ବାସୁଦେବପୁର ଓ ତିହିଡି ୫ ଟି ବ୍ଲକ୍‌ର ବହୁ ଚାଷଜମି ଏବେବି ପାଣିଘେରରେ ରହିଛି। ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଚାଷଜମି ଗୁଡିକ କ୍ଷୟକ୍ଷତିର ଆକଳନ ପାଇଁ ପ୍ରଶାସନ ପକ୍ଷରୁ ଆର.ଆଇ., ଭିଏଲ୍‌ଡବ୍ଲ୍ୟୁ ଓ ତହସିଲଦାରଙ୍କୁ ନେଇ ବ୍ଲକ୍‌ମାନଙ୍କରେ ଏକ ଟିମ୍ ଗଠନ କରାଯାଇଛି। ତେବେ ଚାଷଜମି ଗୁଡିକ ଜଳାର୍ଣ୍ଣବ ହୋଇପଡିଥିବାରୁ ଆକଳନ କାର୍ଯ୍ୟ ହୋଇପାରୁନଥିବା କଥା ମୁଖ୍ୟ ଜିଲା କୃଷି ଅଧିକାରୀ କହିଛନ୍ତି। ଆଉ ଯଦି ବନ୍ୟା ନହୁଏ, ତେବେ ଆସନ୍ତା ୭/୮ଦିନ ମଧ୍ୟରେ ଆକଳନ କାର୍ଯ୍ୟ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରତିବର୍ଷ ଜୁଲାଇ ମାସ ଶେଷସୁଦ୍ଧା ଅତିବେଶିରେ ଅଗଷ୍ଟମାସର ପ୍ରଥମ ସପ୍ତାହ ସୁଦ୍ଧା ରୁଆ କାମ ସରିଯାଇଥାଏ। ଚଳିତବର୍ଷ ବନ୍ୟା ପ୍ରବଣ ଅଂଚଳର ଚାଷୀଙ୍କୁ ସହଳ କିସମର ଧାନ ବିହନ (୯୦ ରୁ ୧୨୦ ଦିନ ମଧ୍ୟରେ ଅମଳ ହେବାକୁ ଥିବା ଧାନ) ମାଗଣାରେ ଯୋଗାଇ ଦିଆଯିବାକୁ ସରକାର ଘୋଷଣା କରିଥିଲେ। ପରବର୍ତୀ ସମୟରେ ଏଥିରେ ପରିବର୍ତନ ଆଣି କ୍ଷତିଗ୍ରସ୍ତ ଚାଷୀ ସରକାରୀ ସ୍ୱୀକୃତି ପ୍ରାପ୍ତ ସାର, ବିହନ ଓ କୀଟନାଶକ ଔଷଧ ଦୋକାନରୁ ଏହି ବିହନ ଅନଲାଇନ୍ ଜରିଆରେ କିଣିବେ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପରବର୍ତୀ ସମୟରେ ସଂପୃକ୍ତ ଚାଷୀଙ୍କୁ କିଣିଥିବା ବିହନର ମୂଲ୍ୟ ବାବଦରେ ଦେଇଥିବା ଅର୍ଥ ଫେରାଇ ଦିଆଯିବ ବୋଲି ବ୍ୟବସ୍ଥାରେ ରହିଛି। ତେବେ ରୁଆପୋତାର ସମୟ ଅବଧି ଗଡିଯାଇଥିବାରୁ ଚାଷୀ ଏହି ସହଳ କିସମର ଧାନ ବିହନ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଏଭଳି ପରିସ୍ଥିତିରେ ଯେଉଁ ଚାଷୀ ସଂପୂର୍ଣ୍ଣ ଧାନ ଅମଳ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି, ସେମାନଙ୍କ ଚିନ୍ତା ବଢାଇ ଦେଇଛି। ପିଲାଙ୍କ ପାଠପଢା ଠାରୁ ଆରମ୍ଭ କରି ଚିକିତ୍ସା, ପୂଜାପାର୍ବଣରେ କିପରି ବର୍ଷଟିଏ କଟାଇବେ, ଏନେଇ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ସରକାରଙ୍କ କ୍ଷୟକ୍ଷତି ପାଇଁ ଦିଆଯାଉଥିବା ଆର୍ଥିକ ସହାୟତା ସମୁଦ୍ରକୁ ଶଙ୍ଖେ ଭଳି। ବନ୍ୟା ପରେ ଅନେକ ପରିବାରଙ୍କ ବାସଗୃହ ସହ ଗୃହପାଳିତ ପଶୁଙ୍କ ରହିବା ବ୍ୟବସ୍ଥାକୁ ନେଇ ସମସ୍ୟା ଦେଖାଯାଇଥିବାବେଳେ ଚାଷୀଙ୍କ ପାଇଁ ବନ୍ୟାର କ୍ଷତି ଅଧିକ ଚିନ୍ତାର କାରଣ ହୋଇପଡିଛି। ଫସଲ ନଷ୍ଟ ସହ ଚାଷର ସମୟ ଗଡ଼ିଯାଇଥିବାରୁ ଆଗାମୀ ଦିନରେ ଆୟ ଓ ଜୀବିକାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ତେଣୁ ଶୀଘ୍ର କ୍ଷୟକ୍ଷତି ଆକଳନ କରି ପୁନଃଚାଷ ପାଇଁ ବିହନ, କୃଷି ଇନ୍‌ପୁଟ୍ ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇବା ପାଇଁ ଚାଷୀ ମହଲରେ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.