ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ବନ୍ୟା ପାଣିରେ ଭାସିଯାଉଥିଲେ ଜଣେ ବୃଦ୍ଧ । ଗଛ ହେଲା ସାହାରା। ଭାସି ଯାଉଥିବା ବୃଦ୍ଧଙ୍କୁ ଉଦ୍ଧାର କଲେ ଗ୍ରାମବାସୀ। ଏପରି ସ୍ଥିତି ଦେଖିବାକୁ ମିଳିଥିଲା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବୋଡକ ଠାରେ ବୈତରଣୀ ନଦୀରେ ଭାସି ଗଛକୁ ଧରି ପାଣିରେ ରହିଥିଲେ ସମ୍ପୃକ୍ତ ବୃଦ୍ଧ। ଡଙ୍ଗାରେ ବଜାରକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ। ବୃଦ୍ଧ ଜଣକ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଂଚଳର ବୋଲି ଜଣାପଡିବା ପରେ ତାଙ୍କ ଘରେ ଛଡାଯାଇଛି। ବୃଦ୍ଧ ଆରଡି ଅଭିମୁଖେ ଆସୁଥିବାବେଳେ ବୈତରଣୀ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସ୍ଥାନୀୟ ଯୁବକମାନେ ଦେଶୀ ଡଙ୍ଗାରେ ଆସି ବୃଦ୍ଧଙ୍କ ନିକଟରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ସରକାରୀ ବୋଟ କିମ୍ବା ଓଡ୍ରାଫ ଟିମ୍ ପହଂଚି ନଥିବା କହିଥିଲେ ସ୍ଥାନୀୟ ଲୋକ। ସେହିପରି ମଙ୍ଗଳବାର ଅପରାହ୍ନ ସମୟରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ସେବାୟତ ମିହିରି ପାଢୀ ମୁଁଆ ଘୋଷରା ନିକଟରେ ରାସ୍ତା ପାର ହୋଇ ଯାଉଥିବା ସମୟରେ ଭାସିଯାଇଥିଲେ। ନିକଟରେ ଥିବା ଏକ କଂଟାଗଛକୁ ସାହାରା କରି ଦେଢ଼ଘଂଟା ପଶି ରହିବା ପରେ ସ୍ଥାନୀୟ ଲୋକ ରଶି ଓ ଦେଶି ଡଙ୍ଗା ଦ୍ୱାରା ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଓ ଓଡ୍ରାଫ ଟିମକୁ ଫୋନ୍ କରିଥିଲେ ମଧ୍ୟ ଆସିନଥିଲେ।







