Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ବନ୍ୟାଂଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ସମୀକ୍ଷା ବୈଠକରେ ରିଲିଫ୍‌, ଉଦ୍ଧାର ଓ ସ୍ଥାନାନ୍ତରଣ...

ଭଦ୍ରକ ଜିଲା ବନ୍ୟାଂଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ସମୀକ୍ଷା ବୈଠକରେ ରିଲିଫ୍‌, ଉଦ୍ଧାର ଓ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱାରୋପ

2

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଂଚଳର ସ୍ଥିତି ଅନୁଧ୍ୟାନ କରିବା ସହିତ ପରେ ଭଦ୍ରକର ବିଭିନ୍ନ ସ୍ଥାନରେ ପହଂଚି ବନ୍ୟା ପରିସ୍ଥିତି ଓ ରିଲିଫ୍‌-ରେସ୍କ୍ୟୁ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାର ବନ୍ୟାଂଚଳ ପରିଦର୍ଶନ କରିବା ପରେ ଆସି ଅପରାହ୍ନରେ ଭଦ୍ରକସ୍ଥିତ ନୂଆ ସର୍କିଟ ହାଉସରେ ପହଂଚିଥିଲେ।ଏଠାରୁ ସଡକ ପଥରେ ଆସି ତିହିଡି ବ୍ଲକସ୍ଥିତ ବୋଡ଼କ ପଂଚାୟତର ଓରାଳି ଠାରେ ପହଂଚିଥିଲେ।ସେଠାରୁ ସରକାରୀ ବୋଟ ଯୋଗେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ସହ ଶ୍ୟାମସୁନ୍ଦରପୁର ପଂଚାୟତର ଈଶ୍ୱରପୁର ପର୍ଯ୍ୟନ୍ତ ଯାଇଥିଲେ।ସେଠାରେ ମୁଖ୍ୟମନ୍ତ୍ରୀ ଦୁଇ ସପ୍ତାହ ଧରି ବୈତରଣୀ ଏବଂ ସାଳନ୍ଦୀ ନଦୀର ବନ୍ୟା ଯୋଗୁଁ କଲବଲ ହୋଇ ଯନ୍ତ୍ରଣାରେ ସଢୁ ଥିବା ବିପନ୍ନମାନଙ୍କୁ ଭେଟି ସେମାନଙ୍କ ଦୁଃଖ ଦୁର୍ଦ୍ଦଶାର କଥା ଶୁଣିଥିଲେ ଏବଂ ସରକାରୀ ଭାବେ ଯୋଗାଇ ଦିଆଯାଉଥିବା ସହାୟତା ଆଦି ବିଷୟ ପଚାରି ବୁଝିଥିଲେ।ବନ୍ୟା ବିପର୍ଯ୍ୟସ୍ତ ସମୟରେ ଲୋକଙ୍କ ନିକଟରେ ଶୁଖିଲା ଓ ରନ୍ଧାଖାଦ୍ୟ ଉପଲବ୍ଧ କରାଇବା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହିତ ସ୍ୱାସ୍ଥ୍ୟ ସେବା ଉପରେ ଅଧିକ ଧ୍ୟାନ ଦେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।ରାଜ୍ୟରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ କେତେକ ଅଂଚଳରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜନକ ହୋଇଥିବା ବେଳେ ସରକାର ସମଗ୍ର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ସହାୟତା ପହଂଚାଇବା ଏବଂ ସେମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଭଦ୍ରକ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମଙ୍ଗଳପୁର, ଧୂଷୁରୀ, ଓରାଳି, ତିହିଡ଼ି ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ। ସେଠାରେ ବନ୍ୟାର ସ୍ଥିତି, ଲୋକଙ୍କୁ ସ୍ଥାନାନ୍ତରଣ, ରିଲିଫ୍ ବଂଟନ, ଉଦ୍ଧାର କାର୍ଯ୍ୟ ଏବଂ ପ୍ରଶାସନ ପକ୍ଷରୁ ନିଆଯାଉଥିବା ତତ୍କାଳୀନ ପଦକ୍ଷେପ ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ନେଇଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କୁ କୌଣସି ପରିସ୍ଥିତିରେ ଅସୁବିଧାରେ ନ ରଖିବା ସହ ଆବଶ୍ୟକ ସମସ୍ତ ସହାୟତା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ସମୟରେ ଭଦ୍ରକ ସର୍କିଟ୍ ହାଉସ୍‌ରେ ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସର୍କିଟ୍ ହାଉସ୍‌ରେ ଭୋଜନ ପରେ ମୁଖ୍ୟମନ୍ତ୍ରୀ ପୁନର୍ବାର ବନ୍ୟା ପ୍ରଭାବିତ ଅଂଚଳ ଅଭିମୁଖେ ଯାଇ ସ୍ଥିତିର ସମୀକ୍ଷା କରିଥିଲେ। ଅନ୍ୟପକ୍ଷରେ ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟର ସୁଚାରୁ ପରିଚାଳନା ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ତିନିଜଣ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଲ୍ଲା ପ୍ରଶାସନଗୁଡ଼ିକ ସହ ନିରନ୍ତର ସମନ୍ୱୟ ରଖି ସ୍ଥିତିର ତଦାରଖ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଏକ ଘଂଟା ବିଳମ୍ବରେ ଆସିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ୟାଂଚଳରେ ରହି ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସ୍ଥାନରେ ଅଟକି ଲୋକଙ୍କ କଥା ଶୁଣିଥିଲେ।ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସେ ବୋଡକ ଅଂଚଳରେ ରହିଥିବା ଦେଖା ଯାଇଥିଲା।ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ,ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟ ବିଜେପି ସଭାପତି ରାଜ୍ୟସଭା ସାଂସଦ ମନମୋହନ ସାମଲ,ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର,କୋରେଇ ବିଧାୟକ ଆକାଶ ଦାସ ନାୟକ,ଧର୍ମଶାଳା ବିଧାୟକ ଲିକୁ ସାହୁ, ଜିଲା ସଭାପତି ଭଗବାନ ପଣ୍ଡା, ଯୁବନେତା ଇଂ ପ୍ରୟାସକାନ୍ତି ସାମଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ,ପୂର୍ବାଂଚଳ ଡିଆଇଜି ପିନାକ ମିଶ୍ର,ଭଦ୍ରକ ଏସ୍ପି ମନୋଜ ରାଉତ,ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ୟା ପରିସ୍ଥିତି ଯୋଗୁଁ ଲୋକଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର, ସ୍ଥାନାନ୍ତରଣ ଓ ରିଲିଫ୍ ବଂଟନ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରୀୟ ପରିଦର୍ଶନ ଓ ସ୍ଥିତି ସମୀକ୍ଷା ପରେ ପ୍ରଭାବିତ ଅଂଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.