Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ବରପୁତ୍ରମାନଙ୍କୁ ଅଣଦେଖା

ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ ବରପୁତ୍ରମାନଙ୍କୁ ଅଣଦେଖା

21

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ନିମନ୍ତେ ସହରର ମୁଖ୍ୟ ରାସ୍ତାରେ ଫଟୋଚିତ୍ର ଲଗାଯାଇଛି। ତେବେ ଏହି ବରପୁତ୍ରମାନଙ୍କ ମଧ୍ୟରେ ଭଦ୍ରକ ଜିଲାର ପ୍ରମୁଖ ରାଜ୍ୟସ୍ତରୀୟ ବରପୁତ୍ରମାନଙ୍କ ଫଟୋଚିତ୍ର ଦେଖିବାକୁ ମିଳିନଥିଲା। ଏମାନେ ହେଲେ ଓଡ଼ିଶା ପୁର୍ନଗଠନ ଓ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଡଃ ହରେକୃଷ୍ଣ ମହତାବ, ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟକବି ବାଞ୍ଛାନିଧି ମହାନ୍ତି ଓ କନିକା ପ୍ରଜା ଆନ୍ଦୋଳନର ସୂତ୍ରଧର ଚକ୍ରଧର ବେହେରାଙ୍କ ଫଟୋଚିତ୍ର ସ୍ଥାନିତ କରାଯାଇନାହିଁ। ଯାହା ଭଦ୍ରକବାସୀଙ୍କୁ ବ୍ୟଥିତ କରିଛି। ତେବେ ଫଟୋଚିତ୍ର ଗୁଡିକ କାହାଦ୍ୱାରା ଲଗାଯାଇଥିଲା ଏବେ ଅନ୍ଧାରରେ ରହିଛି। ଜିଲା ଉପଖଣ୍ଡ ଲୋକ ସଂପର୍କ ସୂଚନା ଅଧିକାରିଣୀ ମଧୁସ୍ମିତା ଶତପଥୀ ଓ ସଂସ୍କୃତି ଅଧିକାରିଣୀ ତନୁଜା ସର୍କିା ସିଂ ଙ୍କୁ ଯୋଗାଯୋଗ କରିବାରେ ସେମାନେ ଏ ବିଷୟରେ ଜାଣିନଥିବାର କହିଥିଲେ। ତାତ୍ପର୍ଯ୍ୟର ବିଷୟ ଏହିକି ଯେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ଭାରତୀୟ ସ୍ୱାଧୀନ ଆନ୍ଦୋଳନରେ ଭଦ୍ରକର ଏହି ବରପୁତ୍ରମାନଙ୍କର ବଳିଷ୍ଠ ଭୂମିକା ସଂପର୍କରେ ମନ୍ତବ୍ୟ ରଖିଥିବାବେଳେ ସେମାନଙ୍କୁ ଓଡ଼ିଶା ବରପୁତ୍ର ଫଟୋଚିତ୍ର ସହ ସ୍ଥାନିତ ନକରିବା ଘଟଣା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ୱାଧୀନତା ଦିବସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନରେ ଭଦ୍ରକର ବରପୁତ୍ରମାନଙ୍କୁ ଅଣଦେଖା କରିବା ଘଟଣା ଏକ ଦୁର୍ଭାଗ୍ୟଜନକ ବୋଲି ତ୍ୟାଗଭୂମି ସଭାପତି ଅଜୟ ନାୟକ କହିଛନ୍ତି। ସେହିପରି ବିଶିଷ୍ଟ ଶିକ୍ଷାବିତ୍ ପବିତ୍ର ପାଣିଗ୍ରାହୀ କୁହନ୍ତି ସ୍ୱାଧୀନତା ଦିବସ ଅବସରରେ ରାସ୍ତା ଗୁଡିକରେ ଯେଉଁ ଫଟୋଚିତ୍ର ଶୋଭାପାଉଛି, ସେଥିରେ ଭଦ୍ରକ ବରପୁତ୍ରମାନଙ୍କ ଫଟୋ ସ୍ଥାନିତ ନହେବା ଘଟଣା ପରିତାପର ବିଷୟ। ସ୍ୱାଧୀନତା ସଂଗ୍ରାମକୁ ତେଜଦୀପ୍ତ କରିଥିବା ଭଦ୍ରକର ଏହି ପ୍ରମୁଖ ରାଜ୍ୟସ୍ତରୀୟ ବରପୁତ୍ରମାନଙ୍କୁ ସ୍ଥାନିତ କରାନଯିବା ଘଟଣା ଭଦ୍ରକବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସ୍ୱାଭାବିକ। ଭବିଷ୍ୟତରେ ଏଭଳି ତ୍ରୁଟି ନହେବା ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.