ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ବରିଷ୍ଠ ସାମ୍ବାଦିକ ପେନସନ ପ୍ରସଙ୍ଗରେ ମାନ୍ୟବର ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଧେଶକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି। ରବିବାର ଦିନ ଭଦ୍ରକ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ଜିଲ୍ଲା ସାଧାରଣ ବୈଠକରେ ଏହି ଦାବୀ ଉପସ୍ଥାପନ କରାଯାଇଛି । ଜିଲ୍ଲା ବରିଷ୍ଠ ସାମ୍ବାଦିକ ସଙ୍ଘ ସଭାପତି ଦୁର୍ଗା ବିଶ୍ୱାଳଙ୍କ ସଭାପତିତ୍ୱରେ ଏବଂ ସମ୍ପାଦକ ପ୍ରମୋଦ ରାୟଙ୍କ ସଭା ସଂଚାଳନରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ସଙ୍ଘର ରାଜ୍ୟ ସଭାପତି କାହ୍ନୁ ନନ୍ଦ କହିଥିଲେ ଯେ ସମଗ୍ର ଦେଶରେ ଏବେ ୨୨ ଗୋଟି ରାଜ୍ୟ ଏବଂ କେନ୍ଦ୍ରସାସିତ ଅଂଚଳରେ ସରକାର ସାମ୍ବାଦିକ ପେନସନ ଯୋଜନା ଲାଗୁ କରିଛନ୍ତି । ଏହା ଫଳରେ ବୃତିରେ ଥିବା ଅଥବା ବୃତିରୁ ଅବସର ନେଇଥିବା ବରିଷ୍ଠ ସାମ୍ବାଦିକଙ୍କୁ ଅନେକାଂଶରେ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହୋଇ ପାରିଛି । ଏହି ପ୍ରସଙ୍ଗରେ ସୂଚନା ଦେଇ ସେ କହିଥିଲେ ଯେ ବୃତିରୁ ଅବସର ଗ୍ରହଣ କରିବା ପରେ ବହୁ ସାମ୍ବାଦିକଙ୍କ ସାମାଜିକ ଏବଂ ଆର୍ôଥକ ଅବସ୍ଥା ଦୁର୍ବିସହ ହୋଇ ପଡୁଛି । ପରିଣତ ବୟସରେ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାପାଇଁ ବରିଷ୍ଠ ସାମ୍ବାଦିକ ପେନସନ ଯୋଜନା କାର୍ଯ୍ୟକାରୀ କରିବା ନିହାତି ଜରୁରୀ ହୋଇଛି । ତେବେ ରାଜ୍ୟ ବରିଷ୍ଠ ସାମ୍ବାଦିକ ମାନଙ୍କ ଏହି ଦାବିକୁ ସରକାର ଦୀର୍ଘବର୍ଷ ଧରି ଅଣଦେଖା କରି ଆସିବା ଯୋଗୁ ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ପକ୍ଷରୁ ମାନ୍ୟବର ଓଡିଶା ହାଇକୋର୍ଟରେ ଏନେଇ ଏକ ରିଟ ପିଟିସନ ଦାଖଲ କରାଯାଇଥିଲା । ଯାହାକୁ ବିଚାରକୁ ନେଇ ମାନ୍ୟବର କୋର୍ଟ ଓଡିଶା ସରକାରଙ୍କୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ। ତେବେ ମାନ୍ୟବର କୋର୍ଟଙ୍କ ଏହି ନିର୍ଦେଶ କାର୍ଯ୍ୟକାରୀ ନହେବାରୁ ବରିଷ୍ଠ ସାମ୍ବାଦିକ ସଂଘ ପକ୍ଷରୁ ଏନେଇ ଓଡିଶା ସରକାରଙ୍କ ବିରୁଦ୍ଧରେ ମନ୍ୟବର କୋର୍ଟଙ୍କ ଆଦେଶ ଅବମାନନା କେଶ ରୁଜୁ କରିଥିଲେ । ଯାହାର ବିଚାର କରି ମାନ୍ୟବର କୋର୍ଟ ନିକଟରେ ଆଗାମୀ ୩ ମାସ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନସନ ଯୋଜନାରେ ସାମିଲ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସଙ୍ଘ ପକ୍ଷରୁ ରାଜ୍ୟବ୍ୟାପି ବରିଷ୍ଟ ସାମ୍ବାଦିକ ମାନଙ୍କୁ ସଂଗଠିତ କରିବା ସହିତ ରାଜ୍ୟସରକାର ମାନ୍ୟବର କୋର୍ଟଙ୍କ ଆଦେଶମତେ ରାଜ୍ୟରେ ତୁରନ୍ତ ବରିଷ୍ଠ ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବାକୁ ନିବେଦନ କରିଛନ୍ତି । ଅନ୍ୟାନ୍ୟଙ୍କ ମଧ୍ୟରେ ସଙ୍ଘର ବରିଷ୍ଠ ଉପଦେଷ୍ଟା ଦେବେନ୍ଦ୍ର ସିଂ,ରାଜ୍ୟ ଉପସଭାପତି ପ୍ରଦୀପ୍ତ ଚୌଧୁରୀ, ସାଧାରଣ ସମ୍ପାଦକ ଆଶୁତୋଷ ବେହେରା,ସାଙ୍ଗଠନିକ ସମ୍ପାଦକ ବିପ୍ଳବ ମହାନ୍ତି, ଜିଲ୍ଲା ଉପଦେଷ୍ଟା ନିହାର ଦାସ, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପ୍ରତାପ ଦାସ, ଅଭୟ ପତି,ବାସୁଦେବ ତ୍ରିପାଠୀ, ନବକିଶୋର ସ୍ୱାଇଁ,ବଂଶୀଧର ଦାସ, ଦିଲ୍ଲୀପ ଖୁଂଟିଆ, ଶୈଳେନ୍ଦ୍ର ପଲାଇ, ବିଶ୍ୱନାଥ ସିଂ, ନାରାୟଣ କର, ଦିଲ୍ଲୀପ ନାୟକ, କିଶୋର ନାୟକ, ଗୁଲାମ ଜିଲାନି ହବିବି ପ୍ରମୁଖ ବରିଷ୍ଠ ସାମ୍ବାଦିକ ମାନେ ଉପସ୍ଥିତ ରହି ଆଲୋଚନାର ଭାଗ ନେଇଥିଲେ ।
Home ଜିଲ୍ଲା ପରିକ୍ରମା ରାଜ୍ୟ ବରିଷ୍ଠ ସାମ୍ବାଦିକ ସଙ୍ଘ ବୈଠକରେ ଦାବୀ, ସାମ୍ବାଦିକ ପେନସନ ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଧେଶକୁ...








