Home ଜିଲ୍ଲା ପରିକ୍ରମା ପେଟେଇ ରହିଛି କପାଳି,ଚାଷ ଚିନ୍ତାରେ ଚାଷୀ,ଧାନ ତଳି ପଣ ହଜାରେ

ପେଟେଇ ରହିଛି କପାଳି,ଚାଷ ଚିନ୍ତାରେ ଚାଷୀ,ଧାନ ତଳି ପଣ ହଜାରେ

9

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ସାଳନ୍ଦୀ କୋଚିଳା ଗେଙ୍ଗୁଟି ରେବ ନାଳିଆ ଆଦି ନଦୀର ଜଳସ୍ତର ହ୍ରାସ ପାଇଛି।ବନ୍ୟା ସ୍ଥିତି ମଧ୍ୟ ସୁଧୁରି ଗଲାଣି।ହେଲେ କପାଳି ନଦୀର ଜଳସ୍ତର ହ୍ରାସ ପାଇବାର ନାଁ ମଧ୍ୟ ଧରୁନି।କପାଳିର ଉଛୁଳା ପାଣି ପନ୍ଦର ଦିନ ହେଲାଣି ଯେମିତି ଥିଲା ଆଜି ମଧ୍ୟ ସେମିତି ରହିଛି।ଯାହା ଧାମନଗର ବ୍ଲକର ପାଞ୍ଚ ପଞ୍ଚାୟତ ଅସୁରାଳି ସମେତ ଖପରପଦା କଟସାହି ଫତେପୁର କାସିମପୁରକୁ ପ୍ରଭାବିତ କରିବା ସହ ଶହ ଶହ ହେକ୍ଟର ଚାଷଜମି ପାଇଁ ନାହିଁନଥିବା କ୍ଷତି ଆଣି ଦେଇଛି।ଗତ ଜୁଲାଇ ମାସର ଶେଷ ସପ୍ତାହ ଠାରୁ କପାଳି ବଢିବା ସହ ଏଯାଏଁ ଏହାର ପାଣି ଚାଷଜମିରେ ପେଟେଇ ଶୋଇ ରହିଛି।ମୁଖ୍ୟତଃ ମଙ୍ଗଳପୁର ସରପୁର ଲେଙ୍କାସାହି ଲୁଣିଆ ପଥରଡ଼ିହ ଖପରପଦା ଶ୍ରୀଗଙ୍ଗା ଧରିତ୍ରୀ ନଗର ତୋରବନ୍ତିଆ ହାତିଆପଡା ଶାନ୍ତି ନଗର ପତ୍ରିବିନ୍ଧା ଶ୍ୟାମଚାନ୍ଦପାଟଣା ମିଶ୍ରସାହି ବାଟିଟାଙ୍କି ବରୁଣା କାସିମପୁର ପ୍ରଭୃତି ଅଞ୍ଚଳର ଚାଷ ଜମିକୁ ଦୀର୍ଘ ସମୟ ଧରି ଜଳମଗ୍ନ କରି ରଖିଛି।ଏଭଳି ସ୍ଥିତିରେ ଉପରୋକ୍ତ ଅଞ୍ଚଳରେ ଖରିଫ ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।ପ୍ରାୟ ଚାଷୀ ଧାନ ରୁଆପୋତା କାର୍ଯ୍ୟ ଶେଷ କରିବା ପରେ ବନ୍ୟା ଆସିଥିଲା ଏବଂ ଯାହାର ପ୍ରଭାବ ଏଯାଏଁ ବଳବତ୍ତର ରହିଛି।ପାଣିରେ ବୁଡି ଧାନ ଗଛ ପଚି ମରି ଯାଇଛି।ବୁଣା ହୋଇଥିବା ଏକର ଏକର ଧାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।ପାଣି ଛାଡ଼ିଲେ ପୁଣି ଚାଷ କାମ କରିବାକୁ ଆଶା ବାନ୍ଧିଥିବା ଚାଷୀମାନଙ୍କ ପାଇଁ ଏବେ ବଡ଼ ସମସ୍ୟା ହୋଇଛି ବିହନ ତଳି।ସମୟ ଗଡ଼ି ଯାଇଥିବାରୁ ଏବେ ବିହନ ତଳି ମିଳିବା କଷ୍ଟକର।ତେବେ ଯେଉଁଠି କାଁ ଭାଁ ତଳି ଅଛି ତାହା ମୂଲ୍ୟ ଏବେ ଆକାଶଛୁଆଁ।ପୂର୍ବରୁ ଅନେକ ଚାଷୀ ବିହନ ତଳି ଅନ୍ୟକୁ ବିନା ମୂଲ୍ୟରେ ଦେଉଥିଲା ଏବଂ ସ୍ଥଳ ବିଶେଷରେ ପଣ ଶହେ ରୁ ଦୁଇ ଶହ ଟଙ୍କାରେ ମିଳୁଥିଲା।ଏବେ ଏହାର ମୂଲ୍ୟ ପାଞ୍ଚ ଗୁଣ ହୋଇଯାଇଛି।ଦାମ ଚଢା ହେଲେ ବି ପର୍ଯ୍ୟାପ୍ତ ତଳି ନାହିଁ।ଏଭଳି ସମସ୍ୟା ଯୋଗୁଁ କିଛି ଚାଷୀ ହଜାରେ ଦେଇ ବିହନ ତଳି ଆଣିବା ସହ ପୁଣିଥରେ ଉଜୁଡି ଯାଇଥିବା ଜମିରେ ରୁଆପୋତା କରିବାକୁ ସାହସ ବାନ୍ଧିଛି।ଏତେ ସବୁ ପରେ ବି କପାଳିର ବଢ଼ି ପାଣି ଛାଡିବାର ନାଁ ନେଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.