ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ଶ୍ରାବଣମାସର ୪ର୍ଥ ସୋମବାର ହୋଇଥିବା ବେଳେ ପୂର୍ଣ୍ଣିମା ତିଥି ଅନୁଯାୟୀ ୨ୟ ପାଳି ହୋଇଥିବାରୁ ବାବାଙ୍କୁ ଜଳାଭିଷେକ କରିବା ପାଇଁ ରବିବାର ମଧ୍ୟାହ୍ନରୁ ସୋମବାର ସନ୍ଧ୍ୟା ଯାଏଁ ୨ଦିନ ଧରି ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କ ଭିଡ଼ ଲାଗିଥିଲା ଆରଡି ପୀଠରେ। ଲକ୍ଷାଧିକ କାଉଡିଆ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ପୁଲିସ ପ୍ରଶାସନ ପକ୍ଷରୁ ପୀଠରେ ସୁରକ୍ଷା ବ୍ୟବସ୍ଥା ସହ ୨୪ଘଂଟିଆ ପାନୀୟଜଳ ଯୋଗାଣ ଓ ନିର୍ୱିଛିନ୍ନ ବିଦ୍ୟୁତ ଯୋଗାଣ କରାଯାଇଥିଲା। ସେହିପରି ମନ୍ଦିର ପରିସରରେ ୨୪ଘଂଟିଆ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବା ସହିତ ଆରଡି ମେଡିକାଲରେ ସ୍ୱତନ୍ତ୍ର ଡ଼ାକ୍ତର ଟିମ୍ ସହ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି କାଉଡିଆ ଭକ୍ତଙ୍କର ଶୃଙ୍ଖଳିତ ଜଳଲାଗି ଓ ଦର୍ଶନ ନିମନ୍ତେ ଭଦ୍ରକ ଏସପି ମନୋଜ ରାଉତଙ୍କ ନେତୃତ୍ୱରେ ଏଏସପି ଅଂଶୁମାନ ଦ୍ୱିବେଦୀ, ଧାମନଗର ଏସଡିପିଓ ବିଷ୍ଣୁ ଚରଣ ବାରିକ, ଧୁଷୁରୀଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଆରଡି ଫାଣ୍ଡିଅଧିକାରୀ ପ୍ରଦୀପ ନାୟକଙ୍କ ସହ ୬ଜଣ ଡିଏସପି, ୨୫ଜଣ ଅଫିସର , ୧୨ପ୍ଲାଟୁନ ପୁଲିସ ଫୋର୍ସ ଟ୍ରାଫିକ ଅଫିସର ସଜାଗ ରହିଥିଲେ। ତାହାସହ ନଦୀ ପଥରେ ଆସୁଥିବା କାଉଡିଆଭକ୍ତଙ୍କର ସୁରକ୍ଷାକୁ ଆଖି ଆଗରେ ରଖି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ରହିଥିଲେ। ଏପରିକି ପୀଠରେ ଥିବା ତିନିତର, ମୁଁଆ, ଧାନଖଣିଆ ୩ଟି ନଦୀ ଘାଟର ଉଭୟ ପାର୍ଶ୍ୱରେ ଆଲୋକିକରଣ ସହ ବ୍ୟାପକ ପୁଲିସ ମୁତୟନ ରହିଥିଲେ। ବିଶେଷକରି ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ ଉଛୁଳା ରହିବା ସହ ହିଂସ୍ର କୁମ୍ଭୀର ଥିବାରୁ ସମସ୍ତ ନଦୀରେ କଟକଣାର ସହ ପାଣି ଉଠାଇଥିଲେ କାଉଡ଼ିଆ। ମନ୍ଦିର ଭିତରେ ଓ ବାହାରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଭଦ୍ରକ ସତ୍ୟସାଇ ସେବା ସଂଗଠନ ଓ ପାଳସାହିସ୍ଥିତ ବାବାମଣି ମହାବିଦ୍ୟାଳୟ ଅଧ୍ୟାପକ ବିଜୟ କୁମାର ଦାଶଙ୍କ ନେତୃତ୍ୱରେ ୩୦ଜଣ ଛାତ୍ରଛାତ୍ରୀ ଓ ଆଖଣ୍ଡଳମଣି ମହାବିଦ୍ୟାଳୟ ୨୫ଜଣ ଛାତ୍ରଛାତ୍ରୀ ପୁଲିସ ସହ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ମନ୍ଦିର ବେଢ଼ା ଓ ଚତୁଃପାର୍ଶ୍ୱରେ ସଫେଇ କାର୍ଯ୍ୟ କରିଥିଲେ। ସେହିପରି କାଉଡିଆଙ୍କ ସୁବିଧା ନିମନ୍ତେ ବିଭିନ୍ନ ସେବାସଂସ୍ଥା ପକ୍ଷରୁ ପକ୍ଷରୁ ନିଶୁକ୍ଳରେ ୪୦ହଜାରରୁ ଉର୍ଦ୍ଧ କାଉଡିଆଙ୍କ ପାଇଁ ପ୍ରସାଦ ବିତରଣ ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା।
Home ଜିଲ୍ଲା ପରିକ୍ରମା ପବିତ୍ର ଶ୍ରାବଣମାସ : ୨ଦିନ ଧରି ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ଲକ୍ଷାଧିକ କାଉଡ଼ିଆ, ଶୃଙ୍ଖଳିତ...








