Home ଜିଲ୍ଲା ପରିକ୍ରମା ଜମିଜମା ବିବାଦରୁ ଉଗ୍ରରୂପ, ମହିଳା ଗୁରୁତର

ଜମିଜମା ବିବାଦରୁ ଉଗ୍ରରୂପ, ମହିଳା ଗୁରୁତର

24

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ବୟାଙ୍ଗଡିହି ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ରକରି ଉତେଜନା ପ୍ରକାଶ ପାଇଛି। ଏହି ବିବାଦକୁ ନେଇ ଘଟିଥିବା ମାଡ଼ପିଟ୍‌ରେ ବିନିଲତା ସାହୁ ନାମକ ଜଣେ ବିଧବା ମହିଳା ଗୁରୁତର ଆହତ ହୋଇ କଟକ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବାରମ୍ବାର ଚେତା ହରାଉଥିବା ପରିବାର ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ବୟାଙ୍ଗଡିହି ଗ୍ରାମର ସ୍ୱର୍ଗତ ଚକ୍ରଧର ସାହୁଙ୍କ ପତ୍ନୀ ବିନିଲତାଙ୍କ ପରିବାର ଓ ସେହି ଗ୍ରାମର ରଜତ ସାହୁ, ମାନସ ସାହୁ ଓ ସୁଶାନ୍ତ ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିଜମାକୁ ନେଇ ବିବାଦ ଲାଗିରହିଥିଲା। ଏ ସମ୍ପର୍କିତ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ସମ୍ପୃକ୍ତ ଜମିରେ କୌଣସି ନିର୍ମାଣ କାର୍ଯ୍ୟ ନକରିବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଗତ ୪ ଦିନ ତଳେ ବିବାଦୀୟ ସ୍ଥାନରେ ନିର୍ମାଣ କାର୍ଯ୍ୟକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିରୋଧ ଦେଖାଦେଇଥିଲା। ବିନିଲତାଙ୍କ ସମେତ ଦିଜବର ସାହୁ, ନିତ୍ୟାନନ୍ଦ ସାହୁ ଓ ଶଙ୍କର୍ଷଣ ସାହୁ ଏହାକୁ ବିରୋଧ କରି ଧୁଷୁରୀ ଥାନାରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ପରେ ପୁଣି ନିର୍ମାଣ କାର୍ଯ୍ୟ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହାକୁ ନେଇ ଗତ ଶୁକ୍ରବାର ଉଭୟ ପକ୍ଷ ମଧ୍ୟରେ ପୁଣି ଗଣ୍ଡଗୋଳ ଘଟିଥିଲା। ଏଥିରେ ରଜତ ସାହୁ, ମାନସ ସାହୁ ଓ ସୁଶାନ୍ତ ସାହୁ ମିଶି ବିନିଲତା ସାହୁଙ୍କୁ ମାଡ଼ ମାରି ଗୁରୁତର କରିଥିବା ପରିବାର ପକ୍ଷରୁ ଧୁଷୁରୀ ଥାନାରେ ଅଭିଯୋଗ ହୋଇଛି। ଘଟଣାରେ ବିନିଲତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଧାମନଗର ଡାକ୍ତରଖାନା, ପରେ ଭଦ୍ରକ ଓ ଶେଷରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଅନ୍ୟପକ୍ଷରେ, ପୁଲିସ ନ୍ୟାୟ ଦେବା ବଦଳରେ ଘଟଣାରେ ମାଡ଼ ଖାଇଥିବା ଦିଜବର ସାହୁ, ନିତ୍ୟାନନ୍ଦ ସାହୁ ଓ ଶଙ୍କର୍ଷଣ ସାହୁଙ୍କୁ ଧୁଷୁରୀ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ପକ୍ଷ ବିରୋଧରେ ପୁଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଇନଥିବା ନେଇ ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସର ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତମାନ ବିନିଲତା କଟକ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଦେଖାଶୁଣା କରିବାକୁ ନିକଟରେ କେହି ନଥିବା ଜଣାପଡ଼ିଛି। ତାଙ୍କ ୧୨ ବର୍ଷର ପୁଅ ହିଁ ମା’ଙ୍କ ନିକଟରେ ରହି ଚିକିତ୍ସା ସମୟରେ ଦେଖାଶୁଣା କରୁଥିବା ଜଣାପଡ଼ିଛି। ଘଟଣାରେ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନାନୁସାରେ ପଦକ୍ଷେପ ନେବା ସହ ଗୁରୁତର ଆହତ ମହିଳାଙ୍କୁ ନ୍ୟାୟ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି। ଏନେଇ ଥାନା ଏସ୍‌?ଆଇ ସୁଜାତା ସାହୁ କୁହନ୍ତି, ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା। ମାମଲା ରୁଜୁ କରାଯାଇ ଗୋଟିଏ ପକ୍ଷରୁ ୩ ଜଣ ଓ ଅନ୍ୟ ପକ୍ଷରୁ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.