Home ଜିଲ୍ଲା ପରିକ୍ରମା ରାଜ୍ୟସଭା ସାଂସଦ ମନମୋହନଙ୍କ ରାତିଅଧିଆ ସମୀକ୍ଷା ବୈଠକ,ରିଲିଫ୍ ଓ ଥଇଥାନକୁ ପ୍ରାଥମିକତା ଦେଲେ

ରାଜ୍ୟସଭା ସାଂସଦ ମନମୋହନଙ୍କ ରାତିଅଧିଆ ସମୀକ୍ଷା ବୈଠକ,ରିଲିଫ୍ ଓ ଥଇଥାନକୁ ପ୍ରାଥମିକତା ଦେଲେ

3

ଭଦ୍ରକ, ୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବିଳମ୍ବରେ ହେଲେବି ଗତକାଲି ସୋମବାର ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବାରସର, ଘଟପୁର, ନାଲଗୁଣ୍ଡା, ଭୂଇଁବୃତି, ମାଧପୁର ଓ ତେନ୍ତୁଳିଡିହ ପଂଚାୟତର ଅଧିକ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲିଥିଲେ। ପରିଦର୍ଶନ ସମୟରେ ପୀଡିତଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ରିଲିଫ୍ ପାଉଛନ୍ତି କି ନାହିଁ, ରନ୍ଧାଖାଦ୍ୟ ପାଇଛନ୍ତି କି ନାହିଁ, ଗାଈଗୋରୁଙ୍କ ଗୋଖାଦ୍ୟ ମିଳୁଛି କି ନାହିଁ ଅଂଚଳବାସୀଙ୍କୁ ପଚାରି ବୁଝିଥିଲେ। ସେହିପରି ଭଦ୍ରକ ସହର ଦେଇ ପ୍ରବାହିତ ସାଳନ୍ଦୀ ନଦୀର ବନ୍ୟା ଜଳାର୍ଣ୍ଣବ ହୋଇପଡିଥିବା ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଭଦ୍ରକ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ଥିଲେ। ପରେ ସାଂସଦ ଶ୍ରୀ ସାମଲ ଗତକାଲି ରାତି ୯.୩୦ ରେ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀଙ୍କ ସହ ବିଭିନ୍ନ ପ୍ରଶାସନିକ ଓ ଲାଇନ୍ ଡିପାର୍ଟମେଂଟର ସମସ୍ତ ଇଂଜିନିୟରମାନେ ଯୋଗ ଦେଇଥିଲେ। ଶ୍ରୀ ସାମଲ ଅନୁଷ୍ଠିତ ବୈଠକରେ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ୍ ଓ ଥଇଥାନ କାର୍ଯ୍ୟକୁ ପ୍ରାଥମିକତା ଦେଇଥିଲେ। ଯେଉଁ ଅଂଚଳର ଘର ଗୁଡିକରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି, କିପରି ନିଷ୍କାସନ ତୁରନ୍ତ ସଂପାଦନ ହେବ, ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଚାଷଜମି ଗୁଡିକୁ ସର୍ଭେ କରି ଶୀଘ୍ର ରିପୋର୍ଟ ଦେବାପାଇଁ କହିଥିଲେ। ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ବନ୍ୟା ପୀଡିତଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକର ସମୀକ୍ଷା କରିଥିଲେ। ସମୀକ୍ଷା ସମୟରେ ବୈଠକରେ ସୂଚନା ଦିଆଯାଇଥିଲା ଯେ ଚଳିତ ବନ୍ୟାରେ ୫ ଲକ୍ଷ ୬ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ୫୬ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିବା ସହ ୩୫ ଟି ମେଡିକାଲ ଟିମ୍ ବନ୍ୟାଅଂଚଳରେ ନିୟୋଜିତ କରାଯାଇଛି। ସାପ କାମୁଡାର ଶୀକାର ହୋଇଥିବା ୯୨ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କୁ ଆରୋଗ୍ୟ କରାଯାଇଛି। ୩ଟି ମୋବାଇଲ୍ ୱାଟର ଟ୍ରିଟ୍‌ମେଂଟ ପ୍ଲାଂଟ ଧାମନଗର ଓ ଚାନ୍ଦବାଲି ଅଂଚଳରେ ନିୟୋଜିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.