ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଓ ଏହାର ଶାଖା ନଦୀଗୁଡ଼ିକରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଜଳ ଧୀରେ ଧୀରେ ବାହାରି ଯାଉଥିଲେ ହେଁ ଧାମନଗର ଅଂଚଳରେ ବିପତିର କରାଳ ଛାୟା ଏବେ ବାସ୍ତବ ରୂପ ନେଇଛି। ବନ୍ୟା ପାଣି କମିବା ପରେ କ୍ଷତିର ଚିତ୍ର ସାମ୍ନାକୁ ଆସିଛି, ଯାହା ଗ୍ରାମୀଣ ଅର୍ଥନୀତି ଓ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ଧାମନଗର ବ୍ଲକର ପ୍ରାୟ ୯୦ ପ୍ରତିଶତ ଚାଷଜମି ଏଥର ବନ୍ୟା ଜଳରେ ବୁଡ଼ି ରହିଥିଲା। ମୁସ୍ତଫାପୁର, ଗୌଡବିଶି, ନୂଆପଡ଼ା, ଖଡ଼ିପଦା, କୋରକଦା, କରଦା, ସୋହଡ଼ା, ପଧାନି, ଆନନ୍ଦପୁର, ରାଧାବଲ୍ଲଭପୁର, ଧୁଷୁରୀ ଓ ଧାମନଗର ସମେତ ୩୦ଟି ଯାକ ପଞ୍ଚାୟତର ଚାଷଜମିରେ ପାଣି ମାଡ଼ି ଯାଇଥିଲା। ଚଳିତ ବର୍ଷ ବିଳମ୍ବରେ ମୌସୁମୀ ବର୍ଷା ହୋଇଥିବାରୁ ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ ଚାଷୀମାନେ ବିହନ ତଳି ପକାଇଥିଲେ। ସମ୍ପ୍ରତି ତଳି ଉପୁଡ଼ା ଓ ରୁଆପୋତା କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ମଙ୍ଗଳବାର ଆସିଥିବା ହଠାତ୍ ବନ୍ୟା ସବୁକିଛି ଭସାଇ ନେଇଛି। ଉପୁଡ଼ା ତଳି ଭାସିଯାଇଥିବା ବେଳେ ରୁଆ ହୋଇଥିବା ଧାନଗଛ ପଚିଯାଇଛି। ୫ ଦିନ ଧରି ତଳିପଟାଳି ପାଣିରେ ବୁଡ଼ି ରହିବାରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଋଣ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି କଂଟାପାରୀ, ପାହାଡ଼ପୁର, କୋରକଦା, ନନ୍ଦିପୁର, ପଧାନି, ଅସୁରାଳି ଓ ପାଳସାହି ଆଦି ନଦୀକୂଳିଆ ଅଂଚଳରେ ହୋଇଥିବା ବାଇଗଣ, କାଙ୍କଡ଼, ଭେଣ୍ଡି ଓ ଲଙ୍କା ପରିବା ଚାଷ ନାଲିପାଣି ଓ କାଦୁଅ ଯୋଗୁଁ ଶୁଖି ମରିଯାଇଛି। ଅପରପକ୍ଷେ, ସୋହଡ଼ା, ବାଲିପଡ଼ା, ଦୋବଲ, ଖଡ଼ିପଦା ଛକ ବଜାରରେ ଥିବା ଝାଟିମାଟି ଦୋକାନଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ହସନାବାଦ ପଂଚାୟତର ଗୋପବନ୍ଧୁନଗର ଓ ଅନଳଡିହ ଗାଁରେ ଘର ଭିତରେ ପାଣି ପଶିଯିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ। ହଠାତ୍ ପାଣି ମାଡ଼ି ଆସିବାରୁ ଘରକରଣା ଜିନିଷ, ଲୁଗାପଟା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସହ ଛାତ୍ରଛାତ୍ରୀଙ୍କ ବହିପତ୍ର ଭାସିଯାଇଛି। ନଡ଼ା ଗଦି ଓ ଶୁଖିଲା ଘାସ ନଷ୍ଟ ହୋଇଯିବାରୁ ଦଳାଙ୍ଗ, କଂଟିଦୋଳ, ପଧାନି ଅଂଚଳରେ ଲୋକେ ଗୃହପାଳିତ ପଶୁଙ୍କୁ ନଦୀବନ୍ଧରେ ଜରିପାଲ ତଳେ ରଖିଛନ୍ତି। ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ସମୟରେ ଗୋ-ଖାଦ୍ୟ ପହଂଚି ପାରିନାହିଁ। ଦୂଷିତ ପାଣି ପିଇ ଗୋରୁଗାଈଙ୍କ ମଧ୍ୟରେ ଚରମା, ଫୁଟ-ଏଣ୍ଡ-ମାଉଥ୍ ଓ ଦେହରେ ଚକଡ଼ା ଚକଡ଼ା ଫଳିଯାଉଥିବା ଦେଖାଦେଇଛି। କୁକୁଡ଼ା ଫାର୍ମ ଓ ମାଛ ପୋଖରୀ ଭାସିଯିବାରୁ ବ୍ୟାପକ କ୍ଷତି ଘଟିଛି। ଗଛଲତା ପଚି ଦୁର୍ଗନ୍ଧ ବାହାରୁଥିବାରୁ ଡେଙ୍ଗୁ, ମ୍ୟାଲେରିଆ, ଜଣ୍ଡିସ ଓ ଚର୍ମରୋଗ ବ୍ୟାପିବା ଆଶଙ୍କା ଦେଖାଦେଇଛି। ଖଡ଼ିପଦା-ଆନନ୍ଦପୁର ରାସ୍ତା, ଧାମନଗର-ଷେଣ୍ଢପୁର, ଧାମନଗର-ଫଳପୁର (ରାମେଶ୍ୱରପୁର ଗେଟ୍), ବିରୁହାଁ-ଜାହାଙ୍ଗୀର, ସୋହଡ଼ା-ପଧାନି, ଧାମନଗର-କୋଠାର, ଧୁଷୁରୀ-ଆଖଣ୍ଡଳମଣି ଓ ଗୋହିରାଟିକିରି-କାଞ୍ଜିଆପାଳ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇ ବିପଜ୍ଜନକ ହୋଇପଡ଼ିଛି। କଂକ୍ରିଟ ତଳୁ ମାଟି ଖସିଯିବାରୁ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। ବନ୍ୟା ପରବର୍ବୀ ସ୍ଥିତି ଓ ସରକାରୀ ସାହାଯ୍ୟ ଅଭାବକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶାସନ ଉପରେ ବର୍ଷିଛନ୍ତି। ଧାମନଗର ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରମେଶ ବେହେରା କହିଛନ୍ତି “ଚଳିତ ବନ୍ୟାର ମୁକାବିଲାରେ ଏ ସରକାର ପୂରା ବିଫଳ। ଅନେକ ସ୍ଥାନରେ ବନ୍ୟାବିପନ୍ନଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ। ଗୋଟିଏ ୫ ଟଙ୍କିଆ ବିସ୍କୁଟ୍ ପ୍ୟାକେଟ୍ ଓ ୨୦୦ ଗ୍ରାମ୍ ଚୁଡ଼ାରେ କ’ଣ ଲୋକ ବଂଚିବେ! ଏ ବନ୍ୟାରେ କେବଳ ଭଗବାନଙ୍କ ଦୟାରୁ ଲୋକେ ବଂଚିଗଲେ।”ସେହିପରି ପୂର୍ବତନ ବିଜେଡି ବ୍ଲକ ସଭାପତି ଉମେଶ ମହାନ୍ତି ପ୍ରଶାସନିକ ଅବହେଳାକୁ ସାମ୍ନାକୁ ଆଣି କହିଛନ୍ତି “ଏଥର ଯେଉଁ ବନ୍ୟା ହେଲା, ପ୍ରଶାସନ ଆଗୁଆ ପଦକ୍ଷେପ ନ ନେବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ। ବନ୍ୟାର ୬ ଦିନ ବିତିଯାଇଥିଲେ ବି ପ୍ରଶାସନ କୌଣସି ଠୋସ୍ ପଦକ୍ଷେପ ନେଇପାରିଲା ନାହିଁ। ବନ୍ୟାବିପନ୍ନମାନେ ଏବେ ହାହାକାର ଅବସ୍ଥାରେ ଅଛନ୍ତି।’
Home ଜିଲ୍ଲା ପରିକ୍ରମା ପାଣି ଛାଡ଼ିଲା, ଦୁର୍ଦ୍ଦଶା ବଢ଼ିଲା,ଧାମନଗରରେ ଧ୍ୱଂସ ହେଲା ଖରିଫ ଧାନ ଚାଷ, ଭାସିଗଲା ଚାଷୀଙ୍କ ସ୍ୱପ୍ନ








