Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି : ୫ଟି ବ୍ଲକର ୩୨୨ଟି ଗ୍ରାମ ପ୍ରଭାବିତ, ୫୪ ହଜାରରୁ...

ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି : ୫ଟି ବ୍ଲକର ୩୨୨ଟି ଗ୍ରାମ ପ୍ରଭାବିତ, ୫୪ ହଜାରରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା ଯୋଗୁଁ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି ବନ୍ଦ

4

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ, ଭଦ୍ରକଙ୍କ ନିର୍ଦ୍ଦେଶକ୍ରମେ ୩୦ଜୁଲାଇ ୨୦୨୬ (ଗୁରୁବାର) ଦିନ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରଖାଯାଇଛି। ତେବେ, ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବେ ଏବଂ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ସେମାନେ ତୁରନ୍ତ ଦାୟିତ୍ୱ ପାଳନ କରିବେ। ଲଗାଣ ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଜାରି ରହିଛି। ଜିଲ୍ଲା ପ୍ରଶାସନର ସନ୍ଧ୍ୟା ୫ଟା ସୁଦ୍ଧାର ଦୈନିକ ସ୍ଥିତି ରିପୋର୍ଟ ଅନୁଯାୟୀ, ତିହିଡ଼ି, ବାସୁଦେବପୁର, ଧାମନଗର, ଭଦ୍ରକ ଓ ଭଣ୍ଡାରିପୋଖରୀ ସମେତ ୫ଟି ବ୍ଲକର ୭୨ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୩୨୨ଟି ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି। ଏହା ସହ ଧାମନଗର ଏନଏସି, ଭଦ୍ରକ ପୌରପାଳିକା ଓ ଧୂଷୁରୀ ଏନଏସିର ୧୩ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ଜିଲ୍ଲାରେ ମୋଟ ୩,୩୯,୭୭୦ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୫୪,୧୮୪ ଜଣଙ୍କୁ ସୁରକ୍ଷିତ ସ୍ଥାନ ଓ ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ୧୯୫ଟି ମାଗଣା ରୋଷେଇ କେନ୍ଦ୍ର ଓ ରିଲିଫ୍ କେନ୍ଦ୍ର ଖୋଲାଯାଇଛି ଏବଂ ସମସ୍ତ ୫୪,୧୮୪ ଜଣ ହିତାଧିକାରୀଙ୍କୁ ଖାଦ୍ୟ ସହାୟତା ପ୍ରଦାନ କରାଯାଉଛି। ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ମାନବ ମୃତାହତ ଘଟଣା ଘଟିନାହିଁ। ପଶୁସମ୍ପଦ କ୍ଷେତ୍ରରେ ୧୮୫ଟି ବଡ଼ ପଶୁ ଓ ୨୨୬ଟି ଛୋଟ ପଶୁ ପ୍ରଭାବିତ ହୋଇଥିବା ବେଳେ କୌଣସି ପଶୁ ମୃତ୍ୟୁର ସୂଚନା ମିଳିନାହିଁ। ଫସଲ କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ଘରବାଡ଼ି କିମ୍ବା ଭିତିଭୂମି କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ। ରିଲିଫ୍ ସାମଗ୍ରୀ ଭାବେ ଆଜି ୧୬୬.୩୩ କ୍ୱିଂଟାଲ ଚୁଡ଼ା ଓ ୧୭.୭୮ କ୍ୱିଂଟାଲ ଗୁଡ଼/ଚିନି ବଂଟନ କରାଯାଇଛି। ଜିଲ୍ଲାରେ ୧୪ଟି ମେଡିକାଲ ଟିମ୍ ଓ ୫ଟି ପଶୁ ଚିକିତ୍ସା ଟିମ୍ ନିୟୋଜିତ ରହିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୩ଟି ଏନ୍‌ଡିଆରଏଫ୍ ଓ ୪ଟି ଓଡ୍ରାଫ୍ ଦଳ ବିଭିନ୍ନ ପ୍ରଭାବିତ ଅଂଚଳରେ ମୁତୟନ ହୋଇ ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କ୍ରମାଗତ ନଜର ରଖାଯାଇଥିବା ବେଳେ ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.