Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ,ବିଭିନ୍ନ ଦାବି ନେଇ ପ୍ରଶାସନ ସହ...

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ,ବିଭିନ୍ନ ଦାବି ନେଇ ପ୍ରଶାସନ ସହ ଆଲୋଚନା

6

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଳିଛି। କର୍ମଚାରୀମାନେ ନିଜର ଦୀର୍ଘଦିନର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ଉଠାଇ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଥିଲେ। ସେମାନଙ୍କ ଅଭିଯୋଗରୁ ଯାହା ଜଣାଯାଏ ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ମନଇଚ୍ଛା ଭାବେ କାର୍ଯ୍ୟ ଦିଆଯିବା ସହିତ କାର୍ଯ୍ୟ ସମୟ ମଧ୍ୟ ଅତ୍ୟଧିକ ଭାବେ ଦିଆ ଯାଉଛି। ଫଳରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଦୁର୍ଘଟଣା ର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ମାନେ। ତେଣୁ ଆମ୍ବୁଲାନ୍ସ ପରିଚାଳନା କରୁଥିବା କମ୍ପାନୀ କର୍ତୃପକ୍ଷଙ୍କ ମନମାନିକୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲାରେ ସବୁ ୧୦୮ ଆମ୍ବୁଲାନ୍ସ ସେବା କୁ ବନ୍ଦ କରିଦେଇଥିଲେ କର୍ମଚାରୀମାନେ। ଫଳରେ ରୋଗୀ ମାନେ ଯିବାଆସିବା ପାଇଁ ଅସୁବିଧାରେ ରେ ସମୁଖୀନ ହୋଇଥିଲେ। ଏପରିକି ୧୦୮ ଆମ୍ବୁଲାନ୍ସର ସବୁ କର୍ମଚାରୀ ଭଦ୍ରକ ଜିଲ୍ଲା ହସ୍ପିଟାଲ ମଧ୍ୟରେ ଆମ୍ବୁଲାନ୍ସ ରଖି ଧାରଣାରେ ବସିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଆମ୍ବୁଲାନ୍ସ ପରିଚାଳନା ଭାର ନେଇଥିବା କମ୍ପାନୀ ର ଅଧିକାରୀ ପ୍ରତ୍ୟେକ କର୍ମଚାରୀ ଙ୍କୁ ୮ ଘଂଟା ବଦଳ ରେ ୧୨ /୧୪ ଘଂଟା ଡିଉଟି ଦେଉଛନ୍ତି। ଫଳରେ ସେମାନେ ବିଶ୍ରାମ ନେଇ ପାରୁ ନାହାନ୍ତି। ଏହା ଦ୍ୱାରା ଦୁର୍ଘଟଣା ର ଶିକାର ହେଉଛନ୍ତି ବୋଲି କହିବା ସହିତ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ଆନ୍ଦୋଳନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମ୍‌ଓ ଓ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା କରୁଥିବା କମ୍ପାନୀର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। କର୍ମଚାରୀମାନେ ସେମାନଙ୍କ ଦାବିଗୁଡ଼ିକ ଶୀଘ୍ର ସମାଧାନ କରିବାକୁ ଦାବି କରିଥିଲେ। ଆଲୋଚନା ପରେ ସିଡିଏମ୍‌ଓ କର୍ମଚାରୀଙ୍କ ଦାବି ଉପରେ ବିଚାର କରିବା ପାଇଁ ସାତ ଦିନ ସମୟ ମାଗିଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ଦିଆଯାଇଥିବା ଜଣାପଡ଼ିଛି। ଆଲୋଚନା ପରେ କର୍ମଚାରୀମାନେ ପରବର୍ତୀ ପଦକ୍ଷେପ ସମ୍ପର୍କରେ ସଂଗଠନ ସ୍ତରରେ ନିଷ୍ପତି ନେବେ ବୋଲି ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କିଛି ସମୟ ପାଇଁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଆଲୋଚନା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.