Home ଜିଲ୍ଲା ପରିକ୍ରମା ଭଦ୍ରକରେ ଇଲେକ୍ଟୋରାଲ ରୋଲ୍ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ଭଦ୍ରକରେ ଇଲେକ୍ଟୋରାଲ ରୋଲ୍ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

4

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ନିମନ୍ତେ ଇଲେକ୍ଟୋରାଲ ରୋଲ୍ ପର୍ଯ୍ୟବେକ୍ଷକ ତଥା ଉଚ୍ଚଶିକ୍ଷା ବିଭାଗର କମିଶନର-କମ୍‌-ସଚିବ ଅରବିନ୍ଦ ଅଗ୍ରୱାଲ, ବୁଧବାର ଭଦ୍ରକ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାର ପ୍ରଥମ ଗସ୍ତ ଅବସରରେ ସେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲୀପ ରାଉତରାୟଙ୍କ ସହ ସମ୍ପୃକ୍ତ ନିର୍ବାଚନ ଅଧିକାରୀମାନଙ୍କୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ବର୍ତମାନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ବୈଠକରେ ପରିଗଣନା ଫର୍ମ ସଂଗ୍ରହ, ଫର୍ମଗୁଡ଼ିକର ଯାଂଚ, ଡିଜିଟାଇଜେସନ୍ ପ୍ରକ୍ରିୟା, ଦାବି ଓ ଆପତି ଗ୍ରହଣ, କ୍ଷେତ୍ରସ୍ତରରେ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ସମେତ ସଂଶୋଧନ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନେ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ। ପର୍ଯ୍ୟବେକ୍ଷକ ଶ୍ରୀ ଅଗ୍ରୱାଲ ନିର୍ବାଚନ ଆୟୋଗଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ଅନୁପାଳନ କରି ସ୍ୱଚ୍ଛ, ନିର୍ଭୁଲ ଓ ସମୟସୀମା ଭିତରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସମ୍ପନ୍ନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେ କ୍ଷେତ୍ରସ୍ତରରେ ଚାଲିଥିବା କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରି କାର୍ଯ୍ୟରେ ଅଧିକ ସମନ୍ୱୟ ଓ ଗୁଣାତ୍ମକତା ବଜାୟ ରଖିବାକୁ ଗୁରୁତ୍ୱାରୋପ କରିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ସରୋଜ ଦତ, ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ୱ ) ତଥା ଅତିରିକ୍ତ ଜ଼ିଲ୍ଲା ନିର୍ବାଚନ ଅଧିକାରୀ ରବି ନାରାୟଣ ସାହୁ, ଉପଜ଼ିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଉପଜ଼ିଲ୍ଲାପାଳ ତାପସ କୁମାର ସେଠୀ, ଭଦ୍ରକ ତହସିଲଦାର ସଂଗ୍ରାମ ଖୁଂଟିଆ, ଭଦ୍ରକ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମଲ୍ଲିକ, ଡେପୁଟି କଲେକ୍ଟର (ଇଲେକ୍ସନ ) ସାଗରିକା ସାହୁ ଓ ଡେପୁଟି କଲେକ୍ଟର ପ୍ରତିମା ନାୟକ, ସହାୟକ ଜ଼ିଲ୍ଲାପାଳ ଶାଶ୍ୱତ ପଟ୍ଟନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ମିଡ଼ିଆ ନୋଡାଲ ଅଫିସର (ନିର୍ବାଚନ ) ମଧୁସ୍ମିତା ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.