Home ଜିଲ୍ଲା ପରିକ୍ରମା ଚରମ୍ପା ଅଂଚଳରେ ନୂତନ ମଦ ଦୋକାନ ନଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର , ଦୋକାନ ଖୋଲିଲେ ରାଜରାସ୍ତାକୁ...

ଚରମ୍ପା ଅଂଚଳରେ ନୂତନ ମଦ ଦୋକାନ ନଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର , ଦୋକାନ ଖୋଲିଲେ ରାଜରାସ୍ତାକୁ ଓହ୍ଲାଇବେ ସ୍ଥାନୀୟ ବାସିନ୍ଦା

5

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ଅଂଚଳରେ ଏକ ନୂତନ ମଦ ଦୋକାନ ଖୋଲିବାକୁ ଅନୁମତି ନଦେବା ନେଇ ଆଜି ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁଙ୍କୁ ଦାବିପତ୍ର ଦେଇଛନ୍ତି। ଏ ସଂପର୍କରେ ଚରମ୍ପା ଅଂଚଳର ସୁବ୍ରତ କୁମାର ଦାସ, କିଶୋର ଚନ୍ଦ୍ର ବାରିକ, ନରେନ୍ଦ୍ର କୁମାର ଦାସ, ସନ୍ତୋଷ କୁମାର ଧଳଙ୍କ ସମେତ ବହୁ ମହିଳା ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେଇଥିବା ଦାବିପତ୍ରରେ ଥିବା ତଥ୍ୟ ଅନୁସାରେ ଚରମ୍ପା ଅଂଚଳରେ ଜିଲାର ମୁଖ୍ୟ ରେଳଷ୍ଟେସନ ରହିଥିବାବେଳେ ପଡୋଶୀ ପାଂଚଗୋଟି ଜିଲାର ଯାତ୍ରୀମାନେ ଯାତାୟତ କରିଥାନ୍ତି। ଏତଦବ୍ୟତୀତ ଚରମ୍ପା ବଜାର ରେଳଷ୍ଟେସନ ଅଂଚଳରେ ଆରସିବିଏଲ୍ ଉଚ୍ଚ ବିଦ୍ୟାଳୟ, ଆରସିବିଏଲ୍ ପ୍ରାଥମିକ ବିଦ୍ୟାଳୟ, ଚରମ୍ପା ବାଳିକା ଉଚ୍ଚବିଦ୍ୟାଳୟ, ହାପିହୋମ୍ ବିଦ୍ୟାଳୟ, ବାଘମରା ପ୍ରାଥମିକ ବିଦ୍ୟାଳୟ, ଡଗରାସାହି ପ୍ରାଥମିକ ବିଦ୍ୟାଳୟ, ହନୁମାନ ଜୀଉ ପ୍ରାଥମିକ ବିଦ୍ୟାଳୟ ଭଳି ବହୁ ଶିକ୍ଷାନୁଷ୍ଠାନ ରହିଛି। ଏତଦ୍‌ବ୍ୟତୀତ ଏଠାରେ ଲକ୍ଷ୍ମୀନାରାୟଣ ମନ୍ଦିର, ମା’ ଦୁର୍ଗା କାଳୀ ମନ୍ଦିର, ହନୁମାନ ଜୀଉ ମନ୍ଦିର, ଶନି ମନ୍ଦିର, ଶୀରାମ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ଅନେକ ମସଜିଦ୍ ଓ ଚର୍ଚ୍ଚ ରହିଛି। ଫଳରେ ହଜାର ହଜାର ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବା ପାଇଁ ଏଠାକୁ ଯିବାଆସିବା କରିଥାନ୍ତି। ଏବଂ ଚରମ୍ପା ବଜାରର ମାତ୍ର ଶହେ ମିଟର ମଧ୍ୟରେ ଅନେକ କଲୋନୀ, ଆଦିବାସୀ ବସ୍ତି ରହିଅଛି। ଏହି ଆଦିବାସୀ ବସ୍ତିର ବହୁ ଲୋକ ଦିନ ମଜୁରିଆ ଅଟନ୍ତି। ଏଭଳି ପରିସ୍ଥିତିରେ ଏଠାରେ ଏକ ନୂତନ ମଦ ଦୋକାନ ଖୋଲିବାକୁ ଯାଉଛି। ଏହି ମଦ ଦୋକାନ ଖୋଲିଲେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଯାତାୟତରେ ନାନା ବିଶୃଙ୍ଖଳା ସୃଷ୍ଟି ହେବ। ବିଶେଷକରି ଏହା ଖୋଲାଗଲେ ମଦ୍ୟପଙ୍କ ଆଡ୍ଡା ଜମିବା ଫଳରେ ଛାତ୍ରଛାତ୍ରୀଙ୍କ ଉପରେ ଏହାର କୁପ୍ରଭାବ ପଡିବ। ପ୍ରତ୍ୟେକଦିନ ଷ୍ଟେସନ ବଜାରକୁ ଆସୁଥିବା ମହିଳାମାନେ ଅସାମାଜିକ ତତ୍ୱଙ୍କ ଅଶ୍ଳୀଳ ଇଙ୍ଗିତର ସମ୍ମୁଖୀନ ହେବେ। ଏପରିକି ଆଦିବାସୀ କଲୋନୀରେ ରହୁଥିବା ଦିନ ମଜୁରିଆ ମଦ୍ୟପାନ କରିବା ଫଳରେ ସେମାନଙ୍କର ଆର୍ଥିକ ଅବସ୍ଥା ଖରାପ ହେବା ସହ ପାରିବାରିକ ଅଶାନ୍ତି ଦେଖାଦେବ। ଏଣୁ ଜିଲାପାଳ, ସ୍ଥାନୀୟ ଜନସାଧାରଣ ଗରିବ ଶ୍ରେଣୀର ସାମାଜିକ ବ୍ୟକ୍ତି ବିଶେଷଙ୍କ ହିତ ପାଇଁ ଉକ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ନଦେବାକୁ ସେମାନେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦାମାନେ ରାଜରାସ୍ତାକୁ ଆସି ଅନଶନ କରିବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ରର ନକଲ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲା ଆରକ୍ଷୀ ଅଧୀକ୍ଷକ, ଜିଲା ଅବକାରୀ ଅଧୀକ୍ଷକ ଏବଂ ଅବକାରୀ କମିଶନରଙ୍କୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.