Home ଜିଲ୍ଲା ପରିକ୍ରମା ବିଧାୟକଙ୍କ ସମୀକ୍ଷା ବୈଠକ, ସହରର ବିକାଶ କାର୍ଯ୍ୟରେ ବିଳମ୍ବ ନେଇ ଖପ୍ପା ହେଲେ ଭଦ୍ରକ ବିଧାୟକ...

ବିଧାୟକଙ୍କ ସମୀକ୍ଷା ବୈଠକ, ସହରର ବିକାଶ କାର୍ଯ୍ୟରେ ବିଳମ୍ବ ନେଇ ଖପ୍ପା ହେଲେ ଭଦ୍ରକ ବିଧାୟକ ସୀତାଂଶୁ

7

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉଚ୍ଛେଦ ପରେ ସହରର ବିକାଶ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଥିବା ନେଇ ଭଦ୍ରକ ବିଧାୟକ ପ୍ରଶାସନ ଉପରେ ଖପ୍ପା ହୋଇଛନ୍ତି। ବାରମ୍ବାର ତାଗିଦ ସତ୍ୱେ ସହରରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ୱିତ ହେଉନଥିବା ନେଇ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ନିଜର ଅସନ୍ତୋଷ ଜାହିର କରିଛନ୍ତି। ସହରର ବିକାଶ ପାଇଁ ରାସ୍ତା ପାଶ୍ୱର୍ ଉଠାଦୋକାନୀଙ୍କୁ ଗତ ଦୁଇବର୍ଷ ତଳେ ଉଠାଇ ଦିଆଗଲା। ରାସ୍ତା ପାଶ୍ୱର୍ରେ ଜୀବିକା ନିର୍ବାହ କରୁଥିବା ଉଠାଦୋକାନୀ ଗୁଡିକ ଏବେ ନାନା ଦୁଃଖ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଛନ୍ତି। ଅଥଚ ସହରର ବିକାଶ କାର୍ଯ୍ୟ ବିଶେଷକରି ମୁଖ୍ୟ ରାସ୍ତା ଓ ଡ୍ରେନ୍ ଗୁଡିକର ନିର୍ମାଣ କାର୍ଯ୍ୟରେ ବିଭାଗୀୟ କର୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ବଢିଚାଲିଛି। ଦଳ ଏଥିପାଇଁ ନିନ୍ଦିତ ହେଉଛି। ଉଠାଦୋକାନୀମାନଙ୍କୁ ପ୍ରଶାସନ ତଡିଦେବାରେ ବିଳମ୍ବ ହେଲାନାହିଁ। କିନ୍ତୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ବାଟ ଓଗାଳିଥିବା ଇଲେକ୍ଟ୍ରି ବିଦ୍ୟୁତ୍ ଖୁଂଟକୁ ସ୍ଥାନାନ୍ତରିତ ହେଉନଥିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ସଦ୍‌ଭାବନା ଗୃହରେ ଅନୁଷ୍ଠିତ ବିଧାୟକଙ୍କ ସମୀକ୍ଷା ବୈଠକରେ ସେ ମତ ରଖିଥିଲେ। ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ବିକାଶଧାରାକୁ ଶୀଘ୍ର ଆଗେଇନେବାକୁ ବୈଠକରେ କହିଥିଲେ। ସାତଦିନ ମଧ୍ୟରେ ଅପର୍ତିବିନ୍ଧା ଛକଠାରୁ ସନସାଇନ୍ ମିଶନ ସ୍କୁଲ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ସହ ରାସ୍ତାପଶ୍ୱର୍ରେ ପେଭର କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଦ୍ୟୁତ୍ ଖୁଂଟଗୁଡିକର ଶୀଘ୍ର ଅପସାରଣ ପାଇଁ କଡା ତାଗିଦ କରିଥିଲେ। ରାସ୍ତା ପାଶ୍ୱର୍ ଡ୍ରେନ୍ ଗୁଡିକର ନିର୍ମାଣ କାର୍ଯ୍ୟରେ ଗୁଣାବତାକୁ ଦୃଷ୍ଟିରେ ରଖି ସମ୍ପାଦନ କରିବାକୁ ମଧ୍ୟ ତାଗିଦ କରିଥିଲେ। ଯଦି ନିମ୍ନମାନର ନିର୍ମାଣ କାର୍ଯ୍ୟ ହୁଏ କିମ୍ବା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ନହୁଏ, ତେବେ ସଂପୃକ୍ତ ଠିକାଦାର ସଂସ୍ଥା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବ୍ଲାକ୍ ଲିଷ୍ଟେଡ୍ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ଏକତା ମାର୍କେଟ୍ ନିକଟରେ ମୁଖ୍ୟ ରାସ୍ତାରେ ଡ୍ରେନ୍ ଉପରେ ଥିବା ବ୍ରିଜ୍ କୁ ଚଉଡା କରିବା ସହ ନାଳଟିର ନୂଆ ନିର୍ମାଣ କାର୍ଯ୍ୟ କରି ଜଳ ନିଷ୍କାସନ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଜୋର ଦେଇଥିଲେ। ଆସନ୍ତା ସମୀକ୍ଷା ବୈଠକରେ ଏହିସବୁ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସେ ଅନୁଧ୍ୟାନ କରିବେ ବୋଲି କହିଥିଲେ। ବିକାଶ କାର୍ଯ୍ୟରେ ପ୍ରଶାସନର ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରାଇଥିଲେ। ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲାପାଳ ଡଃ ଦିଲୀପ ରାଉତରାଏ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ, ପୂର୍ତ ବିଭାଗ ଅଧିକାରୀ ଓ ଠିକାଦାର ସଂସ୍ଥାର ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.