Home ଜିଲ୍ଲା ପରିକ୍ରମା ବନ୍ଧୁକ ଦେଖାଇ ଲୁଟିନେଲେ ପାଖାପାଖି କୋଟିଏ ଟଙ୍କା ମୂଲ୍ୟର ସମ୍ପତି

ବନ୍ଧୁକ ଦେଖାଇ ଲୁଟିନେଲେ ପାଖାପାଖି କୋଟିଏ ଟଙ୍କା ମୂଲ୍ୟର ସମ୍ପତି

8

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ଗଣିଜଙ୍ଗ ହାସିନପୁରରେ ବନ୍ଧୁକ ମୁନରେ ଏକ ବଡ଼ ଧରଣର ଡକାୟତି ହୋଇଛି। ଏହି ଡକାୟତିରେ ବନ୍ଧୁକ ଧାରୀ ପ୍ରାୟ କୋଟିଏରୁ ଉର୍ଦ୍ଧ ସୁନା ଗହଣା ସମେତ ନଗଦ ଟଙ୍କା ଲୁଟି ପଳାଇଯାଇଛନ୍ତି। ହାସିନପୁର ନିବାସୀ ପଂଚାନନ ପ୍ରଧାନଙ୍କ ପୁତ୍ର ପ୍ରୀତି ପ୍ରକାଶ ପ୍ରଧାନ ଗ୍ରାମାଂଚଳ ଥାନାରେ ଦେଇଥିବା ଏତଲାରୁ ଜଣାଯାଇଛି ଯେ ଗତକାଲି ରାତି ୮.୪୫ ମିନିଟ୍‌ରେ ସେ ନିଜ ମା, ଭଉଣୀ ଓ ପତ୍ନୀଙ୍କ ସହ ଘରେ ଥିଲେ। ସେହି ସମୟରେ ବାହାର ଗେଟ ପାଖରେ କେହି ଡାକିବାର ଶୁଣିବାକୁ ପାଇଥିଲେ। ସେ କବାଟ ଖୋଲି ଦେଖିବାରୁ ମୁହଁରେ କଳା ମାସ୍କ ପିନ୍ଧିଥିବା ୮ ଜଣ ଦୁର୍ବୁର୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ଘର ଭିତରକୁ ପଶି ଆସିଥିଲେ। ତାଙ୍କୁ ଭୟଭୀତ କରାଇ ଉପର ମହଲା ରେ ଥିବା ଲକର ରୁ ପ୍ରାୟ ୯୦ ଲକ୍ଷରୁ ଉର୍ଦ୍ଧ ସୁନା ଗହଣା ଓ ନଗଦ ୧୨ ଲକ୍ଷ ଟଙ୍କା ନେଇ ବାହାର ପଟୁ ଲକ କରି ଫେରାର ହୋଇ ଯାଇଥିଲେ। ପରେ ସେମାନେ କବାଟ ଭାଙ୍ଗି ବାହାରକୁ ବାହାରି ସମସ୍ତ ବିଷୟ ଜାଣିବାକୁ ପାଇ ଫୋନ ଯୋଗେ ପୋଲିସକୁ ଜଣାଇ ପରେ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଭିତିକରି ଗ୍ରାମାଂଚଳ ଥାନାରେ ଏକ ମାମଲା (କେଶ୍ ନଂ ୫୪୧/୨୬) ରୁଜୁ ହୋଇଛି। ଡକାୟତ ମାନେ ସେମାନଙ୍କ ଘରେ ଲାଗିଥିବା ସି ସି ଟିଭି କ୍ୟାମେରାର ହାର୍ଡ ଡିସ୍କ ଭାଙ୍ଗି ନେଇଯାଇଥିବାର ଜଣା ପଡିଛି। ଏହି ଘଟଣାରେ ଏସ ପି ମନୋଜ ରାଉତ ଜିଲ୍ଲା ଓ ପାଖ ଜିଲ୍ଲାର ବିଭିନ୍ନ ଥାନାକୁ ସୂଚନା ଦେବାସହ ଥାନାଧିକାରୀ ସୁବ୍ରତ ଦାସଙ୍କ ସମେତ ଅନ୍ୟ ପଦାଧିକାରୀଙ୍କୁ ଦୁର୍ବୃତଙ୍କ ସନ୍ଧାନ ନେଉଥିବାର ଜଣା ଯାଇଛି। ପୋଲିସ ରାସ୍ତା ପାଖ ଦୋକାନ ଓ ବିଭିନ୍ନ ଘରେ ଲାଗିଥିବା ସି ସି ଟିଭି ରୁ ଏକ ଲାଲ ରଙ୍ଗର କାର ସହ ଦୁଇଟି ଚାରି ଚକିଆ ଯାନ ରେ ଡକାୟତ ମାନେ ଭଦ୍ରକ ଆନନ୍ଦପୁର ରାସ୍ତାରେ କେନ୍ଦୁଝର ଜିଲ୍ଲାକୁ ଖସି ଯାଇଥିବାର ଅନୁମାନ କରିଛି। ଏଠାରେ ସୂଚନାଯୋଗ୍ୟ ବିଶିଷ୍ଠ ଯୁବ ବ୍ୟବସାୟୀ ପ୍ରୀତି ପ୍ରକାଶଙ୍କର ନିକଟରେ ବିବାହ ହୋଇଥିବାରୁ ଡକାୟତିରେ ସ୍ଥାନୀୟ ଅପରାଧୀଙ୍କର ସମ୍ପୃକ୍ତି ରହିଥିବାର ସନ୍ଦେହ କରାଯାଉଛି। ବିଶେଷ କରି ଡକାୟତି ହୋଇଥିବା ଘରଟି ଜନ ବସତି ଠାରୁ ବାହାରେ ହୋଇଥିବାରୁ ଏଭଳି ଅପରାଧ ଘଟାଇବାରେ ଦୁର୍ବୃତଙ୍କୁ ସହଜ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.