
ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପ୍ରାତଃରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ସୁନୀତା ଫର୍ନିଚର ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଜଣେ କାର ଚାଳକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଓ ଗ୍ରାମାଂଚଳ ଥାନାଧିକାରୀ ସୁବ୍ରତ ଦାସଙ୍କ ଠାରୁ ମିଳିଥିବା ସର୍ବଶେଷ ତଥ୍ୟ ଅନୁସାରେ ବାଲେଶ୍ୱର ଦିଗରୁ ଆସୁଥିବା ଏକ କେଂଟନରର ଯାନ୍ତ୍ରିକ ତ୍ରୁଟି ଯୋଗୁ ଚାଳକ ରାସ୍ତାର ଡାହାଣପଟ ଟରନିଂରେ ଗାଡିଟିକୁ ଗତ କାଲି ରାତିରୁ ରଖିଥିଲା। ବାଲେଶ୍ୱର ବସ୍ତା ଥାନା ଅଧିନସ୍ଥ ରାମଚନ୍ଦ୍ର ପୁର ନିବାସୀ ତପନ କୁମାର ଦାସ ମହାପାତ୍ର ନିକଟରେ ଆପୋଲୋ ହସ୍ପିଟାଲରେ ଅପରେସନ ହୋଇ ଆଜି ଷ୍ଟିଚ ଖୋଲା ଯିବାର ଥିବାରୁ ପତ୍ନୀ ସୁପ୍ରଭା ପଟ୍ଟନାୟକ ଙ୍କ ସହ ସ୍ଥାନୀୟ ଧିତପୁରା ନିବାସୀ ପୁର୍ଣ୍ଣେନ୍ଦୁ ନନ୍ଦଙ୍କ କାରରେ ଆସୁଥିଲେ। ତେବେ ଦ୍ରୁତ ଗତିରେ ଆସୁଥିବା କାରଟି ଉକ୍ତ ମୋଡରେ ଠିଆ ହୋଇଥିବା କେଂଟନରର ପଛପଟ ବାମ ପାର୍ଶ୍ୱରେ ପିଟି ହୋଇ ଦୁର୍ଘଟଣା ଘଟାଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କାରଟିର ସମ୍ମୁଖ ଭାଗ ବିଶେଷ କ୍ଷତି ଗ୍ରସ୍ତ ହେବା ଫଳରେ କାର ଚାଳକ ପୁର୍ଣ୍ଣେନ୍ଦୁ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଏବଂ ପଛରେ ବସିଥିବା ସ୍ୱାମୀ ତପନ ସ୍ତ୍ରୀ ସୁପ୍ରଭା ଗୁରୁତର ଭାବେ ଭଦ୍ରକ ମୁଖ୍ୟ ଡାକ୍ତର ଖାନାରୁ ଭୁବନେଶ୍ୱର ମଣିପାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି। ଗାଡିଟିକୁ ଭଡାରେ ନେଇ ସେମାନେ ଆପୋଲୋ ଯାଉଥିଲେ।ଘଟଣାର ଖବର ପାଇ ଉଭୟ ସହରାଂଚଳ ଓ ଗ୍ରାମାଂଚଳ ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ସହାୟତାରେ ମୃତକଙ୍କୁ ଡାକ୍ତରଖାନାକୁ ନେଇଥିବା ବେଳେ ଗତକାଲି ରାତିରୁ ହେଉଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ପୋଲିସ ଅଟକି ରହିଥିବା ଯାନବାହାନ ଗୁଡିକର ଚଳାଚଳ ପାଇଁ କ୍ରେନ ଲଗାଇ ଦୁର୍ଘଟଣା ଗ୍ରସ୍ତ କାର ଓ କଂଟେନରଟିକୁ ରାସ୍ତା ଉପରୁ ହଟାଇବାପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।







