Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ନିର୍ବାଚନ, ସଭାପତି ଭାବେ ଖଗେନ୍ଦ୍ର ନାଥ...

ଭଦ୍ରକ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ନିର୍ବାଚନ, ସଭାପତି ଭାବେ ଖଗେନ୍ଦ୍ର ନାଥ ଦାସ ବିପୁଳ ଭୋଟରେ ବିଜୟୀ

4

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ନିର୍ବାଚନ ପାଇଁ ଅନୁଷ୍ଠିତ ମତଦାନ ପରେ ଭୋଟ ଗଣତି ସମ୍ପନ୍ନ ହୋଇଛି। ଗଣତି ଶେଷରେ ସଭାପତି ପଦବୀ ପାଇଁ ପ୍ରାର୍ଥୀ ହୋଇଥିବା ଖଗେନ୍ଦ୍ର ନାଥ ଦାସ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ସଂଘର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିଜୟକୁ ନେଇ ସମର୍ଥକମାନଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା। ବିଜୟ ଘୋଷଣା ପରେ ନବନିର୍ବାଚିତ ସଭାପତି ଖଗେନ୍ଦ୍ର ନାଥ ଦାସଙ୍କୁ ସମର୍ଥକମାନେ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ। ପରେ ଏକ ବିରାଟ ଶୋଭାଯାତ୍ରାରେ ସେ ଯୋଗଦେଇ ଭଦ୍ରକ ଜିଲ୍ଲା ପୁଲିସ ଅଧୀକ୍ଷକ (ଏସ୍‌ପି)ଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଓ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଅବସରରେ ସଂଘର ବହୁ ସଂଖ୍ୟକ ହାବିଲଦାର, କନେଷ୍ଟବଳ ଓ ସମର୍ଥକମାନେ ଉପସ୍ଥିତ ଥିଲେ। ନବନିର୍ବାଚିତ ସଭାପତି ଖଗେନ୍ଦ୍ର ନାଥ ଦାସ କହିଥିଲେ ଯେ, ଏହି ବିଜୟ କେବଳ ତାଙ୍କର ନୁହେଁ, ବରଂ ଭଦ୍ରକ ଜିଲ୍ଲାର ସମସ୍ତ ହାବିଲଦାର ଓ କନେଷ୍ଟବଳଙ୍କ ବିଜୟ। ସଂଘର ସମସ୍ତ ସଦସ୍ୟଙ୍କ ଆସ୍ଥା ଓ ଭରସାକୁ ସମ୍ମାନ ଦେଇ ସେ ସଂଘର ସ୍ୱାର୍ଥର ସୁରକ୍ଷା, ସଦସ୍ୟମାନଙ୍କ କଲ୍ୟାଣ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଜୟ ପରେ ସେ ଜିଲ୍ଲାର ବିଭିନ୍ନ ଥାନା ପରିଦର୍ଶନ କରି ହାବିଲଦାର, କନେଷ୍ଟବଳ ଓ ହୋମଗାର୍ଡ କର୍ମଚାରୀମାନଙ୍କୁ ସାକ୍ଷାତ କରି ସେମାନଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଥିଲେ। ସମସ୍ତଙ୍କୁ ସାଙ୍ଗରେ ନେଇ ସଂଘର ଉନ୍ନତି ଓ କର୍ମଚାରୀମାନଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ସଦା ଚେଷ୍ଟା କରିବେ ବୋଲି ସେ କହିଥିଲେ। ଭୋଟ ଗଣତି କେନ୍ଦ୍ରରେ ଫଳାଫଳ ଘୋଷଣା ପରେ ସମର୍ଥକମାନେ ଉତ୍ସାହର ସହ ବିଜୟ ଉତ୍ସବ ପାଳନ କରିଥିଲେ। ପରସ୍ପରକୁ ମିଠା ଖୁଆଇବା ସହ ନବନିର୍ବାଚିତ ସଭାପତିଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ। ସଂଘର ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି ଯେ, ନୂତନ ନେତୃତ୍ୱରେ ଭଦ୍ରକ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ଶାଖା ସଂଘ ଆହୁରି ସୁଦୃଢ଼ ହେବା ସହ ସଦସ୍ୟମାନଙ୍କ ସ୍ୱାର୍ଥ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.