ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ତ ବିଭାଗ ଅଧୀନରେ ଥିବା ମଞ୍ଜୁରୀରୋଡ଼-ବନ୍ଦାଳ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି। ରାସ୍ତାର ଅଧିକାଂଶ ସ୍ଥାନ ଭାଙ୍ଗି ରୁଜି ଗଲାଣି।କେଉଁଠି କଂକ୍ରିଟ ଭାଙ୍ଗି ଖାଲ ହୋଇ ଗଲାଣି ।କଂକ୍ରିଟ ରାସ୍ତା ଭାଙ୍ଗି ରଡ଼ ଦେଖା ଯାଉଛି ଓ ବାଇକ ଚକ ରଡ଼ରେ ପଶି ଦୁର୍ଘଟଣା ଘଟୁଛି। ଗତ ଦୁଇ ବର୍ଷ ପୂର୍ବରୁ ମରାମତି ହୋଇ ପ୍ରାୟ ଏକ କିଲୋମିଟର ଅଂଶ ଫେବର ଟାଇଲ ପଡ଼ିଥିଲା ।ଏହା ଭିତରେ କେଉଁଠି ଫେବର ଉଠିଗଲାଣି ତ କେଉଁଠି ଦବି ଗଲାଣି। ପୂର୍ତ ବିଭାଗର ଏହି ରାସ୍ତାଟି ସ୍ଥାନୀୟ ଅଂଚଳର ଜୀବନ ରେଖା ଓ ଯାଜପୁର ଜିଲ୍ଲାର ଅଧିବାସୀଙ୍କ ପାଇଁ ମଞ୍ଜୁରୀରୋଡକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଶହ ଶହ ଯାତ୍ରୀ,ସକାଳୁ ସଞ୍ଜ ନିତିଦିନିଆ ସଉଦା ପରିବା ଅନ୍ୟାନ୍ୟ ନିତ୍ୟ ବ୍ୟବାହାର୍ଯ୍ୟ ଜିନିଷ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାଆନ୍ତି ।ଅଂଚଳର ଏକମାତ୍ର ନାଆମୀ କଲେଜକୁ ଯିବାପାଇଁ ଛାତ୍ର ଛାତ୍ରୀ ଏହି ରାସ୍ତା ଦେଇ ସାଇକେଲ କିମ୍ବା ବାଇକରେ ଯିବା ଆସିବା କରନ୍ତି ।ରାସ୍ତାଟି ଖାଲ ଖମାରେ ଭରି ଯାଇଥିବାରୁ ଏକ କାଳୀନ ଗୋଟିଏ ପାର୍ଶ୍ୱରେ ଯାତ୍ରୀ ଯିବା ଆସିବା କରୁଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି ।ମଞ୍ଜୁରୀରୋ ରେ ଥିବା ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାଳୟକୁ ଯିବାକୁ ଛାତ୍ର ଛାତ୍ରୀ ବି ଏହି ରାସ୍ତାର ନିୟମିତ ଗଲାବେଳେ ଅଧା ସମୟ ସାଇକେଲ ଗଡେଇ ଗଡେଇ ନେବାକୁ ପଡୁଛି । ବାଇକ ଆରୋହୀଙ୍କ ପାଇଁ ମରଣ ଯନ୍ତା ପାଲଟିଥିବା ଏହି ରାସ୍ତାରେ ବଡ ଗାଡି ହାଲୁକା ଚାରି ଚକିଆ ଯାନ ଯିବାକୁ ଡରୁଛନ୍ତି ।ପାଂଚ ସାତ ବର୍ଷ ତଳେ ନିର୍ମାଣ ମରାମତି ହୋଇଥିବା ଏହି ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଅସନ୍ତୋଷ ଦେଖାଦେଇଛି। ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଖବରକାଗଜରେ ବାହାରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସାମାଜିକ ଗଣ ମାଧ୍ୟମରେ ଏହି ରାସ୍ତାର ଦୁର୍ଗତି ବିଷୟରେ ଅନେକ ଲେଖା ଓ ଭିଡିଓ ହେଉଛି ତଥାପି ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇନାହିଁ। ବର୍ଷା ଦିନରେ ରାସ୍ତାଟିର ଖାଲ ଜାଗାରେ ପାଣି ଜମିରହି ଦୁର୍ଘଟଣା ବଢୁଛି ।ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେଲେ ଆନ୍ଦୋଳନ କରିବା ପାଇଁ ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି।








