Home ଜିଲ୍ଲା ପରିକ୍ରମା ଆଶା କର୍ମୀଙ୍କ ମୃତ୍ୟୁ ଘଟଣା: ୧୨ ଲକ୍ଷ କ୍ଷତିପୂରଣ ଦାବି, ୧୫ ସୁଦ୍ଧା ପଦକ୍ଷେପ ନ...

ଆଶା କର୍ମୀଙ୍କ ମୃତ୍ୟୁ ଘଟଣା: ୧୨ ଲକ୍ଷ କ୍ଷତିପୂରଣ ଦାବି, ୧୫ ସୁଦ୍ଧା ପଦକ୍ଷେପ ନ ହେଲେ କଂଗ୍ରେସର ଆନ୍ଦୋଳନ ଚେତାବନୀ

7

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଏନ୍‌ଏସି ୫ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ୟାମପୁର (ବାଣୁଆଡି) ଗ୍ରାମର ଆଶା କର୍ମୀ ଲୀଳାବତୀ ଗୋଛାୟତଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟଣାକୁ ନେଇ ଧାମନଗର ବ୍ଲକ କଂଗ୍ରେସ ପକ୍ଷରୁ ରବିବାର ଅସୁରାଳିଠାରେ ଏକ ପ୍ରେସମିଟ୍ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଥମେ ମୃତ ଆଶା କର୍ମୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲେ। ପରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସନ୍ଧ୍ୟା ୫ଟାରେ ଅସୁରାଳିଠାରେ ଆୟୋଜିତ ପ୍ରେସମିଟ୍‌ରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଧାମନଗର ମେଡିକାଲରେ ସାମାନ୍ୟ ରୋଗୀଙ୍କୁ ମଧ୍ୟ ପ୍ରାଥମିକ ଚିକିତ୍ସା ନ କରି ଭଦ୍ରକ ମେଡିକାଲକୁ ରେଫର କରାଯାଉଛି। ଆଶା କର୍ମୀ ଲୀଳାବତୀ ଗୋଛାୟତଙ୍କ କ୍ଷେତ୍ରରେ ମଧ୍ୟ ଉପଯୁକ୍ତ ଚିକିତ୍ସାରେ ଅବହେଳା ହୋଇଥିବା ଦଳ ପକ୍ଷରୁ ଦାବି କରାଯାଇଥିଲା। ପ୍ରେସମିଟ୍‌ରେ କୁହାଯାଇଥିଲା ଯେ, ବାରମ୍ବାର ସ୍ୱାସ୍ଥ୍ୟସେବାକୁ ନେଇ ବିଭିନ୍ନ ଅଭିଯୋଗ ସାମ୍ନାକୁ ଆସୁଛି କିନ୍ତୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଧାମନଗର ଅଂଚଳର ଲୋକଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ମେଡ଼ିକାଲରେ କିଛିଦିନ ପୂର୍ବରୁ ଜଣେ ବାଳକଙ୍କୁ ଜ୍ୱର ପରିବର୍ତେ କୁକୁର କାମୁଡ଼ା ଟିକା ଦିଆଯାଇଥିବା ଘଟଣା ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଥିଲା। ସେହିପରି ଲୀଳାବତୀ ଗୋଛାୟତଙ୍କୁ ସାପ କାମୁଡ଼ିବା ପରେ ଆବଶ୍ୟକ ଚିକିତ୍ସା ପରିବର୍ତେ ଗ୍ୟାସ ସମ୍ବନ୍ଧୀୟ ଔଷଧ ଦିଆଯାଇଥିବା ନେଇ ଅଭିଯୋଗ ରହିଛି। ଏହାଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇଥିଲା ଏବଂ ପରବର୍ତୀ ସମୟରେ କଟକରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରାଯିବା ସହ ପରିବାରକୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ପରିବର୍ତେ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏଥିସହ ୧୫ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଚେତାବନୀ ଦିଆଯାଇଛି। ପ୍ରେସମିଟ୍‌ରେ ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ନାୟକଙ୍କ ସମେତ ପୂର୍ବତନ ବ୍ଲକ ସଭାପତି ନରେନ୍ଦ୍ର ମଲ୍ଲିକ, ଶ୍ରୀକାନ୍ତ ପଣ୍ଡା, ନିମାଇ ଜେନା, ସୁଧାଂଶୁ ଶେଖର ଦାସ, ମାନସ ଜେନା, ମହେନ୍ଦ୍ର ମଲ୍ଲିକ, ମାନସ ତରାଇ ଓ ସଂଗ୍ରାମ କେଶୋରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.