Home ଜିଲ୍ଲା ପରିକ୍ରମା ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକ ଅନୁଷ୍ଠିତ,ସାଧାରଣ ଜନତାଙ୍କ ସମସ୍ୟାର...

ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକ ଅନୁଷ୍ଠିତ,ସାଧାରଣ ଜନତାଙ୍କ ସମସ୍ୟାର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱାରୋପ

1

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଭଦ୍ରକଠାରେ ଆଜି ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକ ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସାଂସଦ ଶ୍ରୀ ସେଠୀ କହିଲେ ଯେ, ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସୁଦୃଢ଼ ସମନ୍ୱୟ ଆବଶ୍ୟକ। ସାଧାରଣ ଜନତାଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସମସ୍ତ ବିଭାଗ ଅଗ୍ରାଧିକାର ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୀତାଂଶୁ ଶେଖର ମହାପାତ୍ର, ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ଅଶୋକ ଗୁହାଣ, ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ଶ୍ରୀ ଅଶୋକ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଜେନା, ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗୀୟ ଅଧିକାରୀ, ବ୍ଲକ ଓ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଏବଂ ସମସ୍ତ ବିଡିଓ ମଧ୍ୟ ଏଥିରେ ଯୋଗ ଦେଇଥିଲେ।ତୃତୀୟ ଦିଶା ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଗଲା । ବର୍ଷା ଯୋଗୁଁ ଖରାପ ହୋଇଥିବା ରାସ୍ତାଗୁଡ଼ିକୁ ତୁରନ୍ତ ମରାମତି କରିବା ଏବଂ ନାଳ ଗୁଡ଼ିକରେ ଜମିଥିବା ଜଳକୁ ନିଷ୍କାସନ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଗଲା। ଜିଲ୍ଲାର ଚିକିତ୍ସାଳୟ, ଶିକ୍ଷା ଓ ଅନ୍ୟାନ୍ୟ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଗଲା।ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଜାତୀୟ ରାଜପଥ, ପାନୀୟ ଜଳ ଯୋଗାଣ, ନଳକୂପ ଖନନ, ସମବାୟ ସମିତି, ମଡେଲ ମଣ୍ଡି, ମେଡିକାଲ କଲେଜ, ପର୍ଯ୍ୟଟନ, ବ୍ରିଜ୍ ନିର୍ମାଣ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପାରମ୍ପରିକ କୃଷି ବିକାଶ, ଖାଦ୍ୟ ସୁରକ୍ଷା ଯୋଜନା, ଜଳସେଚନ, ବାଇପାସ୍ ରାସ୍ତା, ଆହାର କେନ୍ଦ୍ର, ଶିକ୍ଷା ଓ ଚିକିତ୍ସା ଆଦି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଜନପ୍ରତିନିଧିମାନଙ୍କ ଦ୍ୱାରା ଉଠାଯାଇଥିବା ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀ ରାଉତରାୟ ଜିଲ୍ଲାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.