Home ଜିଲ୍ଲା ପରିକ୍ରମା ବୃକ୍ଷ ଦିବସ ଅବସରରେ ଦାମୋଦର ସଂସ୍କୃତ କଲେଜ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୃକ୍ଷ ଦିବସ ଅବସରରେ ଦାମୋଦର ସଂସ୍କୃତ କଲେଜ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

4

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ପରିବେଶ ସୁରକ୍ଷା ଏବଂ ସବୁଜ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ବୃକ୍ଷ ଦିବସ ଅବସରରେ ଦାମୋଦର ସଂସ୍କୃତ କଲେଜ ପକ୍ଷରୁ ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସିପାଲ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ସମାଜସେବୀ, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ଉତ୍ସାହର ସହ ଯୋଗଦେଇ ବୃକ୍ଷରୋପଣ କରିଥିଲେ।କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ-ଅଧିକାରୀ ଶ୍ରୀମତୀ ମଧୁସ୍ମିତା ଶତପଥୀ ପ୍ରଥମ ଚାରା ରୋପଣ କରି ଶୁଭ ଉଦ୍ଘାଟନ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ପ୍ରକୃତି ଓ ମଣିଷ ପରସ୍ପର ପରିପୂରକ। ବୃକ୍ଷ ହେଉଛି ଜୀବନର ମୂଳ ଆଧାର। ପ୍ରତ୍ୟେକ ନାଗରିକ ବର୍ଷକୁ ଅତି କମରେ ଗୋଟିଏ ବୃକ୍ଷ ରୋପଣ କରି ତାହାର ଯତ୍ନ ନେଲେ ପରିବେଶ ସନ୍ତୁଳନ ରକ୍ଷା ସହ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଓ ସୁସ୍ଥ ପରିବେଶ ଗଠନ ସମ୍ଭବ ହେବ।ପ୍ରିନ୍ସିପାଲ ଡଃ ନିତ୍ୟାନନ୍ଦ ମିଶ୍ର କହିଥିଲେ ଯେ, ବର୍ତ୍ତମାନ ସମୟରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ, ବନ ଉଜାଡ଼ ଓ ପରିବେଶ ପ୍ରଦୂଷଣ ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛି। ଏହାର ମୁକାବିଲା ପାଇଁ ବୃକ୍ଷରୋପଣ ଏକ ପ୍ରଭାବଶାଳୀ ପଦକ୍ଷେପ। ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ଶିକ୍ଷା ପ୍ରଦାନରେ ସୀମିତ ନ ରହି ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବାରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଆବଶ୍ୟକ।ଏହି ଅବସରରେ ସମାଜସେବୀ ଆଲୋକ କୁମାର ଦାସ, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ସାମଲ, ପୁନିଲ କୁମାର ସାମନ୍ତ, ଅବଦୁଲ ଫିରୋଜ ଖାଁ, ନିରଞ୍ଜନ ସାହୁ, ଅଧ୍ୟାପକ ଶୁକଦେବ ପଣ୍ଡା, ଅକ୍ଷୟ କୁମାର ପାଣିଗ୍ରାହୀ, ସମାଜସେବୀ ଅଜୟ କୁମାର ସାହୁ, ମଞ୍ଜୁଲତା ମଲ, ମଧୂସୁଦନ ତ୍ରିପାଠୀଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଜାତିର ଫଳଜ, ଔଷଧୀୟ ଓ ଛାୟାପ୍ରଦ ବୃକ୍ଷର ଚାରା ରୋପଣ କରିବା ସହ ସେଗୁଡ଼ିକର ସୁରକ୍ଷା ଓ ନିୟମିତ ଯତ୍ନ ନେବା ପାଇଁ ଶପଥ ଗ୍ରହଣ କରିଥିଲେ। ପରିବେଶ ସଚେତନତା ସୃଷ୍ଟି କରିବା ସହ “ଗୋଟିଏ ଲୋକ – ଗୋଟିଏ ବୃକ୍ଷ” ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଥିଲା।ଶେଷରେ କଲେଜ ପ୍ରାଙ୍ଗଣରେ ବହୁ ସଂଖ୍ୟାରେ ବୃକ୍ଷରୋପଣ କରାଯିବା ସହ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ କରିବା ଏବଂ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସକ୍ରିୟ ଭାବେ ଆଗେଇ ଆସିବାକୁ ଆହ୍ୱାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ଉତ୍ସାହ, ସଚେତନତା ଓ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଉତ୍କୃଷ୍ଟ ନିଦର୍ଶନ ପାଲଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.