Home ଜିଲ୍ଲା ପରିକ୍ରମା ଥାନା ନିକଟରୁ ମହିଳାଙ୍କ ମନିପର୍ସ ଝାମ୍ପିନେଲେ ଦୁର୍ବୃତ,ଝିଅର ଜନ୍ମଦିନ ପାଇଁ କେକ୍ କିଣିବାକୁ ଆସିଥିଲା ମା’

ଥାନା ନିକଟରୁ ମହିଳାଙ୍କ ମନିପର୍ସ ଝାମ୍ପିନେଲେ ଦୁର୍ବୃତ,ଝିଅର ଜନ୍ମଦିନ ପାଇଁ କେକ୍ କିଣିବାକୁ ଆସିଥିଲା ମା’

2

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଏହି ଜିଲାର ଧାମନଗର ଥାନାଠାରୁ ମାତ୍ର ୩୦ ମିଟର ଦୂରରେ ଦିନ ଦ୍ୱିପ୍ରହରରେ ଜଣେ ମହିଳାଙ୍କ ମନିପର୍ସ ଝାମ୍ପି ନିଆଯିବା ଘଟଣା ସମଗ୍ର ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ଥାନା ନିକଟରେ ଏଭଳି ଦୁଃସାହସିକ ଚିନ୍ତାଇ ଘଟଣା ଘଟିଥିବାରୁ ବଜାର ଅଂଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଧାମନଗର ଥାନା ଅନ୍ତର୍ଗତ ଗୁମୁଗଡ଼ ଗ୍ରାମର ବର୍ଷାରାଣୀ ବେହେରା ବୁଧବାର ସକାଳ ପ୍ରାୟ ୧୦ଟା ସମୟରେ ତାଙ୍କ ୧୩ ବର୍ଷର ପୁଅଙ୍କ ସହ ଧାମନଗର ବଜାରକୁ ଝିଅର ଜନ୍ମଦିନ ପାଇଁ ଡ୍ରେସ୍ ଓ କେକ୍ କିଣିବାକୁ ଆସିଥିଲେ। ଥାନା ବାଉଣ୍ଡରୀକୁ ଲାଗିଥିବା ପରିବା ଦୋକାନରୁ ପରିବା କିଣାକିଣି କରି ସେ ୪ ହଜାର ୫ଶହ ଟଙ୍କା ଥିବା ମନିପର୍ସକୁ ପରିବା ବ୍ୟାଗ ଭିତରେ ରଖିଥିଲେ। ବ୍ୟାଗଟି ତାଙ୍କ ପୁଅ ଧରିଥିବା ବେଳେ ଉଭୟ ଚାଲି ଚାଲି ଯାଉଥିଲେ। ଏହି ସମୟରେ ପଛପଟୁ ଆସିଥିବା ଜଣେ ଯୁବକ ସୁଯୋଗ ନେଇ ବ୍ୟାଗ ଭିତରୁ ମନିପର୍ସ କାଢ଼ି ଦୌଡ଼ି ପଳାଇଯାଇଥିଲା। ପଛରେ ଥିବା କିଛି ଲୋକ ଘଟଣା ଦେଖି ଚିତ୍କାର କରିବା ପରେ ବର୍ଷାରାଣୀ ବ୍ୟାଗ ଯାଂଚ କରିଥିଲେ। ସେତେବେଳକୁ ମନିପର୍ସ ଗାୟବ ହୋଇଯାଇଥିବା ଜଣାପଡ଼ିଥିଲା। ମାତ୍ର କିଛି ସେକେଣ୍ଡ ମଧ୍ୟରେ ଦୁର୍ବୃତ ଟଙ୍କା ଧରି ଫେରାର ହୋଇଯାଇଥିଲା। ଘଟଣା ପରେ ବର୍ଷାରାଣୀ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ବଜାର ଅଂଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି। ପ୍ରାଥମିକ ତଦନ୍ତରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ପୁଲିସର ଉଦ୍ୟମ ଜାରି ରହିଛି। ଏହି ଘଟଣା ପରେ ଧାମନଗର ବଜାର ଅଞ୍ଚଳରେ ଚୋରି, ଲୁଟ୍ ଓ ଚିନ୍ତାଇ ଘଟଣା ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକ ଚିନ୍ତା ପ୍ରକାଶ କରିଛନ୍ତି। ବଜାରରେ ପୂର୍ବରୁ ବାଇକ୍ ଚୋରି, ଦୋକାନ ଭାଙ୍ଗି ଲୁଟ୍ ଭଳି ଘଟଣା ଘଟୁଥିବା ବେଳେ ଏବେ ଦିନ ଦ୍ୱିପ୍ରହରରେ ଥାନା ନିକଟରେ ଚିନ୍ତାଇ ଘଟଣା ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି।ସ୍ଥାନୀୟ ଲୋକେ ବଜାର ଅଂଚଳରେ ନିୟମିତ ପୁଲିସ ପାଟ୍ରୋଲିଂ, ସାଦା ପୋଷାକଧାରୀ ପୁଲିସ ମୁତୟନ ଏବଂ ସିସିଟିଭି ନଜରଦାରିକୁ ଆହୁରି ସୁଦୃଢ଼ କରିବାକୁ ଦାବି କରିଛନ୍ତି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରି ଲୁଟ୍ ହୋଇଥିବା ଟଙ୍କା ଫେରସ୍ତ କରିବାକୁ ମଧ୍ୟ ସେମାନେ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.