ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପୋଲିସ ହାବିଲଦାର–କନେଷ୍ଟବଳ ଶାଖା ସଂଘ, ଭଦ୍ରକ ଜିଲ୍ଲାର ଆଗାମୀ ନିର୍ବାଚନକୁ ନେଇ ପ୍ରାର୍ଥୀମାନେ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସଂଘର ସଦସ୍ୟ, ହାବିଲଦାର, କନେଷ୍ଟବଳ ଓ ଶତାଧିକ ସମର୍ଥକଙ୍କ ଉପସ୍ଥିତି ସମଗ୍ର ପରିବେଶକୁ ଉତ୍ସାହମୟ କରିଥିଲା। ପୂର୍ବାହ୍ନରେ ଭଦ୍ରକ ସହରସ୍ଥିତ ମା’ ଦକ୍ଷିଣ କାଳୀ ମନ୍ଦିରରେ ସମସ୍ତ ପ୍ରାର୍ଥୀ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଥିଲେ। ପରେ ସେଠାରୁ ଶତାଧିକ ସମର୍ଥକଙ୍କୁ ସାଥୀ କରି ଏକ ସୁଶୃଙ୍ଖଳ ଓ ବିରାଟ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରି କଚେରୀ ପରିସରସ୍ଥିତ ଡି.ଆଇ.ବି. କାର୍ଯ୍ୟାଳୟରେ ପହଂଚିଥିଲା। ସେଠାରେ ନିର୍ବାଚନୀ ନିୟମାବଳୀ ଅନୁଯାୟୀ ସମସ୍ତ ପ୍ରାର୍ଥୀ ନିଜ ନିଜ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ପ୍ୟାନେଲରେ ସଭାପତି ପଦ ପାଇଁ ଗଗନ କୁମାର ସେନ ପ୍ରାର୍ଥୀ ହୋଇଥିବା ବେଳେ ଉପସଭାପତି ପଦ ପାଇଁ ପ୍ରିୟବ୍ରତ ଦାସ ଓ ସୁଦାମ ମୁରୁମୁ, ସମ୍ପାଦକ ପଦ ପାଇଁ ଦେବାଶିଷ ମହାନ୍ତି ଓ ସହ ସମ୍ପାଦକ ଆଶିଷ କୁମାର ଘଡ଼େଇ, କୋଷାଧ୍ୟକ୍ଷ ପଦ ପାଇଁ ବସନ୍ତ କୁମାର ମାଝୀ ପ୍ରାର୍ଥୀ ରହିଛନ୍ତି। ସେହିପରି ସକ୍ରିୟ ସଦସ୍ୟ ପଦ ପାଇଁ ଅଭୟ କୁମାର ସେଠୀ, ଲିନା ରାଣୀ ସାହୁ, ରଘୁନାଥ ମୁରୁମୁ, ରଞ୍ଜିତ କୁମାର ସାହୁ ଓ ଜୟନ୍ତ ବେହେରା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ସମର୍ଥକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ହାବିଲଦାର ଓ କନେଷ୍ଟବଳମାନେ ନିଜ ନିଜ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ପ୍ରକାଶ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଥିବା ବେଳେ ସଂଘର ସଦସ୍ୟମାନେ ଏକତା, ଶୃଙ୍ଖଳା ଓ ସଂଗଠନର ଶକ୍ତିର ପରିଚୟ ଦେଇଥିଲେ। ପ୍ରାର୍ଥୀମାନେ କହିଛନ୍ତି ଯେ, ନିର୍ବାଚିତ ହେବା ପରେ ହାବିଲଦାର ଓ କନେଷ୍ଟବଳମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ସେମାନଙ୍କ କଲ୍ୟାଣ, ସେବାଗତ ସ୍ୱାର୍ଥର ସୁରକ୍ଷା ଏବଂ ସଂଘକୁ ଅଧିକ ସୁଦୃଢ଼ କରିବାକୁ ପ୍ରାଥମିକତା ଦିଆଯିବ। ସଂଘର ପ୍ରତ୍ୟେକ ସଦସ୍ୟଙ୍କ ସହଯୋଗ ଓ ବିଶ୍ୱାସକୁ ସାଥୀ କରି ସଂଗଠନକୁ ଆହୁରି ସକ୍ରିୟ ଓ ଶକ୍ତିଶାଳୀ କରିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ସଂଘର ସଦସ୍ୟବୃନ୍ଦ ଭଦ୍ରକ ସାଂସଦ ଓ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସଂଗଠନର ଏକତା, ଶୃଙ୍ଖଳା ଓ ସେବାଭାବକୁ ସର୍ବୋପରି ରଖି ଗଣତାନ୍ତ୍ରିକ ପରମ୍ପରାକୁ ସୁଦୃଢ଼ କରିବା ଦିଗରେ ସମସ୍ତଙ୍କ ଭୂମିକା ପ୍ରେରଣାଦାୟକ ହେଉ ଓ ସଂଘର ଉତରୋତର ପ୍ରଗତି ଓ ସଫଳତା କାମନା କରିଥିଲେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏହି ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ପୋଲିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଗାମୀ ନିର୍ବାଚନକୁ ନେଇ ସଦସ୍ୟମାନଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ବୃଦ୍ଧି ପାଇଛି।
Home ଜିଲ୍ଲା ପରିକ୍ରମା ଓଡ଼ିଶା ପୋଲିସ ହାବିଲଦାର–କନେଷ୍ଟବଳ ଶାଖା ସଂଘ ଭଦ୍ରକ ଜିଲ୍ଲାର ପ୍ରାର୍ଥୀପତ୍ର ଦାଖଲ, ବିରାଟ ଶୋଭାଯାତ୍ରାରେ ଶକ୍ତି...







