ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ସାଇକେଲ ଚୋରି କରି ପୋଖରୀରେ ଲୁଚାଇଥିଲା ଚୋର ,ହେଲେ ସେସବୁ ଚାଲାକି ପଦାରେ ପଡ଼ିଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ସୂଚନା ଅନୁସାରେ ପୁରୁଷୋତମପୁର ଗାଁର ଭାବଗ୍ରାହି ପଣ୍ଡା ଆପଣ୍ଡା ଗାଁକୁ ଏକ ରୋଷଇ କାର୍ଯ୍ୟ କରିବା ପାଇଁ ଆସିଥିଲେ। କାମ ସାରି ଫେରିବା ସମୟରେ ସେ ଗାଁର ସମ୍ପର୍କୀୟଙ୍କ ଘର ସମ୍ମୁଖରେ ନିଜ ସାଇକେଲଟିକୁ ରଖି ଘର ଭିତରକୁ ଯାଇଥିଲେ। ଏହି ସମୟରେ ଦୋଳପଦୀ ଗ୍ରାମର ଶତର ଯେନା ନାମକ ଜଣେ ବ୍ୟକ୍ତି ସାଇକେଲଟିକୁ ଚୋରି କରି ନେଇଥିଲେ। ପରେ ନିରାପଦ ସମୟ ଦେଖି ନେବା ଆଶାରେ ସେ ସାଇକେଲଟିକୁ ନିକଟସ୍ଥ ସ୍କୁଲ ପୋଖରୀ ଭିତରକୁ ଫିଙ୍ଗି ଲୁଚାଇଦେଇ ନିଜ ଘରକୁ ଚାଲିଯାଇଥିଲା। ସାଇକେଲ ନ ମିଳିବାରୁ ରୋଷେୟା ଓ ଗ୍ରାମବାସୀ ମାନେ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରିଥିଲେ। ଖୋଜୁ ଖୋଜୁ ପୋଖରୀ ଭିତରେ ସାଇକେଲର ହ୍ୟାଣ୍ଡେଲ ଦେଖାଯିବା ପରେ ଲୋକମାନେ ତାକୁ ପାଣିରୁ ଉଦ୍ଧାର କରିଥିଲେ। ଏହି ସମୟରେ ଶରତର ସନ୍ଦେହ ଜନକ ଗତିବିଧି ଦେଖି ଗ୍ରାମବାସୀ ତାକୁ ଡ଼ାକି ପଚରା ଉଚରା କରିଥିଲେ। ଶରତ ନିଜ ଦୋଷ ସ୍ୱୀକାର କରିବା ସହ ସାଇକେଲ ଚୋରିର ସମ୍ପୂର୍ଣ୍ଣ ସତ ଓଗାଲିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶରତ ପୂର୍ବରୁ ସାଇକେଲ ଚୋରି ଘଟଣାରେ ସାମିଲ ରହିଛି। ଏ ସମ୍ପର୍କରେ ଖବର ପାଇ ବନ୍ତ ଥାନା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ଶରତକୁ ଥାନାକୁ ନେଇଛି। ଏବଂ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।







